
ଆର ଉଦୟଗିରି : ଦେଶ ସ୍ବାଧୀନତାର ୭୭ ବର୍ଷରେ ମଧ୍ୟ ଲୋକେ ଆଜି ସରକାରୀ ଯୋଜନାର ସୁବିଧା ପାଇବା କଷ୍ଟକର ହୋଇପଡୁଛି। ଏଥିରେ କାହାର ଅବହେଳା ରହୁଛି ତାହା କହିବା ମୁସ୍କିଲ। କେନ୍ଦ୍ର ହେଉ ଅବା ରାଜ୍ୟ ହେଉ ସାଧାରଣ ଲୋକଙ୍କ ଲାଗି ଯୋଜନା ପରେ ଯୋଜନା ମାଳମାଳ ପ୍ରସ୍ତୁତ କରି ଲୋକାର୍ପିତ କରୁଛନ୍ତି। କିନ୍ତ ଯୋଜନା ଲୋକଙ୍କ ପାଖରେ ପହଞ୍ଚିପାରୁଛି କି ନା ତାର ତଥ୍ୟ ବୋଧେ ସରକାର ଠିକରେ ପାଉନାହାନ୍ତି ତାହା ଏବେ ବି ପ୍ରଶ୍ନବାଚୀ। କାରଣ ଗୋଟେପରେ ଗୋଟେ ଯୋଜନା ଆସୁଛି ,ଲୋକେ ସେହି ଯୋଜନାଗୁଡିକର ଅନିୟମିତା, ଅପାରଗତା,କିମ୍ବା ହଡପ ଉପରେ ଅଭିଯୋଗପରେ ଅଭିଯୋଗ କରୁଛନ୍ତି। ତେବେ ସରକାର କୋଟିକୋଟି ଟଙ୍କା ବିନିମୟକରି ଲୋକଙ୍କ ସୁବିଧା ଆଶା କରୁଥିବା କହୁଥିବା ବେଳେ ପ୍ରକୃତରେ ଲୋକେ ଉପକୃତ ହେଉନାହାନ୍ତି କାହିଁକି ? ଏଥିରେ ପ୍ରକୃତ ଦାୟୀକିଏ ? କେବେ ହେବ ତାର ପ୍ରତିକାର? ତେଣୁ ଲୋକେ ରାଜରାସ୍ତାକୁ ଆସିବାକୁ ବାଧ୍ୟ ହୁଅନ୍ତି। ହେଲେ ଆମେ କହୁଛୁ ଏପରି ଏକ ଅବହେଳିତ ଗାଁବିଷୟରେ। ଅଭିଯୋଗ ଅନୁସାରେ ରାସ୍ତା ନଥାଇ ଜନନୀ ଯନ୍ତ୍ରଣାରେ ମୃତ୍ୟୁ ଘଟିସାରିଛି ଏଗାଁରେ। ଖବରପାଇ ଜିଲ୍ଲା ଓ ବ୍ଲକ ପ୍ରଶାସନ ମଧ୍ୟ ପହଞ୍ଚିଥିଲେ ଏଗାଁରେ କିନ୍ତୁ ଏଠି ପ୍ରତିସୃତି କେବଳ ପାଣିର ଗାର। ଆଜ୍ଞା ଆମେ କହୁନୁ ଏକଥା କହୁଛନ୍ତି ଗଜପତି ଜିଲ୍ଲା ନୂଆଗଡ ବ୍ଲକ ଅନ୍ତର୍ଗତ ପୁଟୁରୁପଡା ଗ୍ରାମପଞ୍ଚାୟତର ଝୁଲାସାହି ଗ୍ରାମବାସୀ। ସେମାନଙ୍କର ଅଭିଯୋଗ ପ୍ରକାରେ ବହୁପୂରାତନ ଅବସ୍ଥିତ ଏହି ଗାଁକୁ ୨୦୧୮ ମସିହାରେ ପ୍ରଥମକରି ମାଟିରାସ୍ତା ଟିଏ ସରକାରଙ୍କ ଦ୍ବାରା ମିଳିଥିଲା। ହେଲେ ବିଭିନ୍ନ ସମୟରେ ବର୍ଷାରେ ରାସ୍ତାନଷ୍ଟ ହୋଇଗଲାଣି। ବେଳେବେଳେ ଯଦି କାହାର ଦେହ ଅସୁସ୍ଥ ହୁଏ ତେବେ ଆମ୍ବୁଲାନ୍ସ କଥା ଛାଡ ବାଇକରେ ମଧ୍ୟ ମେଡିକାଲ ଯିବା ସମ୍ଭବ ହୁଏନାହିଁ।
ଏଥିସହ ଏଠାରେ ଗୋଟିଏ ବ୍ରିଡ୍ଜ ଟିଏ ନ ଥିବାହେତୁ ବର୍ଷାଦିନ ଯାତାୟତ କରିବା କଷ୍ଟକର ହୋଇଯାଉଛି। ପୂର୍ବରୁ ବର୍ଷାବେଳେ ଏହି ରାସ୍ତାର ଜଣେ ବ୍ୟକ୍ତି ପାରିହେବାକୁ ଯାଇ ଭାସିଯାଇ ନିଖୋଜ ହୋଇଯାଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏହି ଆଖ ପାଖ ଅଞ୍ଚଳର ପାୟ ୭ ଗୋଟି ଗ୍ରାମବାସୀଙ୍କର ମଧ୍ୟ ସେହି ରାସ୍ତା ଓ ବିଡ୍ଜ ଲାଗି ସମାନ ଅଭିଯୋଗ ରହିଛି। ସମସ୍ତନେତା ଓ ପ୍ରଶାସନିକ ଅଧିକାରୀଙ୍କୁ ବାରମ୍ବାର ଅଭିଯୋଗ ପରେ ମଧ୍ୟ କୌଣସି କାର୍ଯ୍ୟକାରିତା ନ ହେଉଥିବା ଅଭିଯୋଗ କରି ଆଗାମୀ ନିର୍ବାଚନରେ ଭୋଟବର୍ଜନ କରିବା ନିଷ୍ପତି ନେଇଥିବା କହିଛନ୍ତି ଗ୍ରାମବାସୀ। ତେଣୁ ପ୍ରଶାସନ ଏହି ଗାଁକୁ ଦୃଷ୍ଟି ଦେବାକୁ ଦାବିହୋଇଛି।