
ହିଞ୍ଜିଳିକାଟୁ : ହିଞ୍ଜିଳିକାଟୁ ପୈାରାଞ୍ଚଳ ପି.ଏମ ଶ୍ରୀ ବୃନ୍ଦାବନ ଉଚ୍ଚ ବିଦ୍ୟାଳୟରେ ବୁଧବାର ପ୍ରବେଶ ଉତ୍ସବ ଓ ଖଡ଼ିଛୁଆଁ କାର୍ଯ୍ୟକ୍ରମ ପାଳିତ ହେବା ସହ ଶିଶୁବାଟିକାର ଶୁଭାରମ୍ଭ ହୋଇଯାଇଛି। ପ୍ରଧାନ ଶିକ୍ଷୟିତ୍ରୀ ଶାନ୍ତିଲତା ମୁନିଙ୍କ ସଭାପତିତ୍ବରେ ଆୟୋଜିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ପୈାରାଧ୍ୟକ୍ଷ ସୁବାଷ ଚନ୍ଦ୍ର ପୋଲେଇ, ସମ୍ମାନିତ ଅତିଥି ଭାବେ ଉପାଧ୍ୟକ୍ଷା ସୁଚିତ୍ରା ପଣ୍ଡା, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ବିଭୁପ୍ରସାଦ ପଣ୍ଡା, ଭାରପ୍ରାପ୍ତ ବିଡ଼ିଓ ଅରୁଣ କୁମାର ପ୍ରଧାନ, ସିଡିପିଓ ଗାଙ୍ଗୀ ସୁବୁଦ୍ଧି, ବିଇଓ ଏସ. ଗିରିଧର ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ଅତିଥି ମାନେ ଶିକ୍ଷାର ମାନଦଣ୍ଡ ସମୃଦ୍ଧିରେ ସରକାରଙ୍କ ଏହି ଅଭିନବ ପ୍ରୟାସ ନିଶ୍ଚିତ ଭାବେ ସହାୟକ ହେବ ବୋଲି ଦୃଢ଼ ମତ ପୋଷଣ କରିଥିଲେ। ନୂତନ ଭାବେ ଶିକ୍ଷା ଅଧ୍ୟୟନ କରିବାକୁ ଆସିଥିବା ଶିକ୍ଷାର୍ଥୀ ମାନଙ୍କୁ ଫୁଲ, ଚନ୍ଦନ ଲଗାଇ ଏକ ସ୍ବତନ୍ତ୍ର ଉତ୍ସବରେ ସ୍ବାଗତ କରାଯାଇଥିଲା। ସାକ୍ଷରତା, ସଂଖ୍ୟା ଜ୍ଞାନ ଓ ସୃଜନାତ୍ମକ ଷ୍ଟଲ ଗୁଡିକ ଶିକ୍ଷାର୍ଥୀ ମାନଙ୍କୁ ବୁଲି ଦେଖାଇବା ସହ ବିଦ୍ୟାଳୟ ପରିସରସ୍ଥ ଭୌଗୋଳିକ ପରିବେଶ ଯଥା ଶ୍ରେଣୀ ଗୃହ, ଶିକ୍ଷଣ ସାମଗ୍ରୀ, କାର୍ଯ୍ୟାଳୟ, ରୋଷେଇଘର, ପାଣିକଳ, ବଗିଚା, ଖେଳପଡିଆ, ଶୌଚାଳୟ, ପାନୀୟ ଜଳ ସ୍ଥାନ ଗୁଡିକୁ ବୁଲି ଦେଖାଯାଇଥିଲା। ଆୟୋଜିତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, ପରିଚାଳନା କମିଟି ବୃନ୍ଦ,ଅଭିଭାବକ, ଅଭିଭାବିକା ପ୍ରମୁଖ ଉପସ୍ଥିତ ଥିଲେ। ପରିଶେଷରେ ବିଦ୍ୟାଳୟ ପରିସରରେ ଏକ ସ୍ବାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ ହୋଇଯାଇଛି। ଆୟୋଜିତ ଶିବିରରେ ଶିକ୍ଷାର୍ଥୀ ମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟ ଅଧିକ୍ଷକ ଡାକ୍ତର ଶ୍ରୀକାନ୍ତ ସାହୁଙ୍କ ସମେତ ଡାକ୍ତର ଦିପ୍ତିରଞ୍ଜନ ମହାପାତ୍ର, ଡାକ୍ତର ନକ୍ଷତ୍ରବାଳା ପାଢି ଓ ରୋଗ ନିଦାନ ସେବକ ରଜତ ସେଠି ପ୍ରମୁଖ ଉପସ୍ଥିତ ରହି ଶିକ୍ଷାର୍ଥୀ ମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିଥିଲେ।