
ହିଞ୍ଜିଳିକାଟୁ : ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ବ୍ଳକ ତଥା ହିଞ୍ଜିଳି ଥାନା ବୁରୁପୋଡା ଗ୍ରାମ ପଞ୍ଚାୟତରେ ସରପଞ୍ଚ ଓ ସମିତିସଭ୍ୟଙ୍କ ମଧ୍ୟରେ ବିବାଦ ଦିନକୁ ଦିନ ଘନେଇବାରେ ଲାଗିଛି। ବୁଧବାର ଅପରାହ୍ନରେ ମହିଳା ସରପଞ୍ଚଙ୍କ ଘରେ ପଶି ସମିତିସଭ୍ୟ ଓ ତାଙ୍କର ସମର୍ଥକ ମାନେ ସରପଞ୍ଚ ଓ ତାଙ୍କ ପରିବାର ସଦସ୍ୟଙ୍କୁ ଆକ୍ରମଣ କରିଥିବା ନେଇ ହିଞ୍ଜିଳି ଥାନାରେ ଅଭିଯୋଗ ହୋଇଛି। ଅନ୍ୟପକ୍ଷରେ ପଞ୍ଚାୟତରେ ଏକ ଉନ୍ନୟନ କାର୍ଯ୍ୟକୁ ନେଇ ସରପଞ୍ଚଙ୍କ ସ୍ବାମୀ ଓ ତାଙ୍କ ସମର୍ଥକ ମାନେ ମାରଣାସ୍ତ୍ର ଦେଖାଇ ସମିତି ସଭ୍ୟଙ୍କୁ ଭୟଭୀତ କରିବା ସହ ହତ୍ୟା ଧମକ ଦେଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ଏ ନେଇ ହିଞ୍ଜିଳି ଥାନାରେ କେସ ନମ୍ବର ୨୦୦/୨୫ ଓ ୨୦୧/୨୫ ରେ ୨ଟି ପୃଥକ ମାମଲା ରୁଜୁ ହୋଇଛି।
ପ୍ରକାଶ ଥାଉକି, ହିଞ୍ଜିଳିକାଟୁ ବ୍ଲକ୍ ବୁରୁପୋଡା ପଞ୍ଚାୟତର ସରପଞ୍ଚ ରୀନା ବେହେରା ବୁଧବାର ଅପରାହ୍ନରେ ଘରେ ଥିବା ସମୟରେ ସଂପୃକ୍ତ ପଞ୍ଚାୟତର ସମିତିସଭ୍ୟ ବସନ୍ତ କୁମାର ସେଠି ଓ ତାଙ୍କର ପ୍ରାୟ ୧୨ ଜଣ ସହଯୋଗୀ ସରପଞ୍ଚଙ୍କ ଘରେ ପଶି ସରପଞ୍ଚଙ୍କ ସ୍ବାମୀ ରାଜେନ୍ଦ୍ର ବେହେରା କୁଆଡେ ଯାଇଛନ୍ତି ବୋଲି ପଚାରିଲେ। ସେହି ସମୟରେ ରାଜେନ୍ଦ୍ର ଘରୁ ବାହାରକୁ ଆସିବାରୁ ସମିତି ସଭ୍ୟ ହଠାତ୍ ଉତକ୍ଷିପ୍ତ ହୋଇ ପଞ୍ଚାୟତରେ ଚାଲିଥିବା ଉନ୍ନୟନ କାର୍ଯ୍ୟ ସ୍ଥଳକୁ ନଯିବାକୁ କହିବା ସହ ଅସଭ୍ୟ ଭାଷାରେ ଗାଳିଗୁଲଜ କରିଥିଲେ। ପରେ ସମିତିସଭ୍ୟ ଓ ତାଙ୍କ ସହଯୋଗୀ ମାନେ ମିଶି ରାଜେନ୍ଦ୍ରଙ୍କୁ ମାଡ ମାରିଥିଲେ। ଆକ୍ରମଣରେ ସରପଞ୍ଚଙ୍କ ସ୍ବାମୀ ତଳେ ପଡିଯିବାରୁ ସରପଞ୍ଚ କାହିଁକି ମାଡ ମାରୁଛ ବୋଲି ପଚାରିଲେ। ପରେ ସମିତି ସଭ୍ୟ ଓ ସହଯୋଗୀ ମାନେ ମିଶି ମହିଳା ସରପଞ୍ଚଙ୍କ ଲୁଗା ଝିକିବା ସହ ଟଣାଓଟରା କରିଥିଲେ ବୋଲି ସରପଞ୍ଚ ଅଭିଯୋଗ କରିଛନ୍ତି। ପାଟିତୁଣ୍ଡ ଶୁଣି ଗ୍ରାମର କିଛି ଲୋକେ ଘଟଣା ସ୍ଥଳରେ ପହଞ୍ଚିବାପରେ ସମିତି ସଭ୍ୟ ଓ ତାଙ୍କ ସହଯୋଗୀ ମାନେ ହତ୍ୟା ଧମକ ଦେଇ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ । ଏ ନେଇ ମହିଳା ସରପଞ୍ଚ ରୀନା ବେହେରା ଘଟଣା ନେଇ ହିଞ୍ଜିଳି ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ଭିତ୍ତିରେ ହିଞ୍ଜିଳି ଥାନାରେ କେସ ନମ୍ବର ୨୦୧/୨୫ ରେ ଏକ ମାମଲା ରୁଜୁ କରି ପୁଲିସ ଘଟଣାର ତଦନ୍ତ ଚଳାଇଛି। ଅନ୍ୟପକ୍ଷରେ ବୁଧବାର ଅପରାହ୍ନରେ ସରପଞ୍ଚଙ୍କ ସ୍ବାମୀ ଓ କିଛି ସହଯୋଗୀ ଏକ ମାରଣାସ୍ତ୍ର ଧରି ପୋଡିଙ୍ଗି ଗ୍ରାମକୁ ଯାଇ ସମିତିସଭ୍ୟଙ୍କୁ ଉନ୍ନୟନ କାର୍ଯ୍ୟ କରିବାକୁ ତୁମେ କିଏ ବୋଲି ପଚାରିବା ସହ ଅସଭ୍ୟ ଭାଷାରେ ଗାଳିଗୁଲଜ କରିଥିଲେ। ପରେ ଧରିଥିବା ଏକ ମାରଣାସ୍ତ୍ର ଦେଖାଇ ଭୟଭୀତ କରିବା ସହ ହତ୍ୟା ଧମକ ଦେଇଥିଲେ ବୋଲି ସମିତି ସଭ୍ୟ ବସନ୍ତ ସେଠି ହିଞ୍ଜିଳି ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ଭିତ୍ତିରେ ହିଞ୍ଜିଳି ଥାନାରେ କେସ ନମ୍ବର ୨୦୦/୨୫ ରେ ଆଉ ଏକ ମାମଲା ରୁଜୁ କରି ପୁଲିସ ଘଟଣାର ତଦନ୍ତ ଚଳାଇଥିବା ଥାନା ଆଇଆଇସି ଶ୍ରୀନିବାସ ସେଠିଙ୍କ ସୂତ୍ରରୁ ପ୍ରକାଶ।