
ମାଲକାନଗିରି// କାଲିମେଳା (୨୩/୪) : ମାଲକାନଗିରି ଜିଲ୍ଲା ଏକ ଆଦିବାସୀ ଅଧ୍ୟୁଷିତ ଇଲାକା ହୋଇଥିବାରୁ ବର୍ଷର ବିଭିନ୍ନ ସମୟରେ ଏଠାକାର ଲୋକେ ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କରି ନିଜର ଗୁଜୁରାଣ ମେଣ୍ଟାଇଥାଆନ୍ତି । ଏହି ପରିପ୍ରେକ୍ଷୀରେ ଗ୍ରୀଷ୍ମ ଋତୁ ମଧ୍ୟବର୍ତ୍ତୀ ସମୟରେ ହଜାର ହଜାର ଲୋକ ବଡ଼ି ଭୋର ସମୟରେ ଜଙ୍ଗଲ ମୁହାଁ ହୋଇ କେନ୍ଦୁପତ୍ର ସଂଗ୍ରହ କରି ଦ୍ଵିପହର ସମୟରେ ଏହାକୁ ସାଇତି କରି ବାନ୍ଧିବା ସହ ସନ୍ଧ୍ୟାବେଳେ ବିକ୍ରି କରନ୍ତି । ଏହି କେନ୍ଦୁପତ୍ରକୁ ସରକାରଙ୍କ ପକ୍ଷରୁ ଟେଣ୍ଡର ପ୍ରକ୍ରିୟାରେ କିମ୍ବା ଖୋଲା ବଜାରରେ ପେସା ଆଇନ୍ ମୁତାବକ ପଞ୍ଚାୟତରାଜ ବିଭାଗରୁ ଅନୁମତି ନେଇ କିଣା ଯିବାର ନିୟମ ରହିଛି। ଏଥିପାଇଁ ପଞ୍ଚାୟତରେ ପତ୍ର କିଣିବା ନେଇ ସରପଞ୍ଚଙ୍କ ସହମତି କ୍ରମେ ୪୦ ହଜାର ଟଙ୍କା ବ୍ୟୟରେ ଏକ ପଞ୍ଚାୟତ ରସିଦ୍ କରି କେନ୍ଦୁପତ୍ର କିଣାଯିବାର ବ୍ୟବସ୍ଥା ରହିଛି । ତେବେ କାଲିମେଳା ବ୍ଲକର ବିଭିନ୍ନ ସ୍ଥାନରେ ଏହି ନିୟମର ଖୋଲାଖୋଲି ଉଲ୍ଲଂଘନ କରାଯାଉଥିବା ଦେଖିବାକୁ ମିଳିଛି। ମୁଖ୍ୟତଃ ନାଲାଗୁଣ୍ଠି ଓ ଗମ୍ଫାକୋଣ୍ଡା ପଞ୍ଚାୟତର ବିଭିନ୍ନ ଗ୍ରାମରେ ବେସରକାରୀ ଫଡ଼ି ଯୋଗେ ଲକ୍ଷ ଲକ୍ଷ ଟଙ୍କାର କେନ୍ଦୁପତ୍ର ତୋଳିଥିଲେ ମଧ୍ୟ ପ୍ରଶାସନ ପକ୍ଷରେ ସେଭଳି କୌଣଷି ତଥ୍ୟ ନଥିବା ଜଣାପଡିଛି । ଏମପିଭି ୭୪ ଗ୍ରାମରେ ଗତ ଦୁଇଦିନ ଧରି କେନ୍ଦୁପତ୍ର କିଣା ଯାଉଥିବା ବେଳେ ସ୍ଥାନୀୟ ପଞ୍ଚାୟତରୁ ଏ ନେଇ କୌଣଷି ରସିଦ୍ କଟା ଯାଇ ନଥିବା ଜଣାପଡିଛି । ଏହି ଫଡ଼ିରେ ଶିଶୁ ଶ୍ରମିକ ଭାବେ ଏକାଧିକ ଶିଶୁ କେନ୍ଦୁପତ୍ର ଓଲଟାଇବା କାମ କରୁଥିବା ଦେଖିବାକୁ ମିଳିଛି। ଗମ୍ଫାକୋଣ୍ଡା ପଞ୍ଚାୟତର ମଧ୍ୟ ଅନୁରୂପ ଭାବେ ଏକାଧିକ ଗ୍ରାମରେ ପତ୍ର କିଣା ଯାଉଥିଲେ ମଧ୍ୟ ପ୍ରଶାସନ ପାଖରେ ଏ ନେଇ କୌଣଷି ଖବର ନାହିଁ । ଏ ନେଇ ସ୍ଥାନୀୟ ସରପଞ୍ଚ ଓ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀଙ୍କୁ ପଚରା ଯିବାରୁ ସେମାନେ ଏ ନେଇ ଅବଗତ ଥିବା କହିଥିବା ବେଳେ ନାଲାଗୁଣ୍ଠି ପିଇଓ ସୋମବାର ରସିଦ୍ କଟାଯିବ ବୋଲି କହିଛନ୍ତି। ଏପରିସ୍ଥଳେ ପଞ୍ଚାୟତର ବିନା ଅନୁମତିରେ କେନ୍ଦୁପତ୍ର କିଣୁଥିବା ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ରାଜସ୍ୱ ବୃଦ୍ଧି ହେବ ବୋଲି ବୁଦ୍ଧିଜିବୀ ମହଲରେ ମତ ପ୍ରକାଶ ପାଇଛି।