ସରକାରଙ୍କୁ ଚକମା ଦେଲେ ଦଲାଲ : ମଣ୍ଡି ପୂର୍ବରୁ ପଡୋଶୀ ରାଜ୍ୟକୁ ଚାଲାଣ ହେଉଛି ଧାନ

add-all

ମାଲକାନଗିରି, ୨୭।୧୦ : ମାଲକାନଗିରି ଜିଲ୍ଲାରେ ମଣ୍ଡି ଖୋଲିବା ପୂର୍ବରୁ ଦଲାଲ ଧାନ କିଣି ବାହାରକୁ ଚାଲାଣ କରିବା ଆରମ୍ଭ କଲେଣି। କିଛି ଏପରି ଚିତ୍ର ଆସିଛି ମାଲକାନଗିରି ଜିଲ୍ଲା ଏମଭି ୪୩ ଗ୍ରାମରୁ। ଯେଉଁଠି ମଣ୍ଡି ନଖୋଲୁଣୁ ପଡ଼ୋଶୀ ଆନ୍ଧ୍ର ଓ ତେଲେଙ୍ଗାନାକୁ ଚାଲାଣ ହେଉଛି ଧାନ। ଚାଷୀଙ୍କଠାରୁ କ୍ୱିଣ୍ଟାଲ ପିଛା ୨ ହଜାର ଟଙ୍କାରେ ଧାନ କିଣି ରାଜ୍ୟ ବାହାରକୁ ଚାଲାଣ କରୁଛନ୍ତି ଦଲାଲ। ରାଜ୍ଯରେ ନୂଆ ସରକାର ଆସିବା ପରେ ରାଜ୍ୟରେ ଚାଷୀଙ୍କୁ ବର୍ଦ୍ଧିତ ମୂଲ୍ୟ ଦେଇ ଧାନ କିଣିବେ ଏବଂ ଚାଷୀ ଅଧିକ ଲାଭବାନ ହେବେ ବୋଲି ଡିଣ୍ଡିମ ପିଟୁଥିବା ବେଳେ ଏପରି ଚିତ୍ର ସରକାରଙ୍କ ପ୍ରତିଶ୍ରୁତି ଉପରେ ପ୍ରଶ୍ନ ଉଠାଇଛି। ଗୋଟିଏ ପଟେ ମଣ୍ଡି ଗୁଡିକୁ ମନ୍ତ୍ରୀ ଜଗିବେ ବୋଲି ସରକାର କହୁଥିବା ବେଳେ ଅନ୍ୟପଟେ ମଣ୍ଡି ଖୋଲିବା ପୂର୍ବରୁ ଦଲାଲ ମାତିଲେଣି। ମୋହନ ସରକାର ଧାନର ଏମଏସପି ୩୧ଶହ ଟଙ୍କାକୁ ବୃଦ୍ଧି କରିଛନ୍ତି, ତା ସତ୍ତ୍ୱେ ଚାଷୀମାନେ ଦଲାଲଙ୍କୁ କ୍ୱିଣ୍ଟାଲ ପିଛା ୨ ହଜାର ଟଙ୍କାରେ ଧାନ ବିକୁଛନ୍ତି କାହିଁକି ବୋଲି ସାଧାରଣରେ ପ୍ରଶ୍ନ ଉଠିଛି। ଜିଲ୍ଲାର ଏମଭି ୪୩ ଗ୍ରାମରେ ଏପରି ଧାନର କଳା ବଜାରୀ ହେଉଥିବା ବେଳେ ଏନେଇ ଚାଷୀ ମାନେ ପ୍ରକାଶ କରିଛନ୍ତି ଯେ, ଆମକୁ ମଣ୍ଡିରେ ବିଭିନ୍ନ ନିୟମ ଅନୁଯାୟୀ ଯେତିକି ଧାନ ବିକ୍ରି ପାଇଁ ଅନୁମତି ମିଳିବ ସେତିକି ରାଖୀ ଯାହା ବି ଅଧିକ ଧାନ ଅମଳ ହେଉଛି ତାହାକୁ ଆମେ ରଖି ଅଧିକ ଅମଳ ଧାନକୁ କମ ଦରରେ ବିକ୍ରି କରି ଦେଉଛୁ। ଏହା ସହ ଆମେ ଧର କରଜ କରି ଚାଷ କରୁଥିବା ବେଳେ ବକେୟା ଅର୍ଥ ସୁଝିବା ପାଇଁ ଆଗୁଆ ଭାବେ ଧାନ ବିକ୍ରି କରୁଥିବା ମଧ୍ୟ କିଛି ଚାଷୀ ପ୍ରକାଶ କରିଛନ୍ତି। ମଣ୍ଡି ପୂର୍ବରୁ ଏପରି କଳା ବଜାରୀ ଆରମ୍ଭ ହୋଇଥିବା ବେଳେ ରାଜ୍ୟ ସରକାର ଓ ପ୍ରଶାସନ କିପରି ନୀରବ ରହିଛନ୍ତି ତାହାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି।

ad-week
Leave A Reply

Your email address will not be published.