ନବରଙ୍ଗପୁର:ତା ୨-୮ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସଭା ଗୃହରେ ଆଜି ଜିଲ୍ଲାପାଳ ଡଃ କମଳ ଲୋଚନ ମିଶ୍ର ଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ଡେଙ୍ଗୁ ନିରାକରଣ ମାସ ପାଳନ ଓ ଅନ୍ତଃ ବିଭାଗୀୟ ଏକାଭିମୁଖୀ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଡେଙ୍ଗୁ ମ୍ଯାଲେରିଆ ଜ୍ଵର ଲକ୍ଷଣ,ପ୍ରତିକାର,ପ୍ରତିରୋଧ ବ୍ୟବସ୍ଥା ତଥା ଏହାର ସଫଳ ନିରାକରଣ ଦିଗରେ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କ ଦାୟିତ୍ଵ ସମ୍ପର୍କରେ ବିଷଦ ଭାବେ ଆଲୋଚନା କରାଯାଇଥିଲା। ଡେଙ୍ଗୁ ମ୍ଯାଲେରିଆ ରୋଗର ନିୟନ୍ତ୍ରଣ ନିମିତ୍ତ ମଶାରୀ ବ୍ୟବହାର, ପରିବେଶ ସଫାସୁତୁରା ରଖିବା, ଜ୍ଵର ହେଲା ମାତ୍ରେ ବିଳମ୍ବ ନ କରି ନିକଟର ଥିବା ସ୍ୱାସ୍ଥ୍ୟ କେନ୍ଦ୍ର କୁ ଯାଇ ଚିକିତ୍ସା କରିବା ସମ୍ପର୍କରେ ଜନସଚେତନତା ସୃଷ୍ଟି କରିବା ଦିଗରେ,ସ୍ଵାସ୍ଥ୍ୟ କର୍ମୀ, ଆଶା,ଅଙ୍ଗନବାଡି କର୍ମୀ ଙ୍କ ପ୍ରମୂଖ ଭୂମିକା ଉପରେ ଗୁରୁତ୍ଵ ଦିଆଯାଇଥିଲା ।ବିଶେଷ କରି ବର୍ଷା ଦିନରେ ସମସ୍ତ ଆବାସିକ ବିଦ୍ୟାଳୟ,ଶିକ୍ଷାଅନୁଷ୍ଠାନ ପରିଷ୍କାର ପରିଚ୍ଛନ୍ନତା ରଖାଯିବା ସହିତ ଛାତ୍ରଛାତ୍ରୀ ମାନଙ୍କୁ ସଚେତନ କରିବା ପାଇଁ ଜିଲ୍ଲା ଶିକ୍ଷାନୁଷ୍ଠାନ ର ମୁଖ୍ୟ ଙ୍କୁ ଜିଲ୍ଲାପାଳ ଡଃ ମିଶ୍ର ନିର୍ଦ୍ଦେଶ ଦେଇଥିଲେ। ମଶା ବାହିତ ରୋଗ ର ନିୟନ୍ତ୍ରଣ ପାଇଁ ସରକାରଙ୍କ ଦ୍ବାରା ସ୍ଵତନ୍ତ୍ର ଡେଙ୍ଗୁ ନିରାକରଣ ସଚେତନତା କାର୍ଯ୍ୟକ୍ରମ ନବରଙ୍ଗପୁର ଜିଲ୍ଲା ରେ ଚଳିତ ଅଗଷ୍ଟ ପହିଲା ତାରିଖ ରୁ ୩୦-୯-୨୪ ତାରିଖ ପର୍ଯ୍ୟନ୍ତ ଚାଲୁରହିବ।ଜିଲ୍ଲାର ସମସ୍ତ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ବ୍ୟାପକ ସଚେତନ କାର୍ଯ୍ୟକ୍ରମ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ, ସମ୍ପୃକ୍ତ ବିଭାଗର ମିଳିତ ସହଯୋଗରେ ଅନୁଷ୍ଠିତ ହେବ।ଆଶା କର୍ମୀ, ଅଙ୍ଗନବାଡି କର୍ମୀ ଘରକୁ ଘର ବୁଲି ଡେଙ୍ଗୁ ଜ୍ୱର ଲକ୍ଷଣ ଓ ଡେଙ୍ଗୁ,ମ୍ଯାଲେରିଆ ରୋଗ ର ନିରାକରଣ ପାଇଁ କିଛି ଜାଣିବା ଓ ସଚେତନ ହେବା ସମ୍ପର୍କରେ ଛାପାଯାଇ ଥିବା ପତ୍ରିକା ବଣ୍ଟନ ସହ ବ୍ୟାପକ ସଚେତନ କରିବେ। ଏହି କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ ଏକ ଖସଡା ପ୍ରସ୍ତୁତ କରିବା ପାଇଁ ଜିଲ୍ଲାପାଳ ଡଃ ମିଶ୍ର ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ନବରଙ୍ଗପୁର ଉମରକୋଟ ପୌରପାଳିକା ର ସମସ୍ତ ୱାର୍ଡ ର ନାଳ ଗୁଡିକ ର ସଫା ରଖିବା ଓ ସହରକୁ ଆବର୍ଜନା ମୁକ୍ତ ରଖିବା ପାଇଁ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ଜିଲ୍ଲାପାଳ ଡଃ ମିଶ୍ର ନିର୍ଦ୍ଦେଶ ଦେଇଥିଲେ। ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା ମଳୟ କୁମାର ତ୍ରିପାଠୀ ଜିଲ୍ଲା କୁ ଡେଙ୍ଗୁ ମ୍ଯାଲେରିଆ ମୁକ୍ତ କରିବା ଦିଗରେ ସମସ୍ତ ଙ୍କର ସହଯୋଗ କାମନା କରିଥିଲେ। ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଡି ଏମ୍ ଓ (ଏମ୍ ଏସ୍) ଡ଼ଃ ନବକିଶୋର ବେହେରା, ଏ ଡି ଏମ୍ ଓ (ପି ଏଚ୍ ଓ) ଡଃ ସୁକାନ୍ତ ଶତପଥି, ଜିଲ୍ଲା ଶିକ୍ଷା ଅଧିକାରୀ ଛତ୍ର ପତି ସାହୁ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସୁଧାଂଶୁ ପାତ୍ର, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ହଳଧର ନିଆଲ, ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ଭରତ ଚନ୍ଦ୍ର ସାହୁ, ବିଭିନ୍ନ ବିଭାଗୀୟ ଅଧିକାରୀ, ଜିଲ୍ଲାର ସମସ୍ତ ବ୍ଲକ୍ ର ମେଡିକାଲ ଅଧିକ୍ଷକ,ସିଡିପିଓ,ସ୍ୱାସ୍ଥ୍ୟ ବିଭାଗ ର ଅଧିକାରୀ କର୍ମଚାରୀ ପ୍ରମୁଖ ଯୋଗଦେଇ ଥିଲେ। ଶେଷରେ ଡି ପି ଏମ୍ ସୁଶାନ୍ତ କୁମାର ପ୍ରହରାଜ ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
