ନବଜୀବନ ବସନ୍ତ ମହୋତ୍ସବ ଉଦଯାପିତ : ମନ ମୋହିଲା ନାଟକ ‘କାଉଁର’

ସୁନ୍ଦରଗଡ : ନବଜୀବନ ଆୟୋଜିତ “ବସନ୍ତ ମହୋତ୍ସବ”ର ବିଦାୟୀ ସନ୍ଧ୍ୟାରେ ଆୟୋଜିତ ହୋଇଯାଇଛି ନାଟକ “କାଉଁର”। ଏହା ହେଉଛି ବିଶିଷ୍ଟ ନାଟ୍ୟକାର, ନିର୍ଦ୍ଦେଶକ, ପ୍ରଯୋଜକ ସ୍ବର୍ଗତ ପ୍ରଦୀପ ଭୋଳଙ୍କ ଏକ କାଳଜୟୀ ରଚନା। ଏହି ରଚନାରେ ଲୁଚି ରହିଛି ବିଶ୍ୱାସଘାତକତାର ବିକଟାଳ ପରିଣତି। ନାଟକରେ ସ୍ୱାଧୀନତା ସଂଗ୍ରାମୀ ଗିରିଶ ବାବୁ ଗାନ୍ଧୀଙ୍କ ଆଦର୍ଶରେ ମଉକା ପାଇବା ସତ୍ତ୍ୱେ ବିଧାୟକ ନ ହୋଇ କୌଣସି ପଦପଦବୀ ନ ନେଇ ନିଜ ଘରେ କାମ କରୁଥିବା ଚାକର ଲେକ୍ରୁ ନାଏକକୁ ବିଧାୟକ ଭାବରେ ନିର୍ବାଚିତ କରାଇ ପରବର୍ତ୍ତୀ ସମୟରେ ତାଙ୍କ ସମ୍ପତ୍ତି ହଡ଼ପ କରିବା ମନ୍ଦ ଉଦ୍ଦେଶ୍ୟରେ ବିଶ୍ୱାସଘାକତା କରିଥିଲେ। ଗିରିଶ ବାବୁ ଅନ୍ୟ ଏକ ଅନାଥ ଓ ମାନସିକ ଭାବେ ଅନଗ୍ରସର କନ୍ୟା ତାରାକୁ ମଧ୍ୟ ନିଜେ ପାଳନ କରିବା ସମୟରେ ସେ ମଧ୍ୟ ଜାଣି ପାରିଥିଲା ଲେକ୍ରୁର ବିଶ୍ବାସଘାତକତା। ସୁଯୋଗ ପାଇ ତାରା ଶାସ୍ତି ଦିଏ ଲେକ୍ରୁକୁ। ବିଶ୍ବାସଘାତକତା ପରି “କାଉଁର” ଅର୍ଥାତ୍ ଶିଉଳିରେ ଗୋଡ଼ ଦେଲେ ମଣିଷର ପରିଣତି ଯେ ଦୁର୍ଦ୍ଦଶାଗ୍ରସ୍ତ ହୁଏ ଏହା ଏହି ନାଟକରୁ ବାରି ହୋଇ ପଡ଼େ। ବିଜୁ ମହାରଣାଙ୍କ ବଳିଷ୍ଠ ନିର୍ଦ୍ଦେଶନା ଓ ସୁଶ୍ରୀ ସସ୍ମିତା ସାହୁଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ଏହି ନାଟକଟି ଜୀବନ୍ତ ହୋଇଥିଲା। ଦେବେନ୍ ଅମାତ ତଥା ଅଶ୍ଵିନୀ ପଟେଲଙ୍କ ନିଖୁଣ ଚିତ୍ରକଳା ଓ ମଞ୍ଚ ସଜ୍ଜା ସମସ୍ତଙ୍କ ମାନମୋହି ନେଇଥିଲା। ଆଲୋକ ଓ ଧ୍ୱନିକୁ ଦକ୍ଷତା ସହିତ ପରିଚାଳନା କରିଥିଲେ ଗୋପକୃଷ୍ନ ନାଏକ ଓ କୁମୁଦ ପଣ୍ଡା।

ଏହି ନାଟକରେ ଅନିଲ ପଟେଲ, କିଶୋର ରଥ, ଶିବ ଆଚାର୍ଯ୍ୟ, ବୃନ୍ଦାବନ ଦାଶ, ଲକ୍ଷ୍ମୀପ୍ରଭା ପତି, ଲତିକା ପଟ୍ଟନାୟକ, ପୂଜା ବେହେରା, ଦେବାଶିଷ ମହାଲିଙ୍ଗ, ଲିଜାରାଣୀ ସାହୁ, ରୋଶନ୍ ପଟେଲ, ସଚିନ ସାହୁ, ଅଶ୍ଵିନୀ ପଟେଲ, ବିଜୁ ମହାରଣା ଓ ସିଦ୍ଧାନ୍ତ ପଣ୍ଡାଙ୍କ ଅଭିନୟ ମନ୍ତ୍ରମୁଗ୍ଧ କରି ଦେଇଥିଲା ଉପସ୍ଥିତ ଦର୍ଶକଗଣଙ୍କୁ। ଉଦଯାପନୀ ସନ୍ଧ୍ୟାରେ ସୁନ୍ଦରଗଡ ବିଧାୟକ ଯୋଗେଶ କୁମାର ସିଂ, ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ ସ୍ଵତନ୍ତ୍ର ଅତିଥି ଓ ଜିଲ୍ଲା ଶିକ୍ଷା ଅଧିକାରୀ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ। ସ୍ବର୍ଗତ ପ୍ରଦୀପ ଭୋଳଙ୍କ ସ୍ମୃତିରେ ତାଙ୍କ ଦେହାବସାନ ପରେ ପ୍ରତ୍ୟେକ ବସନ୍ତ ମହୋତ୍ସବରେ ରାଜ୍ୟର ନାଟ୍ୟ ଜଗତର ଜଣେ ମହାନ୍ ବ୍ୟକ୍ତିଙ୍କୁ ସମ୍ମାନିତ କରାଯାଏ ପ୍ରଦୀପ ଭୋଳ ସ୍ମୃତି ସମ୍ମାନରେ। ଏହି ପରିପ୍ରେକ୍ଷୀରେ ଏହି ସଂସ୍କରଣରେ ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ ବିଶିଷ୍ଟ ନାଟ୍ୟକାର ଓ ନିର୍ଦ୍ଦେଶ ଶରତ କୁମାର ଦାଶଙ୍କୁ ଉପଢୌକନ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ। ବିଦାୟୀ ସନ୍ଧ୍ୟାରେ ସୁଜାତା ପରିଡ଼ା ଓ ଆୟୁଶ୍ରୀ ତ୍ରିପାଠୀଙ୍କ ହୃଦୟସ୍ପର୍ଶୀ ଗୀତ ଏବଂ ଵିଭାପା ଅଧ୍ୟକ୍ଷ ଅମରେଶ ସାମଲ, ରଞ୍ଜନ ମହାପାତ୍ର ତଥା ବିଖ୍ୟାତ ବଂଶୀବାଦକ ହେମନ୍ତ ପାଣ୍ଡେ ଖମାଜ୍ ରାଗରେ ପରିବେଷିତ “ନିନାଦ” ତଥା ବିଭୁରଞ୍ଜନ ମହାନ୍ତିଙ୍କ ନିର୍ଦ୍ଦେଶିତ ନୃତ୍ୟ ନାଟିକା “ପ୍ରତିବିମ୍ବ” ଦର୍ଶକମାନଙ୍କୁ ସମ୍ମୋହିତ କରି ରଖିଥିଲା। ନବଜୀବନ ସଭାପତି ପ୍ରଭାତ କୁମାର ଭୋଳଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆୟୋଜିତ ଏହି ମହୋତ୍ସବରେ ବରିଷ୍ଠ କଳାକାର ଗୁଣନିଧି ମହାନ୍ତି, ରାଜକିଶୋର ମହାରଣା ଓ ସଦସ୍ୟ ଚିରବ୍ରତ୍ତ ଦତ୍ତ, ଅଜୟ ବହିଦାର, ଚନ୍ଦ୍ରମଣି ମିଶ୍ର, ଶ୍ୟାମ ନନ୍ଦନ ସହାୟ, ଗୋପକୃଷ୍ଣ ନାଏକ, ଦେବେନ ଅମାତ, ଲକ୍ଷ୍ମୀପ୍ରଭା ପତି, ଲତିକା ପଟ୍ଟନାୟକ, ରିତା ସାହୁ, ବୃନ୍ଦାବନ ଦାଶ, ବିଜୁ ମହାରଣା, କୁମୁଦ ପଣ୍ଡା, ସିଦ୍ଧାନ୍ତ ପଣ୍ଡା , ଆଶିଷ ଦେ, ପ୍ରୟାସ ଭୋଳ ଏବଂ ଓମ୍ ଭୋଳ ପ୍ରମୁଖ ସହଯୋଗ କରିଥିଲେ। ବିଶ୍ଵରଞ୍ଜନ ହୋତା ସଭା ଓ ମଞ୍ଚ ପରିଚାଳନା କରିଥିଲେ।

nis-ad
Leave A Reply

Your email address will not be published.