ଉତ୍କଳ ବିଶ୍ୱବିଦ୍ୟାଳୟ ମନସ୍ତତ୍ତ୍ୱ ବିଭାଗ ଓ କ୍ୟାପିଟାଲ ହସ୍ପିଟାଲ, ଭୁବନେଶ୍ୱର ମଧ୍ୟରେ ଚୁକ୍ତି ସ୍ୱାକ୍ଷରିତ

youtube


ଓଡ଼ିଶାରେ ଜନସ୍ୱାସ୍ଥ୍ୟ ଏବଂ ମାନସିକ ସ୍ୱାସ୍ଥ୍ୟକୁ ପ୍ରାଥମିକତା ଦେଉଥିବା ଦୁଇଟି ଅଗ୍ରଣୀ ଅନୁଷ୍ଠାନ ଏକାଠି ହୋଇ ଏହି କ୍ଷେତ୍ରରେ ଆଗକୁ ବଢିବା ପାଇଁ ପଦକ୍ଷେପ


ଭୁବନେଶ୍ୱର: ଡାକ୍ତରୀ ଶିକ୍ଷା ଏବଂ ଅନୁସନ୍ଧାନର ସ୍ନାତକୋତ୍ତର ପ୍ରତିଷ୍ଠାନ ତଥା ରାଜଧାନୀ ଚିକିତ୍ସାଳୟ ଓ ଉତ୍କଳ ବିଶ୍ୱବିଦ୍ୟାଳୟର ମନସ୍ତତ୍ତ୍ବ ବିଭାଗ ମଧ୍ୟରେ ଏକ ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଯାଇଛି। ଆଜି ଉତ୍କଳ ବିଶ୍ୱବିଦ୍ୟାଳୟ କୁଳପତିଙ୍କ ସମ୍ମିଳନୀ କକ୍ଷରେ ଗବେଷଣା ଓ ଆନ୍ତଃ-ଶିକ୍ଷା ବିନିମୟ ଆଭିମୁଖ୍ୟ ନେଇ ଏହି ଚୁକ୍ତି ସ୍ବାକ୍ଷରିତ ହୋଇଛି। ଉତ୍କଳ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ, ଆଇକ୍ୟୁଏସି ନିର୍ଦେଶକ ପ୍ରଫେସର ନିଗମାନନ୍ଦ ଦାସ ଓ କୁଳସଚିବ ଡ. ଅଭୟ କୁମାର ନାୟକଙ୍କ ସମେତ ଡାକ୍ତରୀ ଶିକ୍ଷା ଏବଂ ଅନୁସନ୍ଧାନର ସ୍ନାତକୋତ୍ତର ପ୍ରତିଷ୍ଠାନ ତଥା ରାଜଧାନୀ ଚିକିତ୍ସାଳୟ ନିର୍ଦେଶକ ପ୍ରଫେସର ନିବେଦିତା ପାଣିଙ୍କ ଉପସ୍ଥିତିରେ ସ୍ବାକ୍ଷରିତ ହୋଇଥିବା ଏହି ଚୁକ୍ତି ଅନୁଯାୟୀ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଶିକ୍ଷା ଓ ଗବେଷଣା ବିନିମୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଯାହା ଆନ୍ତବିଷୟକ ଅଧ୍ୟୟନ ଓ ଗବେଷଣାରେ ଛାତ୍ରଛାତ୍ରୀଙ୍କ ପାଇଁ ଉପାଦେୟ ସାବ୍ୟସ୍ତ ହେବ।
ଓଡ଼ିଶାରେ ଜନସ୍ୱାସ୍ଥ୍ୟ ଏବଂ ମାନସିକ ସ୍ୱାସ୍ଥ୍ୟକୁ ପ୍ରାଥମିକତା ଦେଉଥିବା ଦୁଇଟି ଅଗ୍ରଣୀ ଅନୁଷ୍ଠାନ ଏକାଠି ଆଗକୁ ବଢିବା ଅତ୍ୟନ୍ତ ପ୍ରଶଂସନୀୟ। ଏହି ସହଯୋଗ ପାରସ୍ପରିକ ଭାବେ ଲାଭଦାୟକ ହେବ ଏବଂ ସହଭାଗୀତା କାର୍ୟ୍ୟକ୍ରମକୁ ସୁଗମ କରିବା ପାଇଁ ବିଶ୍ୱବିଦ୍ୟାଳୟ ପକ୍ଷରୁ ସମସ୍ତ ପ୍ରକାର ସହୟୋଗ ଯୋଗାଇ ଦିଆଯିବ ବୋଲି ସୂଚନା ଦିଆଯାଇଥିଲା।
କାର୍ଯ୍ୟକ୍ରମରେ ଉତ୍କଳ ବିଶ୍ବବିଦ୍ୟାଳୟ ମନସ୍ତତ୍ତ୍ବ ବିଭାଗ ମୁଖ୍ୟ ପ୍ରଫେସର ଭାଶ୍ବତୀ ପଟ୍ଟନାୟକ, ରାଜଧାନୀ ଚିକିତ୍ସାଳୟ ଅଧିକ୍ଷକ ପ୍ରଫେସର ସୂଜାତା ମିଶ୍ର, ଅତିରିକ୍ତ ନିର୍ଦେଶକ ଲକ୍ଷ୍ମୀଧର ସାହୁ ପ୍ରମୁଖ ଯୋଗଦେଇଥିଲେ।

Leave A Reply

Your email address will not be published.