
ଦାରିଙ୍ଗବାଡ଼ି,୨୩/୪ ରାଜ୍ୟ ସରକାରଙ୍କ ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ବିଭାଗ ଅଧୀନ ସଂହତି କାର୍ଯ୍ୟକ୍ରମ ପକ୍ଷରୁ ୫ ଦିନିଆ ତାଲିମ ଶିବିର ଦାରିଙ୍ଗବାଡ଼ି ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ଆଜି ଶୁଭାରମ୍ଭ ହୋଇଛି। ଏହି ଶୁଭାରମ୍ଭ କାର୍ଯ୍ୟକ୍ରମରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ ଝୁନୁରାଣୀ ପ୍ରଧାନଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବେ ବାଲିଗୁଡ଼ା ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ଜଗତଜୀବନ ବଗର୍ତ୍ତି, ସମ୍ମାନିତ ଅତିଥି ଭାବେ ସଂହତି କାର୍ଯ୍ୟକ୍ରମ ରାଜ୍ୟ ସଂଯୋଜକ ଡା.ପରମାନନ୍ଦ ପଟେଲ , ସ୍ବେଚ୍ଛାସେବୀ ଅନୁଷ୍ଠାନ ଜାଗୃତି ସଂପାଦକ କୈଳାଶ ଚନ୍ଦ୍ର ଦଣ୍ଡପାଟ, ଉକ୍ତ ବିଦ୍ୟାଳୟର ପୂର୍ବତନ ଛାତ୍ର ତଥା ଶିକ୍ଷକ ବିଦେଶୀ ନାୟକ ଯୋଗଦେଇ ପ୍ରାଥମିକ ବିଦ୍ୟାଳୟରେ ଅଧ୍ୟନ କରୁଥିବା ଛାତ୍ରଛାତ୍ରୀଙ୍କୁ ଶିକ୍ଷା ପ୍ରଦାନ କ୍ଷେତ୍ରରେ ଆଞ୍ଚଳିକ କୁଇ ଭାଷାର ଆବଶ୍ୟକତା ସମ୍ପର୍କରେ ଅତିଥି ମାନେ ତାଲିମ ନେଉଥିବା ଶିକ୍ଷକଙ୍କୁ ତାଙ୍କ ବକ୍ତବ୍ୟରେ ଉତ୍ସାହିତ କରିଥିଲେ । ଏଥିରେ ତାଲିମ ଗ୍ରହଣ କରିବା ପାଇଁ ଦାରିଙ୍ଗବାଡ଼ି, କୋଠଗଡ଼, ତୁମୁଡ଼ିବନ୍ଧ,ବାଲିଗୁଡ଼ା, କେ.ନୂଆଗାଁ ଓ ରାଇକିଆ ବ୍ଳକର ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ବିଭାଗର ୫୧ଟି ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଯୋଗଦେଇ ଥିଲେ । ପ୍ରଶିକ୍ଷକ ଭାବେ ରାଜ୍ୟ ସାଧନ କର୍ମୀ ଶ୍ରୀଫିରୋଜ ଖାନ ଚିଞ୍ଛାନି, ଗୋଷ୍ଠୀ ସାଧନ କର୍ମୀ କୁଞ୍ଜବନ ପ୍ରଧାନ ଓ ବାପୁଜୀ ପ୍ରଧାନ ଉପସ୍ଥିତ ଥିଲେ । ପ୍ରଶିକ୍ଷଣ ଶିବିରର ସମସ୍ତ ଆୟୋଜନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀଙ୍କ ତତ୍ପାବଧାନରେ ୫ ଦିନଧରି ଆବାସିକ ପ୍ରଶିକ୍ଷଣ ଚାଲିବ । କାର୍ଯ୍ୟକ୍ରମର ସଂଯୋଜନା ଓ ଧନ୍ୟବାଦ ଅର୍ପଣ ସାଧନ କର୍ମୀ କୁଞ୍ଜବନ ପ୍ରଧାନ କରିଥିଲେ ।