
ମାଲକାନଗିରି : ମାଲକାନଗିରି ଜିଲ୍ଲାରେ ଗତ ତିନି ଦିନ ଧରି ଲଗାଣ ବର୍ଷା ଲାଗିରହିଥିବା ବେଳେ ଜିଲ୍ଲା ର ଅଧିକାଂଶ ଅଂଚଳ ବାହ୍ୟ ଜଗତରୁ ବିଛିନ୍ନ ହୋଇ ରହିଛି । ଆଜି ପ୍ରବଳ ବର୍ଷା ଯୋଗୁଁ ଜିଲ୍ଲାର କୋରୁକୋଣ୍ଡା ବ୍ଲକ ଅନ୍ତରଗତ ନାକାମାମୁଡ଼ି ଗ୍ରାମପଞ୍ଚାୟତର ବାୟାପଡା ଘାଟି ରେ ଭୁସ୍କଳନ ହୋଇଛି । ଯାହା ଫଳରେ ପଞ୍ଚାୟତର ବାୟାପଡ଼ା ସମେତ ୧୯ଟି ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଇଛି । ବାୟାପଡା ଘାଟି ଅଞ୍ଚଳରେ ବସବାସ କରୁଥିବା ଗାଁ ଗୁଡ଼ିକର ଲୋକ ମାନେ ଏହି ଘାଟି ରାସ୍ତା ଦେଇ ଯିବା ଆସିବା କରନ୍ତି। ଗତ୨ ବର୍ଷ ତଳେ ପାହାଡ କଟାଯାଇ ଘାଟିରେ ଏହି ରାସ୍ତା ତିଆରି କରାଯାଇଥିଲା।ଭୂସ୍ଖଳନ ହେବା ଯୋଗୁ ପାହାଡରୁ ମାଟି ଓ ପଥର ଧସେଇ ଆସି ରାସ୍ତା ଉପରେ ପଡ଼ିଛି। ଯାହାଫଳରେ ଯୋଗାଯୋଗ ବିଛିନ୍ନ ହୋଇଯାଇଛି। ବର୍ଷା ଲାଗି ରହିଥିବାରୁ ପ୍ରଶାସନ ପକ୍ଷରୁ ଏହାକୁ ସଫା କରାଯାଇ ପାରିନାହିଁ। ଯାହାଫଳରେ ୧୯ଟି ଗାଁର ଲୋକେ ଏକ ପ୍ରକାର ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଇଛନ୍ତି।