‘ସ୍ଵଚ୍ଛତା ହିଁ ସେବା’ ଅଭିଯାନରେ ସାମିଲ ହେଲେ ରାଉରକେଲା ବାସୀ

add-all

୧୯ଟି ସ୍ଥାନରେ ଅନୁଷ୍ଠିତ ହେଲା ସଫେଇ କାର୍ଯ୍ୟକ୍ରମ

ରାଉରକେଲା (୦୧/୧୦) : ଇଣ୍ଡିଆନ ସ୍ଵଚ୍ଛତା ଲିଗର ‘ସ୍ଵଚ୍ଛତା ହିଁ ସେବା’ କାର୍ଯ୍ୟକ୍ରମ ଅଧୀନରେ ରାଉରକେଲା ବୁଲ ଟିମ ପକ୍ଷରୁ ସାମୁହିକ ସଫେଇ ଅଭିଯାନ ଅନୁଷ୍ଠିତ ହୋଇଯାଇଛି। ଆସନ୍ତା ଅକ୍ଟୋବର ୨ ତାରିଖ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଜନ୍ମବାର୍ଷିକୀ ପାଳନ କରାଯିବାକୁ ଥିବା ବେଳେ ଏହା ପୂର୍ବରୁ ସାରା ଦେଶରେ ରବିବାର ଦିନ ଏହି ‘ସ୍ଵଚ୍ଛତା ହିଁ ସେବା’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ପରିପ୍ରେକ୍ଷୀରେ ରାଉରକେଲା ମହାନଗର ନିଗମ (ଆରଏମସି) ତତ୍ତ୍ଵାବଧାନରେ ରାଉରକେଲା ବୁଲ ଟିମ ତରଫରୁ ସହରର ପ୍ରମୁଖ ୧୯ଟି ସ୍ଥାନରେ ସଫେଇ କାର୍ଯ୍ୟକ୍ରମ ଅୟୋଜନ କରାଯାଇଥିଲା। ସହରର ବିଭିନ୍ନ ଶିକ୍ଷାନୁଷ୍ଠାନ ସମେତ ସାମାଜିକ ଅନୁଷ୍ଠାନ, ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ତଥା ବ୍ୟକ୍ତିଗତ ଭାବେ ଜନସାଧାରଣ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇ ଏକ ଘଣ୍ଟା ଶ୍ରମଦାନ କରିଥିଲେ।

ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ତଥା ମହାନଗର ନିଗମ ଆୟୁକ୍ତ ଡାକ୍ତର ଶୁଭଙ୍କର ମହାପାତ୍ର ଏହି ଅଭିଯାନରେ ସାମିଲ ହୋଇଥିଲେ। ସେ ସହରର ଡିଏଭି ଛକ ସହ ଛେଣ୍ଡ ସ୍ଥିତ ଭିଏସଏସ ମାର୍କେଟ ଠାରେ ହୋଇଥିବା ସଫେଇ କାମରେ ସହଯୋଗ କରିଥିଲେ। ଏହା ସହ ସେ କହିଥିଲେ ଯେ, ” ସ୍ଵଚ୍ଛତା ହିଁ ସେବା ଅଟେ। ଆଉ ଏହି ସେବା ମନୋବୃତ୍ତି ସମସ୍ତଙ୍କ ମଧ୍ୟରେ ରହିବା ଦରକାର। ଏହି ଅଭିଯାନରେ ସମସ୍ତେ ସାମିଲ ହୋଇଥିବାରୁ ଧନ୍ୟବାଦ ଜଣାଇଥିଲେ। ସଫେଇ କାର୍ଯ୍ୟ କେବଳ ଗୋଟିଏ ଦିନରେ ସୀମିତ ନ ରହି ସ୍ଵଚ୍ଛତା ପ୍ରତି ସବୁ ଦିନ ସଚେତନ ହେବା ଜରୁରୀ। ”

ଏଠାରେ ସୂଚନାଯୋଗ୍ୟ ଯେ, ଭାରତ ସରକାରଙ୍କ ସହର ଓ ନଗର ଉନ୍ନୟନ ମନ୍ତ୍ରଣାଳୟ ପକ୍ଷରୁ ଗତ ସେପ୍ଟେମ୍ବର ୧୫ ରୁ ଗାନ୍ଧୀ ଜୟନ୍ତୀ ପର୍ଯ୍ୟନ୍ତ ‘ସ୍ଵଚ୍ଛତା ପକ୍ଷ’ ପାଳନ କରାଯାଉଛି। ସ୍ଵଚ୍ଛତାକୁ ଆଉ ପାଦେ ଆଗକୁ ନେବାକୁ ଇଣ୍ଡିଆନ୍ ସ୍ଵଚ୍ଛତା ଲିଗ୍ ଆୟୋଜନ କରାଯାଉଥିବା ବେଳେ ଦେଶର ବିଭିନ୍ନ ମହାନଗର ଏଥିରେ ଅଂଶ ଗ୍ରହଣ କରୁଛନ୍ତି। ଏହି ଅବସରରେ ଆରଏମସି ତରଫରୁ ରାଉରକେଲା ବୁଲ ମଧ୍ଯ ଏଥିରେ ସାମିଲ ହୋଇଛି। ଏଥି ସହ ପୂର୍ବରୁ ସଫେଇ କର୍ମୀ ସୁରକ୍ଷା ଶିବିର ଆୟୋଜନ କରାଯାଇଥିଲା। ଏଥିରେ କର୍ମଚାରୀ ମାନଙ୍କ ପାଇଁ ନିଶୁଳ୍କ ସ୍ୱାସ୍ଥ୍ୟ ପରୀକ୍ଷା ସହ ପିପିଇ କିଟ୍ ବଣ୍ଟନ କରାଯାଇଥିଲା ।

ad-week
Leave A Reply

Your email address will not be published.