
ହିଞ୍ଜିଳିକାଟୁ : ହିଞ୍ଜିଳିକାଟୁ ପୈାରପରିଷଦ ଅନ୍ତର୍ଗତ ଜନ ଗହଳି ଅଞ୍ଚଳ ବିଜୁପଟ୍ଟନାୟକ ଛକ ଜାତୀୟ ରାଜପଥ ୫୯ କଡ଼ରେ ବେଆଇନ ଭାବେ ପ୍ରଚାରପତ୍ର ଲାଗୁଛି। ଫଳରେ ରାଜପଥର ପାର୍ଶ୍ୱସ୍ଥ ସ୍ଥାନଗୁଡିକ ଘରୋଇ ପ୍ରଚାରପତ୍ରରେ ଜବରଦଖଲ ହୋଇଛି। ରାଜପଥ କଡ଼ରେ ଥିବା ବିଦ୍ୟୁତ୍ ଖୁଣ୍ଟ୍ ଓ ଖାଲି ସ୍ଥାନଗୁଡ଼ିକରେ ମାଳମାଳ ଘରୋଇ ପ୍ରଚାରପତ୍ର ଲାଗିଥିବା ଦୃଶ୍ୟମାନ ହେଉଛି। ବିନା ଅନୁମତିରେ ବ୍ୟବସାୟିକ ପ୍ରତିଷ୍ଠାନର ପ୍ରଚାର ପାଇଁ ବ୍ୟାନର ଓ ହୋଡିଂ ଲଗାଯାଉଛି। ଏହିଭଳି ସ୍ଥିତି ଗାଡ଼ି ଚାଳକଙ୍କ ପାଇଁ ଅସୁବିଧା ସୃଷ୍ଟି କରୁଛି। ରାସ୍ତା ପାର୍ଶ୍ୱର ବଡ଼ ବ୍ୟାନର ଓ ହୋଡିଂଗୁଡିକ ଚାଳକଙ୍କ ଲକ୍ଷ୍ୟଭ୍ରଷ୍ଟ କରୁଛି। ରାତିରେ ବ୍ୟାନରର ତୈଳ ଫଟୋ ଚିତ୍ର ଉପରେ ଗାଡ଼ିର ଆଲୋକ ପଡ଼ିଲେ ପ୍ରତିଫଳ ସୃଷ୍ଟି ହେଉଛି, ଯଦ୍ଦ୍ବାରା ଚାଳକମାନେ ଗାଡ଼ି ଚଳାଇବାରେ ଅସୁବିଧାର ସମ୍ମୁଖିନ ହେଉଛନ୍ତି। ଗାଡ଼ିମୋଟର ଗୁଡିକ ଦୁର୍ଘଟଣାର ସମ୍ମୁଖୀନ ହେବା ଢେର ସମ୍ଭାବନା ରହିଛି। ଏ ଦିଗରେ ପ୍ରଶାସନର ନୀରବତାରୁ ଘରୋଇ ବିଜ୍ଞାପନଦାତା ବେଶ୍ ଫାଇଦା ଉଠାଉଛନ୍ତି। ତେଣୁ ବେଆଇନ ଭାବରେ ଲାଗିଥିବା ହୋଡିଂଗୁଡିକୁ ତୁରନ୍ତ ହଟାଇବା ସହ ଆଇନ ଖିଲାପକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି।
ହିଞ୍ଜିଳିକାଟୁ ବିଜୁପଟ୍ଟନାୟକ ଛକରେ ଛୋଟ ବଜାରମାନ ରହିଛି। ରାସ୍ତା ପାର୍ଶ୍ୱରେ ଥିବା ବିଦ୍ୟୁତ୍ ଖୁଣ୍ଟ ଓ ଜବରଦଖଲ ଦୋକାନ ବଜାର ଉପରେ ଅପେରା ପ୍ରଚାରପତ୍ର ଲଗାଇବାରେ ବ୍ୟବହାର କରାଯାଉଛି। ଏନେଇ ରାଜପଥ କର୍ତ୍ତୃପକ୍ଷଙ୍କ ଅନୁମତି କିମ୍ବା ହିଞ୍ଜିଳିକାଟୁ ପୌରପରିଷଦ ର ଅନୁମତି ନିଆଯାଇ ନ ଥିବା ଜଣାଯାଇଛି। ହିଞ୍ଜିଳି ଥାନା ଠାରୁ ୧୦୦ମିଟର ପୈାରପରିଷଦ କାର୍ଯ୍ୟାଳୟ ଠାରୁ ୧୦୦ମିଟର ରେ ବିନା ଅନୁମତିରେ ବଡ ବଡ ହୋଡିଂ ଲଗାଯାଇଛି।ରାଜପଥ ଉପରିସ୍ଥ କୌଣସି ସ୍ଥାନ ଅଥବା ପାର୍ଶ୍ୱସ୍ଥ କୌଣସି ଜମିକୁ ବ୍ୟବହାର ଦଣ୍ଡନୀୟ ଅପରାଧ ବୋଲି କହୁଯାଉଛି। ହେଲେ ବିନା ଅନୁମତିରେ ଲୋକେ କିପରି ଏସବୁକୁ ବ୍ୟବହାର କରୁଛନ୍ତି ତହାକୁ ନେଇ ନାନା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏ ସମ୍ପର୍କରେ ଜାତୀୟ ରାଜପଥ ପ୍ରକଳ୍ପ ଅଧିକାରୀ ଙ୍କୁ ପଚାରିବାରେ ରାଜପଥ କଡ଼ରେ କୌଣସି ପ୍ରଚାର ପତ୍ର ଲାଗିବା ଏକ ବେଆଇନ କାର୍ଯ୍ୟ। ଏ ଦିଗରେ ସ୍ଥାନୀୟ ପୋଲିସ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି। ହିଞ୍ଜିଳିକାଟୁ ପୌରପରିଷଦ ଠାରୁ ଆରମ୍ଭ କରି ସମସ୍ତ କାର୍ଯ୍ୟାଳୟ ଅପେରା ପାଶ ପାଇବା ଆଶାରେ ନିରବ ରହୁଥିବା ଅଭିଯୋଗ ହୋଇଛି।ଏବେ ଦେଖିବାକୁ ଅପେକ୍ଷା କେବେ ଏ ଦିଗରେ ପ୍ରଶାସନ ପଦକ୍ଷେପ ଗ୍ରହଣ କରିବ।