ପୌରାଣିକ ନାଟକ ‘ମହାଦାନୀ କର୍ଣ୍ଣ’ର ସଫଳ ରୂପାୟନ

add-all

ବ୍ରହ୍ମପୁର : ବ୍ରହ୍ମପୁର ଡାଇମଣ୍ଡ ଜୁବଲୀ ହଲ ଠାରେ ନୂପୁର ଅନୁଷ୍ଠାନ ଦ୍ଵାରା ଆୟୋଜିତ ମାସିକ ‘ନୂପୁର ନାଟ୍ୟ ଆସର’ ନିଖିଳ ଓଡ଼ିଶା ବରିଷ୍ଠ କଳାକାର ମହାସଂଘର କଳାକାର ମାନଙ୍କୁ ନେଇ ଏକ ପୌରାଣିକ ନାଟକ ‘ମହାଦାନୀ କର୍ଣ୍ଣ’ ଅତ୍ୟନ୍ତ ସଫଳତାର ସହ ପରିବେଷଣ ହୋଇଯାଇଛି । ସୁହାନୀ କ୍ରିଏସନ୍ ପ୍ରଯୋଜିତ ଏହି ନାଟକଟିକୁ ନାଟ୍ୟକାର ଲୋକନାଥ ବେହେରା ରଚନା କରିଥିବା ବେଳେ ସୀମାନ୍ତ ନଟରାଜ ଡ଼ା. ତିରୁପତି ସାହୁ ନିର୍ଦ୍ଦେଶନା ଦେଇଥିଲେ । ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ସ୍ୱରବିବୁଧ ରମେଶ ଚନ୍ଦ୍ର ସ୍ୱାଇଁ ଏବମ୍ ମାଷ୍ଟର ସଞ୍ଜୟ କୁମାର ବିଷୋୟୀ । ଯନ୍ତ୍ର ସଙ୍ଗୀତର ମୂର୍ଚ୍ଚନା ତୋଳିଥିଲେ ପି. ଶଙ୍କର ଏଵଂ ସାଥୀ ।
ମଞ୍ଚ ନାଟକ କ୍ଷେତ୍ରରୁ ପୌରାଣିକ ନାଟକର କ୍ରମ ବିଲୁପ୍ତି କାଳରେ ମହାସଂଘ ପକ୍ଷରୁ ପୁନଶ୍ଚ ପୌରାଣିକ ନାଟକ ସମ୍ପାନ କ୍ରମେ ପରିବେଷିତ ନାଟକଟିରେ ମହାଦାନୀ କର୍ଣ୍ଣଙ୍କ ମାନବିକ ମୂଲ୍ୟବୋଧ ସହ ନିଷ୍ଠାପର ତଥା ଅକୁଣ୍ଠ ଦାନର ଗରୀମା ପ୍ରକଟିତ ହୋଇଛି । ଏଥିରେ ସର୍ବଶ୍ରୀ ଡ଼ା. ତିରୁପତି ସାହୁ, ଯୁଦ୍ଧିଷ୍ଠୀର ଭଞ୍ଜ ସାମନ୍ତ, ସୁବାସ ଚନ୍ଦ୍ର ସାହୁ ରୋଶନ୍, ନୀଳକଣ୍ଠ ନାଲ୍ଲା, ପ୍ରଦୀପ କୁମାର ସାହୁ, କୁନୁ ବେହେରା, ଶେଖର ସାହୁ, ଚାନ୍ଦମାମା ବେହେରା, ରଜନୀ ପ୍ରମୁଖ ଅଭିନୟ କରିଥିଲେ । ବରିଷ୍ଠ କଣ୍ଠଶିଳ୍ପୀ ସୁବାସ ମହାରଣା, ନାଟ୍ୟକାର ରମେଶ ମହାରଣା, ନିର୍ଦ୍ଦେଶକ ମଦନ ମିଶ୍ର, ନାଟ୍ୟ ସଂଗଠକ ଅନିଲ କୁମାର ପାତ୍ର ପ୍ରମୁଖ ଅତିଥି ଭାବରେ ଯୋଗଦେଇ ନୂପୁରର ଏ ମାସିକ ନାଟ୍ୟ ଆସର ମଞ୍ଚ ନାଟକର ବିକାଶରେ ବିଶେଷ ସହାୟକ ହେବ ବୋଲି ଆଶା ପୋଷଣ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନା କ୍ଷେତ୍ରରେ ନୂପୁର ଅନୁଷ୍ଠାନ ତରଫରୁ ସତ୍ୟ ମହାରଣା ସହଯୋଗ କରିଥିଲେ ।

ad-week
Leave A Reply

Your email address will not be published.