
ଫୁଲବାଣୀ : ଭାରତବର୍ଷର ସ୍ଵାଧୀନତା ଲୁହ ଓ ଲହୁର ଇତିହାସ, ତ୍ୟାଗ ଓ ବଳିଦାନର ଇତିହାସ । ଦେଶର ଅନେକ ସଂଗ୍ରାମୀଙ୍କୁ ଆତ୍ମବିସର୍ଜନ କରିବାକୁ ପଡ଼ିଛି । ଯେଉଁ ମହାନ୍ ଦେଶଭକ୍ତମାନେ ଜାତୀୟ ସଂଗ୍ରାମରେ ସାମିଲ ହୋଇ ନିଜ ଜୀବନକୁ ତିଳତିଳ କରି ଦେଶ ଓ ଜାତି ଉଦ୍ଦେଶ୍ୟରେ ଉତ୍ସର୍ଗ କରିଯାଇଛନ୍ତି ସେହି ମହାମନୀଷୀ ମାନଙ୍କୁ ପ୍ରଣାମ ଜଣାଇବା ସହିତ ରାଷ୍ଟ୍ରପିତା ମହାତ୍ମାଗାନ୍ଧୀ, ନେତାଜୀ ସୁଭାଷ ଚନ୍ଦ୍ର ବୋଷ, ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ, ଡଃ ବି.ଆର. ଅମ୍ବେଦକର, ଉତ୍କଳମଣି ଗୋପବନ୍ଧୁ ଦାସ, ଶହୀଦ ଲକ୍ଷ୍ମଣ ନାୟକ, ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଏବଂ ଆହୁରି ଅନେକ ସଂଗ୍ରାମୀ ମାନଙ୍କ ଉଦ୍ଦେଶ୍ୟରେ ଓଡ଼ିଶାର ମାନ୍ୟବର ଅନୁସୂଚୀତ ଜନଜାତି ଓ ଜାତି ଉନ୍ନୟନ, ସଂଖ୍ୟା ଲଘୁ ଓ ପଛୁଆ ବର୍ଗ କଲ୍ୟାଣ, ଆଇନ ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସାରକା ଜିଲ୍ଲା ସ୍ତରୀୟ ୭୭ ତମ ସ୍ବାଧୀନତା ଦିବସ ପାଳନ ଅବସରରେ ଫୁଲବାଣୀଠାରେ ତାଙ୍କର ଭକ୍ତିପୁତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।ସ୍ଥାନୀୟ ରିଜର୍ଭ ପୋଲିସ୍ ପଡ଼ିଆରେ ଆୟୋଜିତ ଜିଲ୍ଲା ସ୍ତରୀୟ ସମାରୋହରେ ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ସାରକା ମୁଖ୍ୟ ଅତିଥିଭାବେ ଜାତୀୟ ପତାକା ଉତ୍ତୋଳନ କରି ଅଭିବାଦନ ଗ୍ରହଣ କରିବା ସହିତ ତ୍ୟାଗ, ତପସ୍ୟା ଓ ବଳିଦାନର ପୂଣ୍ୟପୀଠ କନ୍ଧମାଳ ଜିଲ୍ଲାର ଭାଇ ଭଉଣୀମାନଙ୍କୁ ତାଙ୍କର ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି। ସ୍ବାଧୀନତା ଆନ୍ଦୋଳନରେ କନ୍ଧମାଳ ଜିଲ୍ଲାର ଅବଦାନ ଅନନ୍ୟ ।ଏହି ଜିଲ୍ଲାର କୃତି ସନ୍ତାନ ସ୍ବାଧୀନତା ସଂଗ୍ରାମୀ ଶତୃଘ୍ନ ପ୍ରଧାନ ଏବଂ କୋରାପୁଟରେ ଜନ୍ମ ହୋଇ କନ୍ଧମାଳକୁ କର୍ମଭୂମି ଭାବେ ବାଛି ନେଇଥିବା ସ୍ଵାଧୀନତା ସଂଗ୍ରାମୀ ବିଶ୍ଵନାଥ ପଟ୍ଟନାୟକ ପ୍ରମୁଖ ସ୍ବାଧୀନତା ଆନ୍ଦୋଳନରେ ନିଜକୁ ସାମିଲ କରି ଏ ମାଟିକୁ ଗୌରାବାନ୍ବିତ କରିଛନ୍ତି। କନ୍ଧମେଳିର ନେତୃତ୍ବ ନେଇଥିବା ବୀରପୁତ୍ରମାନଙ୍କୁ ଜନ୍ମଦେଇ କନ୍ଧମାଳ ମାଟି ଧନ୍ୟ ହୋଇଛି ବୋଲି ମାନ୍ୟବର ମନ୍ତ୍ରୀ ଶ୍ରୀ ସାରକା କହିଥିଲେ ।
ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଆଜି ଆମ ରାଜ୍ୟ ବିକାଶର ନୂଆ ସୋପାନ ଛୁଇଁଛି । ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା, ମିଶନଶକ୍ତି, ବିଦ୍ୟାଳୟ ରୂପାନ୍ତରଣ, ବିଜୁ ପକ୍କାଘର,ବସ୍ତି ଉନ୍ନତି କରଣ,ମୋ ସ୍କୁଲଅଭିଯାନ, କୃଷକ ଓଡ଼ିଶା, ଜାଗା ମିଶନ, ସୌରଚାଳିତ ଜଳଯୋଗାଣ ପ୍ରକଳ୍ପ, ସୂଚନା ଓ ପ୍ରଯୁକ୍ତି ବିଦ୍ୟା, କ୍ରୀଡ଼ା ଭିତ୍ତିଭୂମିର ବିକାଶ, ଐତିହ୍ୟ ପୀଠର ଉନ୍ନତିକରଣ ଇତ୍ୟାଦି କ୍ଷେତ୍ରରେ ଆମ ରାଜ୍ୟ ସର୍ବଭାରତୀୟ କ୍ଷେତ୍ରରେ ଗର୍ବ ଓ ଗୌରବ ଆଣିପାରିଛି । ରାଜ୍ୟର ଅନୁସୂଚୀତ ଜନଜାତି ଓ ଅନୁସୂଚୀତ ଜାତି, ସଂଖ୍ୟା ଲଘୁ ଓ ପଛୁଆବର୍ଗର ଶୈକ୍ଷିକ, ସାମାଜିକ ଓ ଅର୍ଥନୈତିକ ବିକାଶ ନିମନ୍ତେ ଆମ ସରକାର ସର୍ବଦା ଯତ୍ନଶୀଳ । ରାଜ୍ୟର ଅନୁସୂଚୀତ ଜନଜାତି ଓ ଅନୁସୂଚୀତ ଜାତି ବର୍ଗର ଛାତ୍ରଛାତ୍ରୀଙ୍କ ପାଇଁ ଗୁଣାତ୍ମକ ଶିକ୍ଷା ନିମନ୍ତେ ଅନ୍ଵେଷା ଓ ଆକାଂକ୍ଷା ଯୋଜନା କାର୍ଯ୍ୟକାରୀ ହେଉଛି । ନିକଟରେ ମୋ ଜଙ୍ଗଲ ଜମି ଯୋଜନାକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଲୋକାର୍ପଣ କରିଛନ୍ତି ବୋଲି ଶ୍ରୀ ସାରକା କହିଥିଲେ। ଉକ୍ତ ଉତ୍ସବରେ ୨୮ ଗୋଟି ପ୍ଲାଟୁନ, ୨୮ ଜଣ ପ୍ଲାଟୁନ୍ କମାଣ୍ଡର ଓ ୨୩ ଜଣ ଫ୍ଲାଗ୍ ବିଅରର ଏବଂ ପୋଲିସ୍ ବ୍ୟାଣ୍ଡ ବାହିନୀର ଗୋଟିଏ ଦଳ ଭାଗ ନେଇଥିଲେ । ସେଥିମଧ୍ୟରୁ ୯ ଗୋଟି ଶ୍ରେଷ୍ଠ ଦଳକୁ ମୁଖ୍ୟ ଅତିଥିଙ୍କ ଦ୍ୱାରା ଟ୍ରଫି ପ୍ରଦାନ କରାଯାଇଥିଲା।
ଅଭିବାଦନ ମଞ୍ଚରେ ମୁଖ୍ୟ ଅତିଥୁଙ୍କ ସହିତ କନ୍ଧମାଳ ଜିଲ୍ଲାପାଳ ଆଶିଷ ଇଶ୍ଵର ପାଟିଲ ଏବଂ କନ୍ଧମାଳ ଆରକ୍ଷୀ ଅଧୀକ୍ଷକ ଶୁଭେନ୍ଦୁ କୁମାର ପାତ୍ର ଉପସ୍ଥିତ ଥିଲେ । ମଞ୍ଚ ନିକଟରେ ଜନ ପ୍ରତିନିଧୂ, ସରକାରୀ ଅଧିକାରୀ,ସ୍ଥାନୀୟ ଜନସାଧାରଣ,ଗଣମାଧ୍ୟମର ପ୍ରତିନିଧିମାନେ ଉପସ୍ଥିତ ଥିଲେ।