
ମାଲକାନଗିରି,୧୧।୩ : ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ସୁକମା ଜିଲ୍ଲାରେ ମାଓ ଦମନ ତଲାସି ଅଭିଯାନ ବେଳେ ଯବାନଙ୍କ ଦ୍ଵାରା ଜଣେ ୨ ଲକ୍ଷ ଇନାମି ମାଓବାଦୀ ଗିରଫ ହୋଇଛି। ସୂଚନା ଅନୁଯାୟୀ ସୁକୁମା ଜିଲ୍ଲାର କୋଣ୍ଟା ଥାନାରୁ ଜିଲ୍ଲା ପୋଲିସ ଏବଂ ସିଆରପିଏଫ ଯବାନ ମାନେ ବଣ୍ଡା ପୁଲିଆ ଗ୍ରାମ ଅଭିମୁଖେ ବାହାରି ତଲାସି ଅଭିଯାନ କରୁଥିଲେ। ମାଓ ଦମନ ନିମନ୍ତେ ଜାରି ଥିବା ଏହି ଅଭିଯାନ ସମୟରେ ବଣ୍ଡା ପୁଲିଆ ଗ୍ରାମ ନିକଟସ୍ଥ ଜଙ୍ଗଲରେ କିଛି ବ୍ୟକ୍ତି ଯବାନଙ୍କୁ ଦେଖି ଲୁଚି ପଳାଇବାକୁ ଉଦ୍ୟମ ବେଳେ ଯବାନ ମାନେ ସେମାନଙ୍କ ମଧ୍ୟରୁ ଜଣଙ୍କୁ କାବୁ କରିବାରେ ସଫଳ ହୋଇଥିଲେ। ପଚରା ଉଚରା ବେଳେ ଉକ୍ତ ବ୍ୟକ୍ତି ଜଣଙ୍କ ନିଜକୁ ମାଓବାଦୀ ବୋଲି ସ୍ଵୀକାର କରିବା ସହ ତାରନାମ ମାଡକାମ ରାମା ବୋଲି ପ୍ରକାଶ କରିଥିଲା। ତୁରନ୍ତ ଯବାନ ମାନେ ଉକ୍ତ ମାଓବାଦୀକୁ ଗିରଫ କରି ଅଧିକ ତଦନ୍ତ ବେଳେ ସେ ମାଓ ସଙ୍ଗଠନର ଆରପିସି ମିଲିସିଆ କମାଣ୍ଡର ଭାବରେ କାର୍ଯ୍ୟ କରୁଥିବା ତା ନାମରେ ୨ ଲକ୍ଷର ଇନାମ ରହିଥିବା ଜାଣିବାକୁ ପାଇଥିଲେ। ଗିରଫ ମାଓବାଦୀ ଠାରୁ ନକ୍ସଲ ବ୍ୟାନର, ତୀର, ଧନୁ ଆଦି ଅସ୍ତ୍ର ସହ ବିଭିନ୍ନ ସାମଗ୍ରୀ ଜବତ କରାଯାଇ ତାକୁ କୋର୍ଟ ଚାଲାଣ କରାଯାଇଛି।