
ହିଞ୍ଜିଳିକାଟୁ,୩୦।୩(): ଗତ ୧୭ ତାରିଖ ସନ୍ଧ୍ୟା ପ୍ରାୟ ୬ ଘଣ୍ଟା ସମୟରେ ହିଞ୍ଜିଳିକାଟୁ ବନ ବିଭାଗ ନନ୍ଦିକ ବିଟ୍ ଅଧୀନ ସାହାପୁର ଗ୍ରାମ ରାସ୍ତା ଅତିକ୍ରମ କରୁଥିବା ବେଳେ ଏକ ହରିଣ ବାଇକ ଦୁର୍ଘଟଣାର ଶିକାର ହୋଇ ଗୁରୁତର ଆହତ ହୋଇଥିଲା। ସେହିଦିନ ରାତ୍ର ସାଢେ଼ ୮ଟା ବେଳେ ବନ ବିଭାଗର ଅସ୍ଥାୟୀ କର୍ମଚାରୀ ମାନେ ଆହତ ହରିଣକୁ ଉଦ୍ଧାର କରି ହିଞ୍ଜିଳିକାଟୁ ପଶୁ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସହକାରୀ ପଶୁ ଚିକିତ୍ସକ ଔଷଧ ଓ ଇଞ୍ଜେକସନ ଦେଇ ପ୍ରାଥମିକ ଚିକିତ୍ସା ବ୍ୟବସ୍ଥା କରିଥିଲେ। ବାଇକ ଦୁର୍ଘଟଣାରେ ଆହତ ହରିଣର ମେରୁଦଣ୍ଡରେ ଆଘାତ ଲାଗିଥିବା ବେଳେ ଏହାର ପ୍ରଭାବରେ ପଛ ଗୋଡ ଦୁଇଟି ଅଚଳ ଅବସ୍ଥାରେ ଥିବା ସେ କହିଥିଲେ। ପଶୁ ଡ଼ାକ୍ତରଙ୍କ ପରାମର୍ଶ ଅନୁସାରେ ଆହତ ହରିଣର ଏକ୍ସରେ କରାଯାଇ ମେରୁଦଣ୍ଡ ଆଘାତର ବାସ୍ତବ ସ୍ଥିତି ଅନୁଧ୍ୟାନ କରିବାର ପ୍ରୟୋଜନ ଥିଲା। କିନ୍ତୁ ତାହା କରା ନ ଯାଇ ଆବାସିକ କାର୍ଯ୍ୟାଳୟ ଓ ପରେ ବୁଗୁଡ଼ା ପଲ୍ଲୀ ଚାରା ଉତ୍ପାଦନ କେନ୍ଦ୍ରରେ ହରିଣକୁ ରଖା ଯାଇଥିଲା। ଆବାସିକ କାର୍ଯ୍ୟାଳୟରେ ରଖାଯାଇ ଗୁରୁତର ଥିବା ହରିଣର ଉପଯୁକ୍ତ ଚିକିତ୍ସା ବ୍ୟବସ୍ଥା କରାଯାଇ ପାରନ୍ତା।କିନ୍ତୁ ଚାରା ଉତ୍ପାଦନ କେନ୍ଦ୍ରର ଏହି ନିକାଞ୍ଚନ ସ୍ଥାନକୁ ବନପାଳ ଓ ବନରକ୍ଷୀ ହରିଣର ଜରୁରୀ ଚିକିତ୍ସା ଓ ଦେଖାଶୁଣା କରିବାର ଉପଯୁକ୍ତ ସ୍ଥାନ ବୋଲି କିପରି ବିବେଚନା କରି ସ୍ଥାନାନ୍ତର କଲେ ତାହା ଏବେ ପ୍ରମୁଖ ପ୍ରଶ୍ନ ପାଲଟିଛି । କେଉଁମାନେ ସେଠାରେ ନିୟମିତ ଭାବେ ଉପସ୍ଥିତ ରହି ଗୁରୁତର ହରିଣର ଆବଶ୍ୟକୀୟ ସେବା ଓ ଜୀବନ ସୁରକ୍ଷାର ଦାୟିତ୍ଵ ବହନ କରିଥିଲେ ତାହା ମଧ୍ୟ ସନ୍ଦେହ ସୃଷ୍ଟି କରିଛି। ପ୍ରଚଣ୍ଡ ରୌଦ୍ରତାପ ଓ ଉପଯୁକ୍ତ ପରିବେଶ ଓ ଚିକିତ୍ସା ବ୍ୟବସ୍ଥା ଅଭାବରୁ ଜୀବନ ମରଣ ସହ ସଂଘର୍ଷ କରୁଥିବା ହରିଣର ମୃତ୍ୟ ସେହି ଚାରା ଉତ୍ପାଦନ କେନ୍ଦ୍ର ପରିସରରେ ହିଁ ଘଟିଥିବା ଆଶଙ୍କା ଘନୀଭୂତ ହୋଇଛି। ନିଜ ଦାୟିତ୍ୱ, ଦୋଷ ଦୁର୍ବଳତା ଓ ଅପାରଗତାକୁ ଲୁଚାଇବା ଉଦ୍ଦେଶ୍ୟ ରଖି ସାଧାରଣରେ ଅସୁସ୍ଥ ହରିଣର ସୁସ୍ଥ ଥିବା ନାଟକ ରଚାଯାଇଥିଲା ବୋଲି ପରିବେଶ ଓ ପରିସ୍ଥିତିରୁ ଜଣାପଡ଼ିଛି।ଏପରିକି ସାହାପୂର ହରିଣ ବିଚରଣ ସ୍ଥଳରେ ମୃତ ହରିଣକୁ ପିଲା ମାନେ ଛାଡ଼ି ଆସିଥିବା କହି ଚତୁର ବନରକ୍ଷୀ ଜଣକ ହବଡେଇ ହୋଇ ସୁଚନା ଦେଇଥିଲେ। ତଥାପି ଏହି ସମ୍ବେଦନଶୀଳ ସତ ଘଟଣାକୁ ଲୁଚାଇବା ପାଇଁ ବନ୍ୟପ୍ରାଣୀ ନିୟମ ଅନୁସାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ମୃତ ହରିଣର ବ୍ୟବଛେଦ କରିବାକୁ ମଧ୍ୟ ପଦକ୍ଷେପ ଗ୍ରହଣ କରିନାହାନ୍ତି। ଯାହାକି ପଶୁ ଚିକିତ୍ସାଳୟ କର୍ତ୍ତୃପକ୍ଷଙ୍କ ନିକଟରେ ଏହି ଖବର ନ ଥିବା ଜଣାପଡ଼ିଛି। ଏଣୁ ଏହି ଅନିୟମିତା ପାଇଁ କେଉଁ ମାନେ ଉତ୍ତରଦାୟୀ ଏହାର ଏକ ଉଚ୍ଚ ସ୍ତରୀୟ ନିରପେକ୍ଷ ତଦନ୍ତର ଆବଶ୍ୟକତା ରହିଛି ବୋଲି ସାଧାରଣରେ ଦାବି ହୋଇଛି।