ଗୁରୁଙ୍କ ମଧ୍ୟରେ ଅନ୍ତର୍ନିହିତ ଈଶ୍ୱରଙ୍କ ସତ୍ତାକୁ ଅନୁଭବ କରି କାର୍ଯ୍ୟରେ ଲଗାଇ ପାରିଲେ ଜୀବନରେ ସଫଳତା ପାଇବା ଅବଶ୍ୟମ୍ଭାବୀ
ଭୁବନେଶ୍ବର: ସମାଜକୁ ଦିଗ୍ଦର୍ଶନ ଦେଇ ସତ୍ ମାର୍ଗରେ ନେବା, ସମାଜର କଲ୍ୟାଣ ସାଧନ, ସାମାଜିକ ମୂଲ୍ୟବୋଧର ସୁରକ୍ଷା, ଜ୍ଞାନ, ବୁଦ୍ଧି ଏବଂ ଉତ୍ସୁକତାକୁ ଅବଦମିତ କରିବାକୁ ନଦେବା, ଆଦର୍ଶ ଶିକ୍ଷକମାନଙ୍କର ଧର୍ମ। ନିଃସନ୍ଦେହରେ ଏହି ଧରଣର ଶିକ୍ଷକଙ୍କୁ ସମ୍ମାନ ଦେବା, ଆଦର କରିବା, ସେମାନଙ୍କର ଆବଶ୍ୟକତା ପ୍ରତି ଦୃଷ୍ଟି ଦେବା ଏବଂ ସମାଜରେ ସେମାନଙ୍କ ପାଇଁ ସର୍ବୋଚ୍ଚ ସ୍ଥାନ ସୁରକ୍ଷିତ କରିବା ମଧ୍ୟ ଆଦର୍ଶ ସମାଜର ମୌଳିକ ଲକ୍ଷ୍ୟ ହେବା ଆବଶ୍ୟକ। ରାଷ୍ଟ୍ର ଗଠନରେ ଶିକ୍ଷକଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ। ଶିକ୍ଷକଙ୍କ ନୀତି, ଆଦର୍ଶ, ଅନୁଶାସନ ଓ ନିଷ୍ଠାକୁ ବିଦ୍ୟାର୍ଥୀ ଅନୁସରଣ କଲେ ସେମାନେ ସଫଳତା ପାଇପାରିବେ। ଆମ ଶାସ୍ତ୍ର, ପରମ୍ପରାରେ ଗୁରୁଙ୍କୁ ସର୍ବୋଚ୍ଚ ଆସନରେ ବିରାଜମାନ କରାଯାଇଛି। ରାମାୟଣ ପୌରାଣିକ ଗାଥାରେ ମହର୍ଷି ବିଶ୍ବାମିତ୍ରଙ୍କ ଚରିତ୍ର, ମହାଭାରତରେ ଗୁରୁ ଦ୍ରୋଣାଚାର୍ଯ୍ୟଙ୍କ ଭୂମିକା ଯୁଗେ ଯୁଗେ ପୂଜନୀୟ। ପ୍ରାଚୀନ ସମୟରୁ ଆଜିର ସ୍ମାର୍ଟ ଶତାବ୍ଦୀରେ ପହଞ୍ଚି ସୁଦ୍ଧା ଆମେ ଗୁରୁ ପୂଜାକୁ ପାସୋରିନାହୁଁ। ପରମ୍ପରା ଅନୁସାରେ ଆଜି ବି ସାରା ଦେଶରେ ଗୁରୁଙ୍କ ଆଶୀର୍ବାଦକୁ ପାଥେୟ କରି ଅନେକ ନିଜକୁ ସଫଳତାର ଅନ୍ତିମ ସୋପାନରେ ପହଞ୍ଚାଇବାରେ ସକ୍ଷମ ହୋଇଛନ୍ତି ବୋଲି ବକ୍ତମାନେ କହିଛନ୍ତି।
ଉତ୍କଳ ବିଶ୍ବବିଦ୍ୟାଳୟ ସମ୍ବାଦିକତା ଓ ଗଣଯୋଗାଯୋଗ ଏବଂ ଲୋକ ପ୍ରଶାସନ ବିଭାଗର ମିଳିତ ଆନୁକୂଲ୍ୟରେ ପାରମ୍ପରିକ ରୀତିନୀତିରେ ଗୁରୁଦିବସ ପାଳିତ ହୋଇଯାଇଛି। ସାମ୍ବାଦିକତା ଓ ଗଣଯୋଗାଯୋଗ ସଂଯୋଜିକା ତଥା ଲୋକ ପ୍ରଶାସନ ବିଭାଗ ମୁଖ୍ୟ ଡ. ପ୍ରତିମା ଷଡ଼ଙ୍ଗୀ କାର୍ଯ୍ୟକ୍ରମକୁ ଉଦଘାଟନ ସହ ଡ.ରାଧାକୃଷ୍ଣନ୍ଙ୍କ ଭାରତୀୟ ସଂସ୍କୃତି ଓ ଶିକ୍ଷାଦାନ ପ୍ରତି ଅବଦାନ ତଥା ଗୁରୁ ପରମ୍ପରାର ସମ୍ୟକ୍ ଆଲୋଚନା ସୂଚନା ଦେଇଥିଲେ। ଗୁରୁଙ୍କ ମଧ୍ୟରେ ଅନ୍ତର୍ନିହିତ ଈଶ୍ୱରଙ୍କ ସତ୍ତାକୁ ଅନୁଭବ କରି କାର୍ଯ୍ୟରେ ଲଗାଇ ପାରିଲେ ଜୀବନରେ ସଫଳତା ପାଇବା ଅବଶ୍ୟମ୍ଭାବୀ ବୋଲି ପ୍ରକାଶ କରିଥିଲେ।
ଅନ୍ୟମାନଙ୍କ ମଧ୍ୟରେ ଲୋକ ପ୍ରଶାସନ ବିଭାଗର ସହକାରୀ ପ୍ରଫେସର ଜ୍ୟୋତିର୍ମୟୀ ଟୁଡୁ ଓ ହେମନ୍ତ କୁମାର ଦାଶ, ଆଦିତ୍ୟ ବିର୍ଲା ଗ୍ରୁପ ଉପସଭାପତି ଡ.ବିଭୁଦତ୍ତ ମହାପାତ୍ର, ସାମ୍ବାଦିକତା ଓ ଗଣଯୋଗାଯୋଗ ଗବେଷକ ମନୋରଞ୍ଜନ ପଣ୍ଡା ପ୍ରମୁଖ ବକ୍ତବ୍ୟ ରଖିଥିଲେ। ଛାତ୍ରୀ ସୋନାଲୀ ତ୍ରିପାଠୀ କାର୍ଯ୍ୟକ୍ରମ ସଞ୍ଚାଳନ କରିଥିବାବେଳେ ଶୁଭସ୍ମିତା ଜେନା ଧନ୍ୟବାଦ ଦେଇଥିଲେ। ସେମିନାର ସେକ୍ରେଟାରୀ ସତ୍ୟବ୍ରତ ପ୍ରଧାନ ଓ ତାରିଣୀ ପ୍ରସାଦ ନାୟକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
