
ହିଞ୍ଜିଳିକାଟୁ, ତା ୧୮/୧ : ଗୁରୁବାର ମଧ୍ୟାହ୍ନରେ ହିଞ୍ଜିଳି ଥାନା ନନ୍ଦିକ ଗ୍ରାମ ନିକଟସ୍ଥ ଋଷିକୂଲ୍ୟା ନଦୀ ପାଣିରେ ବୁଡି ଜଣେ ଶିଶୁର ମୃତ୍ୟୁ ଘଟିଛି। ମୃତକ ଜଣଙ୍କ ହେଲେ ସଂପୃକ୍ତ ଗ୍ରାମର ଜଗନ୍ନାଥ ଗୌଡଙ୍କ ପୁତ୍ର ନୀଳମାଧବ ଗୌଡ (୭) । ଏ ନେଇ ହିଞ୍ଜିଳି ଥାନାରେ କେସ ନଂ – ୫/୨୪ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶିଶୁର ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ସକାଶେ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ପଠାଇ ପୁଲିସ ଘଟଣାର ତଦନ୍ତ ଚଳାଇଛି। ବ୍ୟବଚ୍ଛେଦ ପରେ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିବା ତଦନ୍ତକାରୀ ଅଧିକାରୀ ତଥା ହିଞ୍ଜିଳି ଥାନା ଏସଆଇ ସିଦ୍ଧାର୍ଥ ଜେନାଙ୍କ ସୂତ୍ରରୁ ପ୍ରକାଶ। ମିଳିଥିବା ସୂଚନା ପ୍ରକାରେ, ଗୁରୁବାର ମଧ୍ୟାହ୍ନ ପ୍ରାୟ ସାଢେ ୧୨ ଘଣ୍ଟା ସମୟରେ ବାପା ଜଗନ୍ନାଥଙ୍କ ସହ ପୁଅ ନୀଳମାଧବ ଗ୍ରାମ ନିକଟସ୍ଥ ନଦୀକୁ ଗାଧୋଇବାକୁ ଯାଇଥିଲେ। ନଦୀରେ ଗାଧୋଉଥିବା ବେଳେ ଅସାବଧାନତା ବଶତଃ ଶିଶୁର ଗୋଡ ଖସି ପାଣି ଭିତରେ ବୁଡି ଯାଇଥିଲା। ଶିଶୁ ପୁତ୍ରକୁ ନପାଇ ଜଗନ୍ନାଥ ନଦୀରେ ଖୋଜାଖୋଜି କରିଥିଲେ ମଧ୍ୟ ସନ୍ଧାନ ମିଳିନଥିଲା। ଖବର ପାଇ ଗ୍ରାମର କିଛି ଲୋକେ ନଦୀରୁ ଶିଶୁପୁତ୍ରର ମୃତଦେହକୁ ଉଦ୍ଧାର କରିଥିଲେ।