
ହିଞ୍ଜିଳିକାଟୁ : ସାମାଜିକ ଗଣମାଧ୍ୟମ ଇନଷ୍ଟାଗ୍ରାମରେ ନକଲି ଆଇଡି ତିଆରି କରି ହିଞ୍ଜିଳି ଥାନା ଅଞ୍ଚଳର ଜୈନିକା ନାବାଳିକାଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ କରିବା ଅଭିଯୋଗରେ ହିଞ୍ଜିଳି ପୁଲିସ ଜଣେ ଯୁବକଙ୍କୁ ଗିରଫ କରିଛି। ଗିରଫ ଯୁବକ ଜଣଙ୍କ ହେଲେ ହିଞ୍ଜିଳି ଥାନା ନନ୍ଦିକ ଗ୍ରାମର ତ୍ରିଲୋଚନ ଭଉଳ (୧୯) । ଏ ନେଇ ହିଞ୍ଜିଳି ଥାନାରେ କେସ ନମ୍ବର – ୭୯୮/୨୪ ରେ ଏକ ମାମଲା ରୁଜୁ କରି ପୁଲିସ ଘଟଣାର ତଦନ୍ତ ଚଳାଇଥିଲା। ସାମାଜିକ ଗଣମାଧ୍ୟମ ଇନଷ୍ଟାଗ୍ରାମ ସଂସ୍ଥାରୁ ଖୋଳତାଡ଼ କରିବା ସହ ସଂପୃକ୍ତ ଯୁବକ ଜଣଙ୍କ ସାମାଜିକ ଗଣମାଧ୍ୟମ ଇନଷ୍ଟାଗ୍ରାମର ନକଲି ଆଇଡି ପ୍ରସ୍ତୁତ କରି ଅଶ୍ଳୀଳ ଭିଡିଓ ଭାଇରାଲ କରିଥିବା ସ୍ପଷ୍ଟ ପ୍ରମାଣ ହସ୍ତଗତ ହେବା ପରେ ତଦନ୍ତକାରୀ ଅଧିକାରୀ ତଥା ହିଞ୍ଜିଳି ଥାନା ଆଇଆଇସି ରବିବାର ରାତିରେ ସଂପୃକ୍ତ ଯୁବକଙ୍କୁ ଗିରଫ କରିଥିଲେ। ପ୍ରକାଶ ଯେ, ଯୁବକ ଜଣଙ୍କ ଗତ ପ୍ରାୟ ୧ ବର୍ଷ ପୂର୍ବେ ସାମାଜିକ ଗଣମାଧ୍ୟମ ଇନଷ୍ଟାଗ୍ରାମରେ ଏକ ନକଲି ଆଇଡି ପ୍ରସ୍ତୁତ କରିଥିଲେ। ପରବର୍ତ୍ତୀ ସମୟରେ ହିଞ୍ଜିଳି ଥାନା ଅଞ୍ଚଳର ଜୈନିକା ନାବାଳିକାଙ୍କ ମୁହଁ ରହିଥିବା ଅଶ୍ଳୀଳ ଭିଡିଓ ପ୍ରସ୍ତୁତ କରି ସାମାଜିକ ଗଣମାଧ୍ୟମରେ ଭାଇରାଲ କରିଥିଲେ। ବିଭିନ୍ନ ସାମାଜିକ ଗଣମାଧ୍ୟମରେ ସଂପୃକ୍ତ ନାବାଳିକାଙ୍କ ମୁହଁ ରହିଥିବା ବହୁ ଅଶ୍ଳୀଳ ଭିଡିଓ ଭାଇରାଲ ହେବା ପରେ ଘଟଣା ସମ୍ପର୍କରେ ନାବାଳିକାଙ୍କ ସମେତ ପରିବାର ସଦସ୍ୟ ସାଧାରଣରେ ନିନ୍ଦିତ ହୋଇଥିଲେ। ସାମାଜିକ ଗଣମାଧ୍ୟମରେ ବିଭିନ୍ନ ଅଶ୍ଳୀଳ କମେଣ୍ଟ ଆସିବା ପରେ ନାବାଳିକାଙ୍କ ସମେତ ପରିବାର ଲୋକେ ନିରାଶ ହୋଇ ଗତ ୨୦୨୪ ମସିହା ସେପ୍ଟେମ୍ବର ୨୪ ତାରିଖରେ ହିଞ୍ଜିଳି ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ଭିତ୍ତିରେ ହିଞ୍ଜିଳି ଥାନାରେ କେସ ନମ୍ବର – ୭୯୮/୨୪ ରେ ଏକ ମାମଲା ରୁଜୁ କରି ପୁଲିସ ଘଟଣାର ତଦନ୍ତ ଚଳାଇଥିଲା। ସମସ୍ତ ପ୍ରମାଣ ହସ୍ତଗତ ହେବା ପରେ ରବିବାର ରାତିରେ ତ୍ରିଲୋଚନଙ୍କୁ ଗିରଫ କରି ସୋମବାର ବ୍ରହ୍ମପୁର ପୋକ୍ସ କୋର୍ଟକୁ ଚାଲାଣ କରିଛି। ଜାମିନ ନାମଞ୍ଜୁର ହେବାରୁ ଗିରଫ ଯୁବକଙ୍କୁ ଜେଲ ହାଜତକୁ ପଠାଯାଇଥିବା ଥାନା ଆଇଆଇସି ଶ୍ରୀନିବାସ ସେଠିଙ୍କ ସୂତ୍ରରୁ ପ୍ରକାଶ।