ଗଣମାଧ୍ୟମରେ କୃତ୍ରିମ ବୁଦ୍ଧିମତାର ପ୍ରୟୋଗ ବେଳେ ସହନଶୀଳତା ଜରୁରୀ…

youtube

ଛତ୍ରପୁର : ଜିଲ୍ଲା ପ୍ରଶାସନ ଓ ଛତ୍ରପୁର ପ୍ରେସ୍ କ୍ଲବ୍ ମିଳିତ ସହଯୋଗକ୍ରମେ ଛତ୍ରପୁର ପ୍ରେସ କ୍ଲବ୍ ପରିସରରେ ଜିଲ୍ଲା ସ୍ତରୀୟ ପ୍ରେସ୍ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ “କୃତ୍ରିମ ବୁଦ୍ଧିମତା ଯୁଗରେ ଗଣମାଧ୍ୟମ ” ଉପରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରା ସମସ୍ତଙ୍କୁ ସ୍ବାଗତ କରିବା ସହ ପ୍ରେସ୍ ଦିବସ ପାଳନର ତାତ୍ପର୍ଯ୍ୟ ଏବଂ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ୍ କଣ, ଏହାର ଆବଶ୍ୟକତା, ଅପବ୍ୟବହାରର କୁପରିଣାମ କଣ ହେବ ସେହି ସଂପର୍କରେ ଆଲୋକପାତ କରିଥିଲେ । ଛତ୍ରପୁର ପ୍ରେସ କ୍ଲବ୍ ର ଉପଦେଷ୍ଟା ରବିନ୍ଦ୍ର କୁମାର ପଣ୍ଡା କୃତ୍ରିମ ବୁଦ୍ଧିମତା ଯୁଗରେ ଗଣମାଧ୍ୟମ ଉପରେ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ । ୧୯୪୦ ମସିହାରେ ସର୍ବ ପ୍ରଥମେ ଆମେରିକାରେ କୃତ୍ରିମ ବୁଦ୍ଧିମତା ଆରମ୍ଭ କରାଯାଇଥିଲା ଓ ଏହାକୁ ଚିକିତ୍ସା କ୍ଷେତ୍ରରେ ମଧ୍ୟ ବହୁଳ ଭାବେ ପ୍ରୟୋଗ କରାଯାଉଛି ବୋଲି ଅତିରିକ୍ତ ଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି ମୁଖ୍ୟ ଅତିଥି ଭାବେ ଯୋଗଦେଇ ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ । ନୂତନ ଯୁବପୀଢିଗଣ ୟୁ ଟ୍ୟୁବ୍ ଓ ଗୁଗୁଲ ଉପରେ ବହୁତ ବିଶ୍ବାସ କରୁଛନ୍ତି । ଏହା ମସ୍ତିଷ୍କକୁ ସଙ୍କୁଚିତ କରିଦେଉଛି । ଖବର ପ୍ରସାରଣ କ୍ଷେତ୍ରରେ ସବୁ କିଛି ବିଶ୍ଲେଷଣ କରି ନିଜ ନିଜର ସୁଚିନ୍ତିତ ମତାମତ ପ୍ରଦାନ କରିବା ପୂର୍ବରୁ ପ୍ରକୃତ ସତ୍ୟାସତ୍ୟ ଅନୁସନ୍ଧାନ କରି ତାହାକୁ ପ୍ରକାଶନ କରିବା ନିମନ୍ତେ ସମସ୍ତ ସାମ୍ବାଦିକ ମାନଙ୍କୁ ଆହ୍ବାନ ଦେଇଥିଲେ । ମୁଖ୍ୟବକ୍ତା ଭାବେ ଛତ୍ରପୁରର ପୂର୍ବତନ ବିଧାୟକ ଅଶୋକ କୁମାର ଚୌଧୁରୀ ଯୋଗଦେଇ କୃତ୍ରିମ ବୁଦ୍ଧିମତା ଯେପରି ମାନବ ସମାଜର କ୍ଷତିସାଧନ କରିବ ନାହିଁ ସେଥିପାଇଁ ଆଇନ ପ୍ରଣୟନ ହେବା ଉଚିତ ବୋଲି ମତବ୍ୟକ୍ତ କରିଥିଲେ । ସମ୍ମାନୀତ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ପ୍ରକାଶ ପଟ୍ଟନାୟକ ନିଜ ବକ୍ତବ୍ୟରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ କେବେ ବି କୌଣସି ସାମ୍ବାଦିକର ଭୂମିକା ତୁଲାଇ ପାରିବ ନାହିଁ । ଏଣୁ ସାମ୍ବାଦିକ ମାନେ ନିଜର ସଞ୍ଜମତା ରକ୍ଷାକରି ପେଶାକୁ ଆଗେଇ ନେବା ଉଚିତ୍ ବୋଲି ତାଙ୍କ ବକ୍ତବ୍ୟରେ ଜଣାଇଥିଲେ ।

ଅନ୍ୟତମ ସମ୍ମାନୀତ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ଶକ୍ତିଧର ରାଜଗୁରୁ ନିଜ ବକ୍ତବ୍ୟରେ ଜଣାଇଥିଲେଯେ, ଗଣମାଧ୍ୟମକୁ ନିୟନ୍ତ୍ରଣ କରିବା ପାଇଁ ପ୍ରେସ୍ କାଉନସିଲ୍ ଗଠନ କରାଯାଇଥିଲା । ଗଣ ମାଧ୍ୟମ ବର୍ତ୍ତମାନ ଆସ୍ଥା ଓ ବିଶ୍ବାସ ଉପରେ ଚାଲିଛି । ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ବହୁଳ ବ୍ୟବହାର ହେଲେ ଗଣ ମାଧ୍ଯମ ଆସ୍ଥା ଓ ବିଶ୍ବାସ ହରାଇବ ବୋଲି ମତ ଦେଇଥିଲେ । ବରିଷ୍ଠ ସାମ୍ବାଦିକ ବିଘ୍ନରାଜ ସାହୁ ନିଜ ବକ୍ତବ୍ଯରେ ଗଣ ମାଧ୍ୟମକୁ ସରଳୀକରଣ କରିବା ନିମନ୍ତେ ୧୯୬୬ ମସିହାରେ ଜାତୀୟ ପ୍ରେସ୍ ଦିବସ ପାଳନର ତାତ୍ପର୍ଯ୍ୟ ସମ୍ପର୍କରେ ଅବଗତ କରାଇ ସାମ୍ବାଦିକତା କ୍ଷେତ୍ରରେ ଆଜି ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ପ୍ରୟୋଗ କ୍ଷେତ୍ରରେ ସ୍ବଚ୍ଛତାର ଅଭାବ ପରିଲକ୍ଷିତ ହେବ । ଗୋପନୀୟତାର ସୁରକ୍ଷା କରାଯାଇ ପାରିବ ନାହିଁ । କ୍ଷମତାର ଅପବ୍ୟବହାର ହେବ ଏଣୁ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଉପରେ ଅଧିକ ନିର୍ଭରଶୀଳ ହେବା ନାହିଁ ବୋଲି ମତବ୍ୟକ୍ତ କରିଥିଲେ । ସାମ୍ବାଦିକ ସମୀର କୁମାର ଆଚର୍ଯ୍ୟ ନିଜ ବକ୍ତବ୍ୟରେ ଜଣାଇଥିଲେଯେ, ସାମ୍ବାଦିକ ମାନେ ହେଉଛନ୍ତି ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ । ତୃଣମୂଳ ସ୍ତରର ଖବର ସଂଗ୍ରହ କରି ସରକାର ଓ ଜନସାଧାରଣଙ୍କ ନିକଟରେ ପହଞ୍ଚାଇବା ଦିଗରେ ସାମ୍ବାଦିକ ମାନଙ୍କର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି । ଏହି ଦାଯୀତ୍ବକୁ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ମାଧ୍ଯମରେ ସମ୍ଭବ ନୁହେଁ । ବରିଷ୍ଠ ସାମ୍ବାଦିକ ଡ. ଭି. ରାଜେନ୍ଦ୍ର ରାଜୁ ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେଯେ, ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ପ୍ରକୃତରେ ମାନବ ସମାଜ ପାଇଁ କ୍ଷତିକାରକ । ଏକ ଭୟାନକ ସ୍ଥିତି ବିଶ୍ବକୁ ଗ୍ରାସ କରିଛି । ଏଣୁ ସମସ୍ତ ସାମ୍ବାଦିକ ନିଜନିଜ ପରିସୀମା ମଧ୍ଯରେ ଆବଦ୍ଧ ରହି ପ୍ରକୃତ ସତ୍ୟାସତ୍ୟ ପରିପ୍ରକାଶ କରିବା ତେବେଯାଇ ସାମ୍ବାଦିକତା ର ସାର୍ଥକତା ଚୀରସ୍ଥାୟୀ ରହିବ । ଗଞ୍ଜାମ ପ୍ରେସ କ୍ଲବ୍ ର ସଭାପତି ଶବର କୁମାର ତରାଇ, ଛତ୍ରପୁର ପ୍ରେସ୍ କ୍ଲବ୍ ର ସଭାପତି ରବୀନ୍ଦ୍ର ନାଥ ପଣ୍ଡା,ସଂପାଦକ ସରୋଜ କୁମାର ସାମଲ,ଉପଦେଷ୍ଟା ପ୍ରଶାନ୍ତ କୁମାର ମହାରଣା, କୋଷାଧ୍ୟକ୍ଷ କେ.ସତ୍ଯ ନାରାୟଣ ରେଡ୍ଡୀ, ସାମ୍ବାଦିକ ବିସ୍ମୟ ପ୍ରଧାନ, ଅଜିତ ସ୍ବାଇଁ, ରଶ୍ମିତା କୁମାରୀ ପାଣିଗ୍ରାହୀ ପ୍ରମୁଖ ନିଜ ନିଜ ବକ୍ତବ୍ଯରେ କୃତ୍ରିମ ବୁଦ୍ଧିମତା ଯୁଗରେ ଗଣ ମାଧ୍ୟମର ଉପକାରିତା ଓ ଅପକାରିତା ବିଷୟରେ ନିଜ ନିଜର ବକ୍ତବ୍ଯ ପ୍ରଦାନ କରିଥିଲେ । ପରିଶେଷରେ ଛତ୍ରପୁର ପ୍ରେସ୍ କ୍ଲବ୍ ସଭାପତି ରବିନ୍ଦ୍ର ନାଥ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.