
ମାଲକାନଗିରି, (୯।୮) : ଆଜି ହେଉଛି ବିଶ୍ବ ଆଦିବାସୀ ଦିବସ । ଏହି ଅବସରରେ ମାଲକାନଗିରି ଜିଲ୍ଲା ଆଦିବାସୀ ମହାସଂଘ ପକ୍ଷରୁ ଆଜି ଏହି ଦିବସକୁ ବେଶ ଧୁମ ଧାମରେ ପାଳନ କରାଯାଇଛି । ମାଲକାନଗିରି ଜିଲ୍ଲାରେ ବସ ବାସ କରୁଥିବା ୩୨ ଟି ପ୍ରଜାତିର ଆଦିବାସି ଲୋକେ ଆଜି ଏକତ୍ରିତ ହୋଇ ନିଜର ହକ୍ ପାଇଁ ବିଶାଳ ସମାବେଶ କରିଥିଲେ । ବଣ୍ଡା, କୋୟା, ଡିଡାଇ, ପରଜା, ହାଲବା ଓ ଗାଦବା ପରି ମାଲକାନଗିରି ଜିଲ୍ଲାରେ ମୋଟ ମୋଟ ୩୨ ଟି ପ୍ରଜାତିର ଆଦିବାସି ଲୋକେ ରହୁଛନ୍ତି । ଏମାନଙ୍କ ବେଶ ଭୁଷା ଓ ଜୀବନ ଧାରଣ ଶୈଳି ଭିନ୍ନ ଭିନ୍ନ ରହିଛି । ବିଶ୍ବ ଆଦିବାସି ଦିବସ ଉପଲକ୍ଷେ ଜିଲ୍ଲାର ସମସ୍ତ ବର୍ଗର ଆଦିବାସି ମାନେ ଆଜି ଏକତ୍ରିତ ହୋଇଥିଲେ । ନିଜ ନିଜର ପାରମ୍ପାରିକ ବେଶ ଭୁଷାରେ ସଜ୍ଜିତ ହୋଇ ହାତରେ ପାରମ୍ପାରିକ ଅସ୍ତ୍ର ନେଇ ଶୋଭାଯାତ୍ରାରେ ସାମିଲ ହୋଇଥିଲେ । ଏହି ଅବସରରେ ଜିଲ୍ଲା ସଦରରେ ଥିବା ବସଷ୍ଟାଣ୍ଡରେ ନିର୍ମିତ ବାବା ସାହେବ ଆମ୍ବେଦକରଙ୍କ ମୂର୍ତ୍ତିରେ ପୁଷ୍ପମଲି ଦେଇ ଏକ ବିଶାଳ ଶୋଭାଯାତ୍ରାରେ ହଜାର ହଜାର ଲୋକେ ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ଅଭିମୁଖେ ବାହାରିଥିଲେ । ହେଲେ ଆଦିବାସି ଲୋକେ ରାଷ୍ଟ୍ରପତିଙ୍କ ଉଦ୍ୟେଶରେ ଏକ ଦାବିପତ୍ର ପ୍ରଦାନ କରିବା ଲାଗି ଆସିଥିବା ବେଳେ ନିଜେ ଜିଲ୍ଲାପାଳ ଏହାକୁ ଗ୍ରହଣ କରିବାକୁ ଆସିନଥିବାରୁ ଆଦିବାସି ଲୋକେ କିଛି ସମୟ ଲାଗି ୩୨୬ ନମର ଜାତିୟ ରାଜପଥ ଅବରୋଧ କରିବା ସହ ଆନ୍ଦୋଳନ ମଧ୍ୟ କରିଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ଆଦିବାସୀ ସଙ୍ଗଠନ ଓ ସମାଜର ଲୋକେ ଉପସ୍ଥିତ ଥିଲେ ।