ନିଆରା ଢଙ୍ଗରେ ଦିୱାଲୀ ପର୍ବ : ରଙ୍ଗ ମାଟି ସଂଗ୍ରହରେ ଆଦିବାସୀ ମହିଳା ବ୍ୟସ୍ତ

youtube

ଉମରକୋଟ : ନବରଙ୍ଗପୁର ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ଉମରକୋଟ ସବଡ଼ିଭିଜଣର ଝରିଗାଁ ବ୍ଲକର ପ୍ରାୟ ୯୦ ପ୍ରତିଶତ ଲୋକ କୃଷି ଉପରେ ନିର୍ଭର କରି ଜୀବିକା ନିର୍ବାହ କରିଥାଏ । ଏହି ଝରୀଗାଁ ବ୍ଲକର ଆଦିବାସୀ ସଂପ୍ରଦାୟର ଲୋକେ ବର୍ଷକ ମଧ୍ୟରେ ବିଭିନ୍ନ ପ୍ରକାର କୃଷିଭିତ୍ତିକ ପର୍ବ ପାଳନ କରିଥାନ୍ତି। ଏଥି ମଧ୍ୟରୁ ସେମାନଙ୍କର ଦିୱାଲୀ ପର୍ବ ଅନ୍ୟତମ। ଜମିରୁ ଫସଲ ଘରେ ଆସି ଅମଳ ହେବା ପରେ ଏହି କୃଷି ଭିତ୍ତିକ ଦିୱାଲୀ ପର୍ବ ପାଳନ କରାଯାଏ। ବ୍ଳକର ବିଭିନ୍ନ ଅଞ୍ଚଳରେ ଭିନ୍ନ ଭିନ୍ନ ସମୟରେ ଏହି ପର୍ବ ପାଳନ କରାଯାଏ। ଜମିର ଫସଲ ସମ୍ପୂର୍ଣ୍ଣ ଅମଳ ହେବା ପରେ ଗ୍ରାମର ମୁଖିଆ ଏବଂ ଗ୍ରାମବାସୀ ମାନଙ୍କୁ ନେଇ ଏକ ସର୍ବଜନୀନ ବୈଠକ ହୋଇଥାଏ ଏବଂ ନିଦ୍ଦିଷ୍ଟ ଗ୍ରାମରେ କେବେ ଦିଆଲି ପର୍ବ ପାଳନ ହେବ ସେନେଇ ବୈଠକରେ ଦିନ ଧାର୍ଯ୍ୟ କରାଯାଏ । ପରେ ଚଲାଣ ଦ୍ୱାରା ଏ ସଂପର୍କରେ ଗ୍ରାମବାସୀଙ୍କୁ ସୂଚନା ପ୍ରଦାନ ଦିଆଯାଏ। ବିଶେଷ କରି ଏହି ପର୍ବ ପ୍ରତିବର୍ଷ ଜମିରୁ ଫସଲ ଅମଳ ହେବା ପରେ ମାର୍ଗଶିର ମାସ ଦ୍ୱିତୀୟ ସପ୍ତାହଠାରୁ ଆରମ୍ଭ ହୋଇ ପ୍ରାୟ ପୌଷ ମାସ ପର୍ଯ୍ୟନ୍ତ ବ୍ଲକର ବିଭିନ୍ନ ଅଞ୍ଚଳରେ ଦିୱାଲୀ ପର୍ବ ପାଳନ କରାଯାଇଥାଏ। ଦିୱାଲୀ ପର୍ବରେ ଏଠାକାର ଆଦିବାସୀ ମହିଳାମାନେ ଘରକୁ ମାଟି ଲେପନ କରିବା ସହିତ କାନ୍ଥକୁ ବିଭିନ୍ନ ରଙ୍ଗଦେଇ ସଜାଈ ନିଜ ନିଜ ଘରର ଶୋଭା ବଡାଇଥାଏ । ବିଶେଷ କରି ଘରକୁ ସୁନ୍ଦର କରିବା ପାଇଁ ରଙ୍ଗ ମାଟି ସହ ଧଳା ଓ ହଳଦିଆ ମାଟିର ଚାହିଦା ଅଧିକ ଥାଏ। ବର୍ତ୍ତମାନ ଦିୱାଲୀ ପର୍ବ ପାଳନର ସମୟ ପାଖେଇ ଆସୁଥିବାରୁ ଗ୍ରାମର ମହିଳାମାନେ ବିଭିନ୍ନ ସ୍ଥାନରୁ ବିଭିନ୍ନ ରଙ୍ଗ ମାଟି ସଂଗ୍ରହ କରିବା ସହିତ ଘର କାନ୍ଥରେ ଏହି ରଙ୍ଗ ଦେବାରେ ବ୍ୟସ୍ତ ଥିବା ଦେଖିବାକୁ ମିଳିଛି। ଦିୱାଲୀ ପର୍ବ ଦିନ ଜମିରୁ ଅମଳ ହୋଇଥିବା ନୂଆ ଧାନର ଚାଉଳରେ ପ୍ରଥମେ ଖିରି ଓ ଖେଚୁଡ଼ି ତିଆରି କରାଯାଏ ଓ ସେହିପରି ବିଭିନ୍ନ ରକମର ପିଠା ତିଆରି ହୁଏ। ଉକ୍ତ ଖିରି ଓ ବିଭିନ୍ନ ପିଠାକୁ ପ୍ରଥମେ ଘରର ଇଷ୍ଟ ଦେବାଦେବୀଙ୍କ ନିକଟରେ ଭୋଗ ଲାଗି କରିବା ପରେ ପରିବାର ଲୋକ ଏହାକୁ ପ୍ରସାଦ ଭାବେ ଗ୍ରହଣ କରିଥାନ୍ତି। ସେହିପରି ଖେଚୁଡ଼ି ତିଆରି କରି ସେଥିରେ ବିଭିନ୍ନ ପିଠା ପକାଇ ନିଜ ନିଜ ଘରର ଗାଈଗୋରୁଙ୍କୁ ଖାଇବା ପାଇଁ ଦିଆଯାଇଥାଏ ଏବଂ ସେଥିରୁ ମଧ୍ୟ ପରିବାର ଲୋକ ଖାଏ ଓ ଘରେ ଆସିବା ବନ୍ଧୁ ବାନ୍ଧବ ମାନଙ୍କୁ ଭି ଖାଇବାକୁ ଦିଏ । ଦିୱାଲୀ ପର୍ବ ପାଳନ ଶେଷ ହେବା ପରେ ଗାଈଗ‌ୋରୁଙ୍କୁ ଗୁହାଳରେ ନବାନ୍ଧି ମୁକ୍ତ କରି(ଢିଲାମରା )ଦିଆଯାଇଥାଏ । ଦିୱାଲୀ ପର୍ବ ପୂର୍ବରୁ ପରିବାରର ସମସ୍ତ ଲୋକ ଏକତ୍ରିତ ହୋଇ ନୂଆ ବସ୍ତ୍ର ପରିଧାନ କରି ଭକ୍ତି ଶହୋକାରେ ଏହି ପର୍ବ ପାଳନ କରିବା ପାଇଁ ପୂଜା ଅର୍ଚ୍ଚନା କରେ । ଦାଦନ ଖଟିବା ପାଇଁ ଯାଇଥିବା ଶ୍ରମିକ ମାନଙ୍କୁ ପରିବାର ଲୋକ ସୂଚନା ଦେବା ପରେ ଶ୍ରମିକ ମାନେ ମଧ୍ୟ ଦିୱାଲୀ ପର୍ବ ପୂର୍ବରୁ ନିଜ ନିଜ ଗାଁ କୁ ଫେରି ଥାଏ । ଦିୱାଲୀ ପର୍ବ ଦିନ ନିଜ ସମ୍ପର୍କୀୟ ଓ ବନ୍ଧୁବାନ୍ଧବମାନଙ୍କୁ ଘରକୁ ନିମନ୍ତ୍ରଣ କରାଯାଇଥାଏ । ଝରୀଗାଁ ବ୍ଲକର କିଛି ଗ୍ରାମରେ ଲୋକଙ୍କ ମନୋରଞ୍ଜନ ନିମନ୍ତେ ଦେଶିଆ ନାଟକ ଓ ଗ୍ରାମର ଯୁବକ ଯୁବତୀ ମାନଙ୍କୁ ନେଇ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ କରନ୍ତି । ଏହି ଦିୱାଲୀ ପର୍ବକୁ ଲୋକେ ବଡ଼ ଆଡ଼ମ୍ବର, ହସ ଖୁସି ସହିତ ପାଳନ କରିଥାନ୍ତି ।

Leave A Reply

Your email address will not be published.