ଭଞ୍ଜ କଳାମଣ୍ଡପରେ ନାଟକ “ନଷ୍ଟ ରାଗିଣୀ” ଦର୍ଶକଙ୍କ ମନ ମୋହିଲା

add-all

ବ୍ରହ୍ମପୁର : ପ୍ରେମ ଚିରନ୍ତନ,ପ୍ରେମ ଶାଶ୍ୱତ । ଆଶ୍ରମ ଭିତରର ନୀତି ନିୟମରେ ବନ୍ଧା ଦୁଇ ଅନ୍ତେବାସୀ କରିବସନ୍ତି ପ୍ରେମ । ହେଲେ ଏଭଳି କାର୍ଯ୍ୟ ପାଇଁ ରହିଛି କଠୋର ମୃତ୍ୟୁଦଣ୍ଡର ନିୟମ । ତଥାପି ଯୁବ ସୁଲଭ ବୟସରେ ସବୁକିଛି ନିୟମକୁ ଜଳାଞ୍ଜ ଦେଇ ପ୍ରେମ କରନ୍ତି ଆଉ ପବିତ୍ର ସମ୍ପର୍କରୁ ରାଗିଣୀ ହୁଏ ଗର୍ଭବତୀ । ତା ଗର୍ଭରେ ପ୍ରେମର ସନ୍ତକ । ଆଶ୍ରମ ଭିତରେ ଏଭଳି ଘଟଣା ମନା । ହେଲେ ଶେଷରେ ରାଗିଣୀ କଣ ନିଜ ପ୍ରେମକୁ ପାଏ ନା ନଷ୍ଟ ରାଗିଣୀ ହୋଇରୁହେ ଏଭଳି ଏକ ସୁନ୍ଦର କଥାବସ୍ତୁ କୁ ନେଇ ମଙ୍ଗଳବାର ଭୁବନେଶ୍ୱର ଭଞ୍ଜ କଳା ମଣ୍ଡପରେ ମଂଚସ୍ଥ ହୋଇଛି ଦିବଂଗତ ନାଟ୍ୟଶ୍ରୀ ରଘୁନାଥ ମିଶ୍ରଙ୍କ ରଚିତ ନାଟକ”ନଷ୍ଟ ରାଗିଣୀ” ।

ବ୍ରହ୍ମପୁର ଶାଶ୍ୱତୀ ପ୍ରଗତିଶୀଳ ନାଟ୍ୟସଂସ୍ଥା ତରଫରୁ ରବି ନାରାୟଣ ବେହେରାଙ୍କ ବଳିଷ୍ଠ ଓ ସମୟ ଚିତ୍ତ ନିର୍ଦ୍ଦେଶନା ଓ କଳାକାର ମାନଙ୍କ ନିଖୁଣ ଅଭିନୟ ଦ୍ଵାରା ମଂଚସ୍ଥ ଏହି ନାଟକ ଶେଷ ଯାଏଁ ଦର୍ଶକଙ୍କୁ ବାନ୍ଧି ରଖିବା ସହ ମନ ମୋହିଥିଲା । ଏଭଳି ଉଚ୍ଚ କୋଟିର ନାଟକ ହିଁ ଦର୍ଶକଙ୍କୁ ବାନ୍ଧି ରଖି ଚିରକାଳ ନାଟକ ବଞ୍ଚି ରହିବ ବୋଲି ଦର୍ଶକ ଓ ସମାଲୋଚକ ଗଣ ମତ ରଖିଥିଲେ । ନାଟକରେ କାହ୍ନୁ ମହାପାତ୍ର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିବା ବେଳେ ଆଲୋକ ଓ ମାର୍ଗଦର୍ଶକ ଭାବେ ଶାଶ୍ୱତୀ ସଂସ୍ଥାର ସଭାପତି ରାମଚନ୍ଦ୍ର ସାସମଲ ଦାୟିତ୍ୱ ନିର୍ବାହ କରିଥିଲେ । ସୁନୀଲ କୁମାର ସ୍ୱାଇଁ ମଂଚ ପରିଚାଳନା କରିଥିବା ବେଳେ ବ୍ରହ୍ମପୁର ଜଗନ୍ନାଥ ଚିତ୍ରାଳୟ ବେଶ ସଜ୍ଜା କରିଥିଲେ । ନାଟକରେ ପ୍ରଦୀପ ପଣ୍ଡା,ଗିରିଜା ଶଙ୍କର ଦାଶ,ରାଜେଶ ନାୟକ,ସାଗର ପଣ୍ଡା, ସରୋଜ ପଣ୍ଡା,ମନୋଜ ରଥ,ବଳରାମ ମାଳି,ଚନ୍ଦନ ପାତ୍ର,ସୌମ୍ୟ ରଞ୍ଜନ,ଦଣ୍ଡ ନାୟକ,ଜଗଦୀଶ,ସସ୍ମିତା ରାଣୀ ରାଉତ,ପ୍ରିୟାଶା ନାୟକ ଓ କିଛି ନୃତ୍ୟ ଶିଳ୍ପୀ ଅଭିନୟ କରିଥିଲେ । ନାଟକରେ ଇଂ.ଅକ୍ଷୟ ମହାନ୍ତି,କୈଳାସ ପାଣିଗ୍ରାହୀ ଓ ଇଂ.ମନୋଜ ଦାଣ୍ଡପାଟ ବିଶେଷ ସହଯୋଗ କରିଥିଲେ ।

ad-week
Leave A Reply

Your email address will not be published.