ପ୍ରଚଣ୍ଡ ଖରା : ଗରମ ଗୁଳୁଗୁଳିରୁ ଆଶ୍ୱସ୍ତି ଦେଇପାରୁନି କାଳବୈଶାଖୀ

ହିଞ୍ଜିଳିକାଟୁ : କିଛି ଦିନ ହେଲା ହିଞ୍ଜିଳିକାଟୁ ସହର ସମେତ ନିକଟବର୍ତ୍ତୀ ଅଞ୍ଚଳରେ ପ୍ରଚଣ୍ଡ ଖରା ସାଙ୍ଗକୁ ଅସହ୍ୟ ଗୁଳଗୁଳି ଅନୁଭୂତ ହେଉଛି । ଏଥିରେ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡିଛି । ଗତ ୨/୩ ଦିନ ଧରି ରାତ୍ର ସମୟରେ ସ୍ଥାନୀୟ ଅଞ୍ଚଳରେ କାଳବୌଶାଖୀ ପ୍ରଭାବରେ ପବନ ସାଙ୍ଗକୁ ସାମାନ୍ୟ ବର୍ଷା ହେଉଥିଲା । ଶନିବାର ଦିନତମାମ ପ୍ରଚଣ୍ଡ ରୌଦ୍ରତାପରେ ଗ୍ରୀଷ୍ମ ପ୍ରବାହ ଜାରୀ ରହିଥିଲା । କିନ୍ତୁ ଅପରାହ୍ନରେ ପାଗ ସାମାନ୍ୟ ମେଘୁଆ ରହିବା ସହ ସନ୍ଧ୍ୟାରେ ପ୍ରାୟ ୫ ମିନିଟ ପାଇଁ ବର୍ଷା ହୋଇଥିଲା । ଏହା ଗରମ ଓ ଗୁଳୁଗୁଳିରୁ ଆଶ୍ୱସ୍ତି ଦେବା ପାଇଁ ଯଥେଷ୍ଠ ନଥିଲା । ଅନ୍ୟପକ୍ଷରେ ରବିବାର ମଧ୍ୟ ସକାଳ ୮ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଟାଣଖରା ଅନୁଭୂତ ହୋଇଥିଲା । ସୋମବାର ସହରରେ ତାପମାତ୍ରା ୩୯° ରହିଥିବା ବେଳେ ୪୨° ସେଲସିଅସ ଭଳି ଅନୁଭୂତ ହେଉଥିଲା । ଗରମରୁ ରକ୍ଷା ପାଇବା ପାଇଁ ପଙ୍ଖା, ଏସି, କୁଲର ଆଦିର ଅହେତୁକ ବ୍ୟବହାର ବୃଦ୍ଧି ପାଉଛି । ତେବେ ସେଥିରେ ମଧ୍ୟ ଅଘୋଷିତ ବିଦ୍ୟୁତ କାଟ ଦାଉ ସାଧୁଛି । ପଦାକୁ ବାହାରିଲେ ଲୋକମାନେ ଛତା, ଜୋତା, ଟୋପି, ହେଲମେଟ ଆଦି ବ୍ୟବହାର କରିବାକୁ ବାଧ୍ୟ ହେଉଛନ୍ତି । ପ୍ରଚଣ୍ଡ ଗରମ ସାଙ୍ଗକୁ ତୃଷା ମେଣ୍ଟାଇବା ପାଇଁ ଲସି, ଜୁସ୍‌, ସୋଢା, ଆଖୁରସ ଆଦି ଦୋକାନରେ ଭିଡ ଜମୁଛି । ଏଭଳି ପରିସ୍ଥିତିରେ ଲୋକେ କାଳବୈଶାଖୀକୁ ଚାତକ ଭଳି ଚାହିଁ ବସିଛନ୍ତି । କାଳବୈଶାଖୀ ପ୍ରଭାବରେ ସାମାନ୍ୟ ପବନ କିମ୍ବା ବର୍ଷା ହେଲେ ରାତିରେ ଗୁଳୁଗୁଳିରୁ ସାମାନ୍ୟ ଆଶ୍ବସ୍ତ ଲାଭ କରୁଛନ୍ତି।

nis-ad
Leave A Reply

Your email address will not be published.