
ରାଜନଗର : ସେଦିନର ଲୋମଟାଙ୍କୁରା କଥା ମନେ ପଡିଲେ ଆଖିର ଲୁହ ଅମାନିଆ ହୋଇ ଝରିପଡୁଛି। ସେସମୟ ଥିଲା ୧୯୭୧ ମସିହା କାର୍ତ୍ତିକ ମାସ ଶୁକ୍ଳପକ୍ଷ ଏକାଦଶୀ ତିଥି ଭଗବାନଙ୍କ କୋପ ଦୃଷ୍ଟି କିବା ଆଉ କଣ, କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ ସାତଭାୟାର ଗୋବିନ୍ଦପୁର ଗାଁ ଉପରେ ହଠାତ୍ ପ୍ରଳୟଙ୍କାରୀ ସାମୁଦ୍ରିକ ଲୁଣା ଢେଉ ସହ ମହାବାତ୍ୟା ମାଡିଆସିଲା, ୧୮୪ ପରିବାରର ୧୧୭୫ ଲୋକ ମଧ୍ୟରୁ ଭାସିଗଲେ ୭୭୨ଜଣ ଆଉ ନ ଫେରି ଆରପାରିକୁ ଚାଲିଗଲେ। ଗୋବିନ୍ଦପୁର ଗାଁ ଲୀନ ହୋଇ ଲୋପ ପାଇଗଲା ,କିନ୍ତୁ ଜୀବିତ ରହିଗଲେ ୪୦୩ ଜଣ ଵ୍ୟକ୍ତି ,ଗାଁର ପରିଚୟ ମହାବାତ୍ୟା ଲିଭେଇ ଦେଇ ଯାଇଥିଲା । ଏହି ଦୁଃଖଦ ସମୟରେ ମାନବିକତାର ପରିଚୟ ଦେଇ ସହାୟତାର ହାତ ବଢାଇଥିଲେ ସମାଜ ସେବୀ ତଥା ସ୍ଵାଧୀନତା ସଂଗ୍ରାମୀ ରମା ଦେବୀ, ଓକିଲପାଳ ଠାରେ ଗାଁର ନୂଆ ଠିକଣା ସୃଷ୍ଟି କରି ଯୋଗାଇ ଦେଲେ ଘର । ସେତେଵେଳର ୨୧ବର୍ଷିଆ ଯୁବକ ସନ୍ତୋଷ ମଣ୍ଡଳ ଆଜି ୭୦ଵର୍ଷରେ ଏ କଥା ବଖାଣିଲା ଵେଳକୁ ଆଖିରେ ତାଙ୍କର ଲୁହ ରହୁନାହିଁ, ସେ କହନ୍ତି ଭଗବାନ ଏପରି ଦୁଃଖ କାହାରିକୁ ନ ଦିଅନ୍ତୁ। ଏଵେ ଵଞ୍ଚିରହିଥିବା କିଛି ପରିବାର ଓ ଗଣେଷ ପୂଜା କମିଟି ପକ୍ଷରୁ ପ୍ରତିବର୍ଷ ଉପରୋକ୍ତ ତିଥିରେ କେହି ନଥିବା ମୃତକଙ୍କ ପରିବାର ପାଇଁ ସମୂହ ପିଣ୍ଡଦାନ କରୁଥିବା ବେଳେ ଗତକାଲି ମଧ୍ୟ ଓକିଲ ପାଳପାଳ ଠାରେ ଗ୍ରାମବାସୀ ମୃତକଙ୍କ ପାଇଁ ଅଶ୍ରୁଳ ଶ୍ରଦ୍ଧା ସୁମନ ସହିତ ସମୂହ ପିଣ୍ଡଦାନ କରିଥିବା ଦେଖିବାକୁ ମିଳିଛି।