
ଦେବଗଡ଼,୨୫|୧୧:ଅବକାରୀ ବିଭାଗ ପକ୍ଷରୁ ବାରକୋଟ ଥାନା ଅନ୍ତର୍ଗତ ଦମିତା ଗ୍ରାମ ନିକଟସ୍ଥ ଘଂଚ ଜଙ୍ଗଲ ମଧ୍ୟରେ ଚଢଉ କରାଯାଇ ଏକ ନାଳ କଡରେ ଦେଶୀ ମଦ ରାନ୍ଧିବା ପାଇଁ ୩ଟି ଆଲୁମିନିୟମ ଡେକଚିରେ ପ୍ରସ୍ତୁତ କରି ରଖାଯାଇଥିବା ମହୁଲ ପୋଚ ଜବତ କରି ନଷ୍ଟ କରାଯାଇଛି । ଅବକାରୀ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଦମିତା ଗ୍ରାମ ନିକଟସ୍ଥ ଘଂଚ ଜଙ୍ଗଲ ମଧ୍ୟରେ ବେଆଇନ ଦେଶୀ ମଦ ପ୍ରସ୍ତୁତ କରାଯାଉଥିବା କୌଣସି ସୂତ୍ରରୁ ସୁଚନା ପାଇ ସେଠାରେଚଢଉ ପାଇଁ ଦେବଗଡ ଅବକାରୀ ଅଧିକ୍ଷିକା ବାସନ୍ତୀ ପ୍ରଭା ନାୟକ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ନିର୍ଦ୍ଦେଶ ଅନୁଯାୟୀ ବାରକୋଟ ଅବକାରୀ ସବ ଇନ୍ସପେକ୍ଟରଙ୍କ ନେତୃତ୍ୱରେ ଏକ ଦଳ ଆଜି ଉକ୍ତ ଜଙ୍ଗଲ ମଧ୍ୟରେ ପହଂଚିବା ସହ ଦେଶୀ ମଦ ରାନ୍ଧିବା ପାଇଁ ନାଳ କଡରେ ୩ଟି ଆଲୁମିନିୟମ ଡେକଚିରେ ପ୍ରସ୍ତୁତ କରି ରଖାଯାଇଥିବା ପ୍ରାୟ ଏକଶହ କିଲୋ ଓଜନର ମହୁଲ ପୋଚ ଠାବ କରିଥିଲେ । ତେବେ ଆଖପାଖ ଅଂଚଳରେ କୌଣସି ବ୍ୟକ୍ତି ଉପସ୍ଥିତ ନଥିବାରୁ ଉକ୍ତ ମହୁଲ ପୋଚ ସବୁକୁ ନଷ୍ଟ କରିବା ସହ ବ୍ୟବହୃତ ଡେକ୍ଚି ଗୁଡିକୁ ଜବତ କରି ବାରକୋଟ ଅବକାରୀ କାର୍ଯ୍ୟାଳୟକୁ ଆଣିବାସହ ଏକ ମାମଲା ଋଜୁ କରିଥିବା ଜଣାପଡିଛି ।