
ଦାରିଙ୍ଗବାଡି (୧୯/୯) : ସିମନବାଡ଼ି ପଞ୍ଚାୟତରେ ଚାଲିଛି ସ୍ବାମୀ ଶାସନ । ସରପଞ୍ଚ ଙ୍କ ସ୍ବାମୀ ସମସ୍ତ କାର୍ଯ୍ୟରେ ହସ୍ତକ୍ଷେପ କରୁଥିବା ବେଳେ ପଞ୍ଚାୟତରେ ଅନେଇ ଦୁର୍ନୀତି ହୋଇଥିବା ନେଇ ୱାର୍ଡ ମେମ୍ବର ମାନେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣିରେ ଲିଖିତ ଅଭିଯୋଗ କରିଛନ୍ତି । ସିମନବାଡ଼ି ସରପଞ୍ଚ ଅମିତା ପ୍ରଧାନ ଙ୍କ ସ୍ବାମୀ ପରମେଶ୍ବର ପ୍ରଧାନ ପଞ୍ଚାୟତର ବଜାର ଗୃହ ଅକ୍ତିଆର କରି ପଞ୍ଚାୟତର ଅଫିସର କମ୍ପ୍ୟୁଟର, ପ୍ରିଣ୍ଟର, ଜେରକ୍ସ ମେସିନ, ଚୌକି ଓ ଟେବୁଲ୍ ଇତ୍ୟାଦି ବ୍ୟକ୍ତିଗତ ଭାବେ ବ୍ୟବହାର କରି ବ୍ୟବସାୟ କରୁଛନ୍ତି । ଏଥି ସହିତ କୋଭିଡ୍ ସମୟରେ କିଣା ଯାଇଥିବା ଜେନେରେଟର, ଇନଭର୍ଟର, ଗଦି, ପାଣି ଟାଙ୍କି ଆଦି ପଞ୍ଚାୟତ ଅଫିସରେ ନରଖି ଭଡ଼ା ଆକାରରେ ବ୍ୟବସାୟ କରିବା, ପ୍ରତ୍ୟେକ କାର୍ଯ୍ୟରେ ହସ୍ତଷେପ କରିବା, ପଞ୍ଚାୟତ କାର୍ଯ୍ୟରେ ଠିକାଦାର କରିବା ,କାର୍ଯ୍ୟ ନିମ୍ନ ମାନର କରିବା, ବିଲ ଭାଉଚର କିମ୍ବା ସୁପାରିଶ ପତ୍ରରେ ସରପଞ୍ଚ ବଦଳରେ ସ୍ବାମୀ ନକଲ ଦସ୍ତଖତ କରିବା, ନେଡିବାଡା ସାହି ପାଇଁ ଆସିଥିବା କୁଅ ସାହିରେ ନଖୋଳି ନିଜ ବାଡ଼ିରେ ଖୋଳି ବ୍ୟକ୍ତିଗତ ଭାବେ ବ୍ୟବହାର କରିବା ଭଳି ଅଭିଯୋଗ ହୋଇଛି । ଖାଲି ଯେ ସ୍ବାମୀ ଶାସନ ଚାଲିଛି ତାହା ନୁହେଁ ବରଂ ବହୁ ଦୁର୍ନୀତି ମଧ୍ୟ ହୋଇଥିବା ଅଭିଯୋଗ ହୋଇଛି । ମନରେଗା ଯୋଜନାରେ ୩ ଜଣ ମୃତ ବ୍ୟକ୍ତି କାର୍ଯ୍ୟ କରି ମଜୁରୀ ପାଇଥିଲେ ସୁଧା ତାହାର ଆଜି ପର୍ଯ୍ୟନ୍ତ ତଦନ୍ତ ନହେବା , ଡ୍ରେନ ସଫା କାର୍ଯ୍ୟରେ ଦୁର୍ନୀତି, ମନରେଗା ଯୋଜନାରେ ଅଲାରୀ ଗ୍ରାମରେ ସକପିଟ ଗୁଡ଼ିକ ସମ୍ପୂର୍ଣ୍ଣ ହୋଇଥିବା ନେଇ ମିଥ୍ୟା ବିଲ କରି ଲକ୍ଷାଧିକ ଟଙ୍କାର ଆତ୍ମସାତ କରିବା ଭଳି ଅଭିଯୋଗ କରିଥିଲେ । ଏହାର ସଠିକ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଜିଲ୍ଲାପାଳ ଙ୍କୁ ଅଭିଯୋଗ କରିଥିଲେ । ଅଭିଯୋଗ ଦେବା ସମୟରେ ନାଏବ ସରପଞ୍ଚ ଏସ.ସୁନିଲ କୁମାର ସୁବୁଦ୍ଧି ସହ ୱାର୍ଡ ମେମ୍ବର ଅମରେନ୍ଦ୍ର ପ୍ରଧାନ, ଆରତୀ ନାୟକ, ଶିଶିର ପ୍ରଧାନ, ରନିତା ଦିଗାଲ, ସାନ୍ତା ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।