ଉମରକୋଟ /ଝରୀଗାଁ (୧୦/୦୭/୨୦୨୪ ) ଧାରକରଜ କରି ପରିବାର ସହିତ ସୁଖରେ ବସବାସ କରିବା ପାଇଁ ଅତି କଷ୍ଟରେ ଏକ ଦୁଇ ବଖରା ଘର ତିଆରି କରି ଶେଷରେ ଋଣ ଗ୍ରସ୍ତ ହୋଇ ଋଣ ଶୁଝିବା ପାଇଁ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଚାଲିଗଲେ ସ୍ୱାମୀ,ବର୍ତମାନ ଏକ ବର୍ଷର ଝିଅକୁ ଧରି ସ୍ୱାମୀର ଫେରିବା ବାଟକୁ ଅନେଇ ବସିଛି ସ୍ତ୍ରୀ। ନବରଙ୍ଗପୁର ଜିଲ୍ଲା ଝରୀଗାଁ ବ୍ଲକ ବଡ଼ ଟେମରା ପଞ୍ଚାୟତ ଅନ୍ତର୍ଗତ ମୁଣ୍ଡାପଦର ଗ୍ରାମରେ ଭୁବନ ଯାନୀ (୨୭) ଓ ସ୍ତ୍ରୀ ଜଳନ୍ଦ୍ରି ଯାନୀ (୨୪) ଓ ଏକ ଛୋଟ ଝିଅକୁ ନେଇ ଦୁଇ ବର୍ଷ ହେବ ପର ପିଣ୍ଡାରେ ଆଶ୍ରୟ ନେବା ପରେ କୁଳି ମଜୁରୀ କରି ଅତି କଷ୍ଟରେ କିଛି ଅର୍ଥ ସଂଚୟ କରି ଦୁଇ ବଖରା ବିଶିଷ୍ଟ ଏକ ଝାଟି ମାଟି ଘର ତିଆରି କଲେ ଭୁବନ କିନ୍ତୁ ଏହି ଦୁଇ ବଖରା ଘର କାନ୍ଥଟି ସମ୍ପୂର୍ଣ୍ଣ ମାଟିରେ ତିଆରି ହୋଇଥିବା ବେଲେ ଛାଉଣୀରେ ପଡିଛି କିଛି ଜରି ପାଳ ଓ ନଡା,ଝଡ ବତାସରୁ ଛାଉଣୀକୁ ରକ୍ଷା କରିବା ପାଇଁ ତା ଉପରେ ରଖିଛନ୍ତି କିଛି ଗଛର ଡାଳ ଓ ପତ୍ର।ଭୁବନଙ୍କ ସ୍ତ୍ରୀ ଜଳାନ୍ଦ୍ରିଙ୍କ କହିବା ପ୍ରକାରେ ତାଙ୍କ ପରିବାରକୁ ପ୍ରଶାସନ ସବୁବେଳେ ଅଣଦେଖା କରି ଆସୁଛି ନା ଅଛି ସେମାନଙ୍କୁ ପାଖରେ ରେସନ କାର୍ଡଟିଏ ନା ଅଛି ମୁଣ୍ଡ ଗୁଞ୍ଜିବା ପାଇଁ ଭଲ ଘର ଖଣ୍ଡେ। ଏହି ଝାଟି ମାଟିର ଘରଟି ତିଆରି କରିବାକୁ ଯାଇ କିଛି ବ୍ୟକ୍ତିଙ୍କ ଠାରୁ ଅର୍ଥ ଧାରକରଜ କରିଥିଲେ ଭୁବନ, ସେ ଧାରକରଜ ଶୁଝିବା ପାଇଁ ଏବେ ସେ ବାହାର ରାଜ୍ୟରେ ଦାଦନ ଶ୍ରମିକ।ଭୁବନଙ୍କ ପିତୃ ଅର୍ଜିତ ସମ୍ପତି କହିଲେ କିଛି ନାହିଁ ଓ ଭୁବନଙ୍କ ପିତାମାତା ଦୁହେଁ ବର୍ଷ ବର୍ଷ ଧରି ଗ୍ରାମର ଗାଇଗୋରୁ ଛେଲିମେଣ୍ଡା ଚରେଇ ଅତି ନିର୍ଦୋୟ ଅବସ୍ଥାରେ ସେମାନଙ୍କର ଜୀବିକା ନିର୍ବାହ କରୁଛନ୍ତି। ଅନ୍ୟପକ୍ଷେ ପ୍ରଶାସନ ଧନୀ ଓ ମଧ୍ୟବିତ୍ତ ଶ୍ରେଣୀର ଲୋକମାନଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ କରି ଘର ଉପରେ ଘର ଦେଉଥିବା ବେଲେ ଭୁବନଙ୍କ ପରି ନିରୀହ ଲୋକେ ଏହି ଯୋଜନାରୁ ବାଦ ପଡୁଛନ୍ତି। ଯାହାକୁ ଘର ଖଣ୍ଡିକର ଅତ୍ୟନ୍ତ ଆବଶ୍ୟକ ତାକୁ ଘର ଦିଆଯାଉନି, ଆଉ ଯାହାର ବଡ଼ ବଡ଼ କୋଠା ସାଙ୍ଗକୁ ଗାଡି ମଟର ରହିଛି ସେ ଅଫିସ ବାବୁଙ୍କ ମୋଟା ଅଙ୍କର ହାତ ଗୁଂଜା ଦେଇ ଏହି ଯୋଜନାର ଯୋଗ୍ୟ ହିତାଧିକାରୀ ହୋଇ ଘର ସବୁ ହାତେଇ ନେଉଛି।ଜ଼ିଲ୍ଲା ପ୍ରଶାସନ ଝରୀଗାଁ ବ୍ଲକର ଏହି ପରି ଦୁର୍ନୀତିର ଏକ ଭିଜିଲାସନ୍ସ ତଦନ୍ତ କରିବା ପାଇଁ ଝରୀଗାଁର ସାଧାରଣ ଗରିବ ଦୁଃଖୀ ଗୁହାରି କରିଛନ୍ତି।କଥାରେ ଅଛି “ତେଲିଆ ମୁଣ୍ଡରେ ତେଲ” ଗରିବ ଦୁଃଖୀର କଥା କିଏ ଶୁଣୁଛନ୍ତି,ଯେଉଁଥିପାଇଁ କି କେନ୍ଦ୍ର ସରକାରଙ୍କ ଏହି ଲୋକାଭିମୁଖୀ ଯୋଜନାଟି ଝରୀଗାଁ ବ୍ଲକରେ ସଫଳ ରୂପାୟନ ହୋଇ ପାରୁ ନାହିଁ। ଭୁବନଙ୍କ ଭଳି ଅନେକ ନିରୀହ ଜନସାଧାରଣ ଏହି ଝରୀଗାଁ ବ୍ଲକରେ ଅତି ଦୟନୀୟ ଭାବେ ଜୀବନ ଯାପନ କରୁଛନ୍ତି। ପ୍ରଶାସନ ଯଦି ପ୍ରକ୍ରୁତ ହିତାଧିକାରୀଙ୍କ ଚିହ୍ନଟ କରି ଏହି ଯୋଜନାରେ ସାମିଲ କରନ୍ତେ ତେଵେ ଝରୀଗାଁ ବ୍ଲକରେ ଏହି ଯୋଜନା ଟି ସଫଳ ହୁଅନ୍ତା ବୋଲି ଜ୍ଞାନୀ ଗୁଣି ଓ ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି।
