ଫୁଲବାଣୀ : NMOPS ( ଜାତୀୟ ପୁରୁଣା ପେନ୍ସନ ଆନ୍ଦୋଳନ ) କନ୍ଧମାଳ ଶାଖା ତରଫରୁ ଫୁଲବାଣୀ ସ୍ଥିତ ବ୍ଲକ ସମ୍ମିଳନୀ କକ୍ଷରେ ରାଜ୍ୟ ସରକାରଙ୍କ ଅଧିନରେ କାର୍ଯ୍ୟ କରୁଥିବା ବୟାଳିଶଟି ବିଭାଗରେ କାର୍ଯ୍ୟରତ କର୍ମଚାରୀଙ୍କୁ ନେଇ ଏକ ସମାବେଶ ଅନୁଷ୍ଠିତ ହୋଇ ଯାଇଛି ।
ସମାବେଶରେ ରାଜ୍ୟସଂଘ ସଭାପତି ବିଜୟ ମଲ୍ଲ ଯୋଗଦେଇ ସରକାରଙ୍କ NPS ଭଳି ମଣିଷ ମାରଣ ନୀତିର ତୀବ୍ର ବିରୋଧ ପୂର୍ବକ ନିଜର ବକ୍ତବ୍ୟ ରଖିଥିଲେ । ଜିଲ୍ଲା ପ୍ରଭାରୀ ବିପିନ୍ ବିହାରୀ ସାହୁଙ୍କ ସଂଯୋଜନାରେ ରାଜ୍ୟ ସଂଘ ତରଫରୁ ଆଗାମୀ ଫେବୃଆରୀ ମାସ ଦଶ ତାରିଖରେ ଗାନ୍ଧୀ ମାର୍ଗରେ ଆହୁତ ଗଣ ଆନ୍ଦୋଳନ ରେ ସକ୍ରିୟ ଯୋଗଦେବା ନେଇ ସମସ୍ତ ବିଭାଗର ନେତୃବୃନ୍ଦ ମାନେ ରଣନୀତି ନିର୍ଦ୍ଧାରଣ କରିଥିଲେ । ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘର ସମ୍ପାଦକ ଶାନ୍ତନୁ ପ୍ରଧାନ ନିଜ ବକ୍ତବ୍ୟରେ ନିକଟରେ ଅବସର ନେଇଥିବା ଅନେକ NPS ଯୋଜନାଭୁକ୍ତ ଶିକ୍ଷକଙ୍କ କରୁଣ କାହାଣୀକୁ ଉପସ୍ଥାପନ କରିବା ସହ ଏବେ ଆମେ ସମସ୍ତେ ଏକାଠି ହେଇ ଏ ଭଳି ଘୃଣ୍ୟ ପ୍ରଥାକୁ ଦୃଢ଼ ଭାବେ ବିରୋଧ କରିବା ଆବଶ୍ୟକ ବୋଲି ମତ ପ୍ରକାଶ କରିଥିଲେ । ଜିଲ୍ଲା ମାଧ୍ୟମିକ ସ୍କୁଲ NPS ଶିକ୍ଷକ ସଂଘର ସମ୍ପାଦକ ପ୍ରଦୀପ ସାହୁ ଆଗାମୀ ଆନ୍ଦୋଳନକୁ ତୃଣମୂଳ ସ୍ତରରୁ ବ୍ୟାପକ କରିବା ପାଇଁ ସମସ୍ତ କର୍ମଚାରୀଙ୍କୁ ପରାମର୍ଶ ଦେଇଥିଲେ ।
ବୈଠକରେ ବିଭିନ୍ନ ବିଭାଗର ପ୍ରାୟ ଦୁଇଶହରୁ ଅଧିକ କର୍ମଚାରୀ ଯୋଗ ଦେବା ସହ ଆଗାମୀ ଆନ୍ଦୋଳନକୁ ସଫଳ କରିବା ପାଇଁ ଦୃଢ଼ ଶପଥ ନେଇଥିଲେ ।ବୈଠକରେ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ସଭାପତି କୁମର ପରାସେଠ, କାର୍ଯ୍ୟକାରୀ ସଭାପତି ସରୋଜ ସେଠି, ସୁନୀଲ ବେହେରା, ଅଞ୍ଜନ ବେହେରା ମାଧ୍ୟମିକ ଶିକ୍ଷକ ସଂଘ ନେତା ଦୀପ୍ତି ନନ୍ଦ, ବେଣୁଧର ପ୍ରଧାନ, ମନୋରଞ୍ଜନ ପାଢ଼ୀ, ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀ ନେତା ପ୍ରଭାତ ଶତପଥି, ବୃନ୍ଦାବନ ସ୍ୱାଇଁ, ଅନୁସୂଚିତ ଜାତି ଓ ଜନଜାତି ଦ୍ୱାରା ପରିଚାଳିତ ଶିକ୍ଷା ବିଭାଗର ଭୀମରାଜ ବଳିଆରସିଂ, ଅଶୋକ ଷଡଙ୍ଗୀଙ୍କ ସମେତ ବିଭିନ୍ନ ବିଭାଗର କର୍ମଚାରୀ ନେତୃବୃନ୍ଦ ଯୋଗଦେଇ ଥିଲେ । ପରିଶେଷରେ ଶିକ୍ଷକ ନେତା ଉତ୍କଳ କେଶରୀ କାର୍ଯ୍ୟକ୍ରମରେ ଯୋଗଦେଇଥିବା କର୍ମଚାରୀଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।
