
ହିଞ୍ଜିଳିକାଟୁ : ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ପିତଳ ଗ୍ରାମରେ ଗୁରୁବାର ସନ୍ଧ୍ୟାରେ କିଛି ଦୁବୃର୍ତ୍ତ ବିଭିନ୍ନ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ। ଆକ୍ରମଣରେ ପିତଳ ଗ୍ରାମ ପଞ୍ଚାୟତ ସରପଞ୍ଚ ରାମରାଘବ ପାତ୍ର (ରିଙ୍କୁ)(୩୫) ଓ ପିତଳ ମଣ୍ଡଳ ସଭାପତି ବିଜୟ ପ୍ରଧାନ (୪୭)ଗୁରୁତର ଆହତ ହୋଇଥିଲେ। ଘଟଣା ନେଇ ଆହତ ସରପଞ୍ଚଙ୍କ ବାପା ପ୍ରମୋଦ କୁମାର ପାତ୍ର ଶୁକ୍ରବାର ହିଞ୍ଜିଳି ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ଭିତ୍ତିରେ ହିଞ୍ଜିଳି ଥାନାରେ କେସ ନମ୍ବର – ୪୯୨/୨୫ରେ ଏକ ମାମଲା ରୁଜୁ କରି ପୁଲିସ ଘଟଣାର ତଦନ୍ତ ଚଳାଇଥିଲା । ସଂପୃକ୍ତ ଘଟଣାରେ ହିଞ୍ଜିଳି ପୁଲିସ ଶୁକ୍ରବାର ୪ ଜଣଙ୍କୁ ଗିରଫ କରିଛି। ଗିରଫ ମାନେଶ୍ୱର ହେଲେ ହିଞ୍ଜିଳି ଥାନା ପିତଳ ଗ୍ରାମର ଦିଲ୍ଲିପ ବେହେରା (୩୭), ନବଜୀବନ ବେହେରା (୨୩), ଗାଙ୍ଗପୁର ଥାନା ପଳାସପଲ୍ଲୀ ଗ୍ରାମର ଆଲୋକ କୁମାର ସ୍ବାଇଁ (୨୦) ଓ ଧରାକୋଟ ଥାନା ଶରଧାପୁର ଗ୍ରାମର ବିକାଶ ପ୍ରଧାନ (୨୩) । ଗିରଫ ଯୁବକ ମାନଙ୍କ ଠାରୁ ଆକ୍ରମଣରେ ବ୍ୟବହୃତ ୩ଟି ଠେଙ୍ଗା, ଗୋଟିଏ ମୋବାଇଲ ଫୋନ ଓ ଗୋଟିଏ ମୋଟର ସାଇକେଲ (ଓଡି୦୭ଏନ୍ ୭୨୪୦) ଜବତ କରାଯାଇଛି । ଗିରଫ ଯୁବକଙ୍କୁ ଶନିବାର ଶେରଗଡ଼ କୋର୍ଟ ଚାଲାଣ କରି ଘଟଣାର ତଦନ୍ତ କରୁଥିବା ଥାନା ଏସଆଇ ତଥା ତଦନ୍ତକାରୀ ଅଧିକାରୀ ସୁରେଶ କୁମାର ସାହୁଙ୍କ ସୂତ୍ରରୁ ପ୍ରକାଶ।
ପ୍ରକାଶ ଯେ, ଗୁରୁବାର ସନ୍ଧ୍ୟାରେ ପିତଳ ଗ୍ରାମ ବାତ୍ୟା ଆଶ୍ରୟସ୍ଥଳୀ ନିକଟରେ ପିତଳ ସରପଞ୍ଚ ରାମରାଘବ ଓ ସେହି ଗ୍ରାମର ଗିରିଜା ଶଙ୍କର ମହାପାତ୍ର କଥା ହେଉଥିଲେ। ସେହି ସମୟରେ କିଛି ଦୁବୃର୍ତ୍ତ ବାଇକ୍ ଯୋଗେ ଆସି ରାମରାଘବଙ୍କୁ ବିଭିନ୍ନ ମାରଣାସ୍ତ୍ରରେ ଅତର୍କିତ ଆକ୍ରମଣ କରିଥିଲେ। ଆକ୍ରମଣ ସମୟରେ ଗିରିଜା ଭୟଭୀତ ହୋଇ ଘଟଣା ସ୍ଥଳରୁ ଚାଲି ଯାଇଥିବା ବେଳେ ପିତଳ ମଣ୍ଡଳ ସଭାପତି ବିଜୟ ଘଟଣା ସ୍ଥଳରେ ପହଞ୍ଚି ଘଟଣାରେ ହସ୍ତକ୍ଷେପ କରିଥିଲେ। ଫଳରେ ଆକ୍ରମଣକାରୀ ମାନେ ସରପଞ୍ଚଙ୍କ ସହ ବିଜୟଙ୍କୁ ମଧ୍ୟ ଆକ୍ରମଣ କରିଥିଲେ। ଆକ୍ରମଣରେ ଉଭୟେ ଗୁରୁତର ଆହତ ହୋଇଥିଲେ। ସ୍ଥାନୀୟ ଲୋକେ ଘଟଣା ସ୍ଥଳରେ ପହଞ୍ଚିବା ପରେ ଆକ୍ରମଣକାରୀ ମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ସ୍ଥାନୀୟ ଲୋକେ ଗୁରୁତର ଆହତ ଦୁହିଁଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଅବସ୍ଥା ଗୁରୁତର ହେବାରୁ ପ୍ରାଥମିକ ଚିକିତ୍ସା ପରେ ଅଧିକ ଚିକିତ୍ସା ପାଇଁ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା। ପୁଲିସ ହିଞ୍ଜିଳିକାଟୁ ଡାକ୍ତରଖାନାରେ ପହଞ୍ଚି ଆହତଙ୍କ ସ୍ବାସ୍ଥ୍ୟ ଅବସ୍ଥା ପଚାରି ବୁଝିବା ସହ ଘଟଣାର ତଦନ୍ତ ଚଳାଇଥିଲା। ଆକ୍ରମଣକାରୀଙ୍କୁ ଯଥାଶୀଘ୍ର ଗିରଫ ଦାବି କରି ଗ୍ରାମର ବହୁ ମହିଳା ଓ ପୁରୁଷ ହିଞ୍ଜିଳି ଥାନା ସମ୍ମୁଖରେ ହୋହାଲ୍ଲା କରିଥିଲେ।ଅନ୍ୟପକ୍ଷରେ ଘଟଣା ପରେ ଗ୍ରାମରେ ଉତ୍ତେଜନା ଲାଗି ରହିଥିବାରୁ ଗୁରୁବାର ରାତିରୁ ୨ ଦିନ ଧରି ସଂପୃକ୍ତ ଗ୍ରାମରେ ପୁଲିସ ଫୋର୍ସ ମୃତୟନ କରାଯାଇଥିଲା। ଆହତ ସରପଞ୍ଚଙ୍କ ବାପା ଆକ୍ରମଣ ଘଟଣାରେ ୧୩ ଜଣ ସଂଶ୍ଳିଷ୍ଟ ଥିବା ନେଇ ଅଭିଯୋଗରେ ଦର୍ଶାଇଛନ୍ତି। ସଂପୃକ୍ତ ଘଟଣାରେ କେତେଜଣଙ୍କୁ ସଂପୃକ୍ତ ରହିଛନ୍ତି ସେ ନେଇ ତଦନ୍ତ ଜାରୀ ରହିଛି। ଘଟଣାରେ ସଂପୃକ୍ତଥିବା ଅନ୍ୟ ଅଭିଯୁକ୍ତମାନଙ୍କୁ ଯଥାଶୀଘ୍ର ଗିରଫ କରି କୋର୍ଟ ଚାଲାଣ କରାଯିବ ବୋଲି ଥାନା ଆଇଆଇସି ଶ୍ରୀନିବାସ ସେଠି କହିଛନ୍ତି।