ଅନ୍ୟ ଜିଲ୍ଲାର କିନ୍ନରଙ୍କ ନବରଙ୍ଗପୁର ଜିଲ୍ଲାରେ ପ୍ରବେଶ ନେଇ ମନ୍ତ୍ରୀଙ୍କ ସହ ଆଲୋଚନା

ଉମରକୋଟ : କଳାହାଣ୍ଡି ଜିଲ୍ଲାରୁ କେତେକ କିନ୍ନର ନବରଙ୍ଗପୁର ଜିଲ୍ଲାର ଉମରକୋଟ ବ୍ଲକକୁ ଆସି ଉମରକୋଟ, ଝରିଗାଁ ଓ ରାଇଘର ଅଞ୍ଚଳର ଦୋକାନ ବଜାରକୁ ଯାଇ ଜୋର୍ ଜବରଦସ୍ତି ଚାନ୍ଦା ଆଦାୟ କରିବା ସାଥେ ସାଥେ ଅନୈତିକ କାର୍ଯ୍ୟରେ ଲିପ୍ତ ରହୁଥିବାକୁ ନେଇ ଘୋର ଅଭିଯୋଗ କରିଛନ୍ତି ନବରଙ୍ଗପୁର ଜିଲ୍ଲା କିନ୍ନର ସଂଘର ସଭ୍ୟା ତଥା ବରିଷ୍ଠ ଉପଦେଷ୍ଟା ଶର୍ମିଷ୍ଠା ଦେଓ। ଶର୍ମିଷ୍ଠା ଦେଓଙ୍କ ନେତୃତ୍ୱରେ ସଂଘର ପ୍ରମୁଖ କର୍ମକର୍ତ୍ତା ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ସହ ଆଲୋଚନା କରିଥିଲେ। ନବରଙ୍ଗପୁର ଜିଲ୍ଲା ପ୍ରଶାସନ ନିକଟରେ ରେଜିଷ୍ଟ୍ରି ଭୁକ୍ତ ନ ଥିବା କଳାହାଣ୍ଡି ଜିଲ୍ଲାର କିନ୍ନର ମାନଙ୍କ କାର୍ଯ୍ୟକଳାପକୁ ତଦନ୍ତ କରି ଆଗକୁ ପଦକ୍ଷେପ ନିଆଯାଉ ଏବଂ ଯେଉଁ ଜିଲ୍ଲାର କିନ୍ନର ସେହି ଜିଲ୍ଲାରେ ରହି ନିଜ କର୍ତ୍ତବ୍ୟ ପାଳନ କରିବା ଉଚିତ୍ ବୋଲି ସଂଘର ଉପଦେଷ୍ଟା ଶ୍ରୀମତୀ ଦେଓ ଦାବି ଉପସ୍ଥାପନ କରିଥିଲେ ଏବଂ ଏ ସମନ୍ଧରେ ଏକ ଦାବି ପତ୍ର ମନ୍ତ୍ରୀଙ୍କୁ ପ୍ରଦାନ କରିଥିଲେ। ଉକ୍ତ ଦାବି ପତ୍ର କୁ ଅନୁଧ୍ୟାନ ପୂର୍ବକ ମନ୍ତ୍ରୀ ଶ୍ରୀ ଗଣ୍ଡ ଆଗାମୀ ଦିନରେ ଏ ସମସ୍ତ ବିଷୟକୁ ତଦନ୍ତ କରି ନିଶ୍ଚିତ ଭାବରେ ନିର୍ଭୁଲ ନିଷ୍ପତ୍ତି ନିଆଯିବ ବୋଲି ନବରଙ୍ଗପୁର କିନ୍ନର ସଂଘକୁ ପ୍ରତିଶ୍ରୁତି ଦେଇଛନ୍ତି। ନବରଙ୍ଗପୁର ଜିଲ୍ଲା କିନ୍ନର ସଂଘ ଥାଉ ଥାଉ କଳାହାଣ୍ଡିର କିନ୍ନର ମାନେ ଉମରକୋଟ ଆସି,ଉମରକୋଟର କେତେକ ଅଣ କିନ୍ନର ମାନଙ୍କୁ କିନ୍ନର ଦର୍ଶାଇ କିପରି ଉମରକୋଟ କିନ୍ନର ସଂଘ ନାମରେ ଏକ ସଂଘ ଗଠନ କରିଛନ୍ତି,ତାହା ପୁଙ୍ଖାନୁପୁଙ୍ଖ ତଦନ୍ତ କଲେ ସବୁ କଥାର ପର୍ଦ୍ଦାଫାଶ ହେବ ବୋଲି ନବରଙ୍ଗପୁର କିନ୍ନର ସଂଘ ଦାବି ଉପସ୍ଥାପନ କରିଛନ୍ତି । ଆଜିର ସାକ୍ଷାତ କାର୍ଯ୍ୟକ୍ରମରେ ନବରଙ୍ଗପୁର କିନ୍ନର ସଂଘର ସଭାପତି କାଜଲ କିନ୍ନର, ସମ୍ପାଦକ ଚୁମୁକି କିନ୍ନର, ସଂଘର ସଦସ୍ୟା ମନ୍ଦିରା ନାୟକ, ସତ୍ୟବତୀ ନାୟକ, ଶେଫାଳୀ ବେବର୍ତ୍ତା ସମେତ ସଂଘର ସମସ୍ତ ପ୍ରମୁଖ କିନ୍ନର ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ।

nis-ad
Leave A Reply

Your email address will not be published.