
ଫୁଲବାଣୀ : କନ୍ଧମାଳ ଜିଲ୍ଲା ବିଗତ ଦିନ ମାନଙ୍କରେ ମାତୃ ଓ ଶିଶୁ ମୃତ୍ୟୁ ହାରରେ ଆଗରେ ଥିବାବେଳେ ସରକାରଙ୍କର ବିଭିନ୍ନ ଯୋଜନା ମାଧ୍ୟମରେ ଏହାକୁ ପ୍ରତିହିତ କରିବାକୁ ପ୍ରୟାସ ଜାରି ରଖିଛନ୍ତି । ଜିଲ୍ଲାରେ ଜିଲ୍ଲା ପ୍ରଶାସନ ଓ ଜାତୀୟ ସ୍ୱାସ୍ଥ୍ୟ ମିଶନ୍ଙ୍କ ବିଭିନ୍ନ ପ୍ରୟାସ ଫଳପ୍ରଦ ହୋଇଛି । ଏଥି ମଧ୍ୟରୁ “ମା” ଗୃହ କାର୍ଯ୍ୟକ୍ରମ ହେଉଛି ଅନ୍ୟତମ । ଏହି ପରିପ୍ରେକ୍ଷୀରେ ସ୍ବେଚ୍ଛାସେବୀ ଅନୁଷ୍ଠାନ ସ୍ବାତୀ ଓ ଜିଲ୍ଲା ସ୍ବାସ୍ଥ୍ୟ ସମୀତି କନ୍ଧମାଳ ଙ୍କ ମିଳିତ ସହଯୋଗରେ ଫୁଲବାଣୀ ବ୍ଳକ ର କଟ୍ରିଙ୍ଗିଆ ଠାରେ ଥିବା “ମା” ଗୃହ ର ପ୍ରତିଷ୍ଠା ଦିବସରେ “ସୁରକ୍ଷିତ ମାତୃତ୍ଵ ରେ ମା’ ଗୃହର ଭୂମିକା” ଶୀର୍ଷକ ଏକ ଆଲୋଚନା ଚକ୍ର ଆୟୋଜିତ ହୋଇଯାଇଛି । କାର୍ଯ୍ୟକ୍ରମରେ ସ୍ଥାନୀୟ ସରପଂଚ ପ୍ରତିଭା କହଁର ମୂଖ୍ୟ ଅତିଥିଭାବେ ଯୋଗଦେଇ ମା ଗୃହର ସେବା କିପରି ଗ୍ରାମାଂଚଳର ଗର୍ଭବତୀ ଓ ପ୍ରସୂତୀ ମାନଙ୍କୁ ସହାୟକ ହେଉଛି ତାହା ବଖାଣିଥିଲେ । ତତ୍ ସହିତ, ତୁଡିପାକୁ ଗ୍ରାମପଂଚାୟତର ସରପଂଚ କୈାଶଲ୍ୟା କହଁର ଓ ଜାମଝରୀ ସରପଂଚ ଲଳିତା କହଁର ଉପସ୍ଥିତ ରହି ଗ୍ରାମ୍ୟ ସ୍ତରରେ ମହିଳାମାନଙ୍କୁ ଓ ସେମାନଙ୍କ ପରିବାରକୁ ଆହୁରି ସଚେତନତାର ଆବଶ୍ୟକତା ରହିଛି ବୋଲି କହିଥିଲେ । ଏଥିସହ କମ୍ୟୁନିଟି ହେଲଥକର୍ମୀ ବିଶ୍ୱଜିତ ପ୍ରତାପ ସାହୁ ଓ ମୀରା ସାହୁ ଉପସ୍ଥିତ ରହି କିପରି ମାଗୃହର କର୍ମକର୍ତା ଗର୍ଭବତୀ ମାନଙ୍କର ସୁରକ୍ଷିତ ମାତୃତ୍ଵ ପ୍ରତି ଧ୍ୟାନ ଦେଉଛନ୍ତି ଓ ସେମାନଙ୍କର ଦେଖାରଖା କରାଯାଉଛି ତାହା ଉପସ୍ଥାନ କରିଥିଲେ । ଆହୁରି ମଧ୍ୟ ସ୍ଥାନୀୟ ପୁରୁଷ ସ୍ୱାସ୍ଥ୍ୟ କର୍ମୀ ପ୍ରଶନ ପ୍ରଧାନ ଓ ମହିଳା ସ୍ୱାସ୍ଥ୍ୟ କର୍ମୀ ବିଜୟ ଲକ୍ଷ୍ମୀ ବେହେରା ମା’ ଗୃହ ସେବା ବିଷୟରେ ଆଲୋକପାତ କରିଥିଲେ । କଟ୍ରିଙ୍ଗିଆ ସ୍ୱାସ୍ଥ୍ୟ କେନ୍ଦ୍ରର ମହିଳା ସ୍ଵାସ୍ଥ୍ୟ ପରିଦର୍ଶିକା ସୁକାନ୍ତ ପ୍ରଧାନ ତାଙ୍କ ବକ୍ତବ୍ୟ ରେ ପଂଚାୟତ ପ୍ରତିନିଧି ମାନଙ୍କୁ ଗାଁ ସ୍ତରରେ ସଚେତନତା ବଢାଇବା ଦିଗରେ ଅନ୍ୟ ଆଗଧାଡିର କର୍ମକର୍ତା ଙ୍କୁ ସହଯୋଗ କରିବା ନିମନ୍ତେ ଅନୁରୋଧ କରିଥିଲେ ଏବଂ ଅନୁଷ୍ଠାନ ର କାର୍ଯ୍ୟକ୍ରମ ଓ ମା’ ଗୃହର କର୍ତବ୍ୟ ବିଷୟରେ ଏକ ସୁନ୍ଦର ଗୀତ ନିଜେ ରଚନା କରି ଗାନ କରିଥିଲେ । ପ୍ରତିଷ୍ଠା ଦିବସ ଅବସରରେ ସଂଯୋଜକ ବିଶ୍ୱରଞ୍ଜନ କର ଆଜିପର୍ଯ୍ୟନ୍ତ ସେବା ମାଧ୍ୟମରେ ୮୦୦ ର ଅଧିକ ଗର୍ଭବତୀ ମାନଙ୍କର ମା ଗୃହ ତରଫରୁ ସୁରକ୍ଷିତ ପ୍ରସବ ଜନିତ ସେବା ଯୋଗାଇ ଦିଆଯାଇଛି ବୋଲି ତାଙ୍କ ରିପୋର୍ଟରେ ଦର୍ଶାଇଥିଲେ ।ସ୍ବାତୀ ଅନୁଷ୍ଠାନ ର କୋଷାଧକ୍ଷ ସାନ୍ତନୁ କୁମାର ମିଶ୍ର ଯୋଗ ଦେଇ ସମସ୍ତ ଅତିଥି ମାନଙ୍କୁ ଧନ୍ୟବାଦ ଦେବା ସହ, ସମସ୍ତ ଆଗଧାଡିର ସ୍ୱାସ୍ଥ୍ୟ କର୍ମୀ ଓ ଅଙ୍ଗନବାଡି, ଆଶା କର୍ମୀ ମାନଙ୍କୁ ତାଙ୍କର ସହଯୋଗପାଇଁ ମଧ୍ୟ ସାଧୁବାଦ ଜଣାଇଥିଲେ । ସମନ୍ବିତ ଶିଶୁବିକାଶ ପ୍ରକଳ୍ପ ଫୁଲବାଣୀ ଙ୍କ ତରଫରୁ ମହିଳା ପରିଦର୍ଶିକା ଅଳକା ମହାନ୍ତି ମମତା ଦିବସରେ ଚିହ୍ନିତ ହେଉଥିବା ଆଶନ୍ନ ପ୍ରସବା ମହିଳା ମାନଙ୍କୁ ମା’ ଗୃହ ରେ ଅବସ୍ଥାପିତ କରିବା ପାଇଁ ବିଭିନ୍ନ ଚେଷ୍ଟା କରିଯାଉଥିଲେ ବି କେତେକାଂଶ ରେ ଅନ୍ଧ ବିଶ୍ଵାସ ଓ କୁସଂସ୍କାର କୁ ପାଥେୟ କରି ଆସୁନଥିବା ମହିଳା ମାନଙ୍କୁ ଆଣିବାରେ ପଂଚାୟତ ପ୍ରତିନିଧି ମାନଙ୍କର ଭୂମିକା ଗୁରୁତ୍ବ ପୂର୍ଣ୍ଣ ବୋଲି କହିଥିଲେ । କାର୍ଯ୍ୟକ୍ରମ ପରିଚାଳନା ରେ ସସ୍ମିତା ବେହେରା, ଗୀତାଞ୍ଜଳୀ ମୁଖି, ରାମେଶ୍ଵରୀ ଦିଗାଲ, ସୁଲୋଚନା ପ୍ରଧାନ ଓ ସାମନ୍ତ ଦିଗାଲ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।