ମାଲକାନଗିରି ଜିଲ୍ଲାରେ ଜାତୀୟ ପରିସଂଖ୍ୟାନ ଦିବସ-୨୦୨୫ ପାଳିତ

youtube

ମାଲକାନଗିରି : ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ ଠାରେ ୧୯ ତମ ଜାତୀୟ ପରିସଂଖ୍ୟାନ ଦିବସ ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ବେଦବର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଶ୍ରୀ ମୁଖ୍ୟ ଜିଲ୍ଲା ଚିକିତ୍ସା ଓ ଜନ ସ୍ୱାସ୍ଥ୍ୟ ଅଧିକାରୀ ବ୍ରଜବନ୍ଧୁ ଦାସ,ଜିଲ୍ଲା ଯୋଗାଣ ଅଧିକାରୀ ମନମୋହନ ପଟ୍ଟନାୟକ, ମହିଳା ମହାବିଦ୍ୟାଳୟ ଅଧ୍ୟକ୍ଷ ଦୁଷ୍ମନ୍ତ କୁମାର ଜେନା, ମାଲକାନଗିରି ମହାବିଦ୍ୟାଳୟ ବାଣିଜ୍ୟ ବିଭାଗୀୟ ମୁଖ୍ୟ
ଡ. ରଞ୍ଜନ କୁମାର ସ୍ୱାଇଁ ସମ୍ମାନିତ ଅତିଥି ଭାବେ ଯୋଗଦାନ କରିଥିଲେ। ପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ମୁଖ୍ୟ ଅତିଥିଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ୱଳନ ପରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା । ମୁଖ୍ୟ ଅତିଥି ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ଶ୍ରୀ ପ୍ରଧାନ ତାଙ୍କ ଅଭିଭାଷଣରେ ପ୍ରକାଶ କରିଥିଲେ ଯେ, ପରିସଂଖ୍ୟାନ ଏକ ପ୍ରୟୋଗାତ୍ମକ ପରିଗଣନା । ଏହାର ଉପଯୁକ୍ତ ସଂଗ୍ରହଣ, ବିଶ୍ଳେଷଣ, ଦୃଢୀକରଣ ଦ୍ୱାରା ଯୋଜନା ପ୍ରଣୟନ ଓ କାର୍ଯ୍ୟକାରିତା ହୋଇଥାଏ। ଏହା ସମାଜର ମଙ୍ଗଳ ପାଇଁ ଅତ୍ୟନ୍ତ ଆବଶ୍ୟକ । ସୁତରାଂ, ପରିସଂଖ୍ୟାନ ପ୍ରତ୍ୟେକ କ୍ଷେତ୍ରରେ ଗୁରୁତ୍ୱ ବହନ କରେ ।
ଉପନିର୍ଦ୍ଦେଶକ ଯୋଜନା ଓ ପରିସଂଖ୍ୟାନ ଗୋଲକ ଚନ୍ଦ୍ର ଦଳାଇ ତାଙ୍କ ସ୍ୱାଗତ ଅଭିଭାଷଣରେ କହିଥିଲେ ଯେ, ପରିସଂଖ୍ୟାନ ମଣିଷର ଦୈନନ୍ଦିନ ଜୀବନ ଚର୍ଯ୍ୟାରୁ ଆରମ୍ଭ କରି ଦେଶ ଓ ବିଶ୍ୱର ଯୋଜନା ପ୍ରଣୟନ, ଏହାର ରୂପାୟନ ଓ ପ୍ରଗତି ପର୍ଯ୍ୟନ୍ତ ପ୍ରଲମ୍ବିତ । ପରିସଂଖ୍ୟାନ ତଥ୍ୟ ଯେତେ ସ୍ବଚ୍ଛ ଓ ନିର୍ଭୁଲ ହେବ, ତଦନୁସାରେ ଯୋଜନା ପ୍ରଣୟନ ହେବ ଓ ତାହାକୁ ସଠିକ୍ ଭାବେ କାର୍ଯ୍ୟକାରୀ କରାଯାଇ ଆମେ ଈପ୍ସିତ ଲକ୍ଷ୍ୟ ଓ ପ୍ରଗତି ହାସଲ କରିପାରିବା । ପୁନଃ, ସେ ପରିସଂଖ୍ୟାନ ଦିବସର ତାତ୍ପର୍ଯ୍ୟ ବର୍ଣନା କରି ଜାତୀୟ ନମୁନା ସର୍ବେକ୍ଷଣ ର ୩୫ତମ ପୂର୍ତ୍ତି ଓ ପରିସଂଖ୍ୟାନ ବ୍ୟବସ୍ଥାର ଦୃଢୀକରଣ ବିଷୟରେ ଆଲୋକପାତ କରିଥିଲେ। ଜିଲ୍ଲା ଯୋଗାଣ ଅଧିକାରୀ ପ୍ରଶାନ୍ତ ଚନ୍ଦ୍ର ମହାଲନୋବିସଙ୍କୁ ପରିସଂଖ୍ୟାନର ଜନକ ଭାବେ ସ୍ମରଣ କରି, ଜିଲ୍ଲା ଖାଦ୍ୟ ଉପଭୋକ୍ତା କାର୍ଡର ପରିସଂଖ୍ୟାନ ତଥ୍ୟ ଉପସ୍ଥାପନ କରିଥିଲେ ଓ ଖାଦ୍ୟ ସୁରକ୍ଷା ଯୋଜନା ବିକଶିତ ଭାରତ ପାଇଁ ସହାୟକ ହେବ ବୋଲି ମତ ଉପସ୍ଥାପନ କରିଥିଲେ ।ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ଜେନା କହିଥିଲେ ଯେ, ପରିସଂଖ୍ୟାନ ଓ ବିକାଶ ପରସ୍ପର ପରିପୂରକ । ପରିସଂଖ୍ୟାନ ବିନା କୌଣସି ବିକାଶ ଅସମ୍ଭବ। ସେହିପରି ମୁଖ୍ୟ ଜିଲ୍ଲା ଚିକିତ୍ସା ଓ ଜନ ସ୍ୱାସ୍ଥ୍ୟ ଅଧିକାରୀ ତାଙ୍କ ଅଭିଭାଷଣରେ କହିଥିଲେ ଯେ, ଉପଯୁକ୍ତ ପରିସଂଖ୍ୟାନ ବ୍ୟବହାର ଦ୍ୱାରା ଆମେ ବିଭିନ୍ନ ପ୍ରକାର ରୋଗ ଓ ସଂକ୍ରାମକ ରୋଗକୁ ନିୟନ୍ତ୍ରଣ କରିପାରିଛୁ ଓ ଏହା ଦ୍ୱାରା ନିରନ୍ତର ବିକାଶର ସ୍ୱପ୍ନ ସାକାର ହେଉଛି । ସୁସ୍ଥ ଓ ନିରାମୟ ଜୀବନ ପାଇଁ ମାନସିକ, ଶାରୀରିକ ଓ ସାମାଜିକ ଚାପ ମୁକ୍ତ ଜୀବନ ବଞ୍ଚିବା ପାଇଁ ସେ ପରାମର୍ଶ ପ୍ରଦାନ କରିଥିଲେ ।
ଏହି ଉତ୍ସବରେ ଜିଲ୍ଲା ଅଧିକାରୀଗଣ, ବିଭିନ୍ନ ମହାବିଦ୍ୟାଳର ଅଧ୍ୟାପକ ଓ ଅଧ୍ୟାପିକା , ସ୍ଵେଚ୍ଛାସେବୀ ଅନୁଷ୍ଠାନର କର୍ମକର୍ତ୍ତା ଯୋଗଦାନ କରିଥିଲେ । ଓଡିଶା ଆଦର୍ଶ ବିଦ୍ୟାଳୟ, ମାଲକାନଗିରିର ଛାତ୍ରଛାତ୍ରୀମାନେ “ବନ୍ଦେ ଉତ୍କଳ ଜନନୀ” ଗାନ କରିଥିଲେ । ପରିଶେଷରେ, ଉପନିର୍ଦ୍ଦେଶକ ଯୋଜନା ଓ ପରିସଂଖ୍ୟାନ ମାଲକାନଗିରି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିବା ସହ ସଭା ସାଙ୍ଗ ଘୋଷଣା କରିଥିଲେ ।

Leave A Reply

Your email address will not be published.