
ହିଞ୍ଜିଳିକାଟୁ : ୫୯ ନ° ଜାତୀୟ ରାଜପଥ ତଥା ହିଞ୍ଜିଳି ଥାନା ସୋମପୁର ଛକ ନିକଟରେ ମୋଟର ସାଇକେଲ ଦୁର୍ଘଟଣାରେ ୩ ଜଣ ଆହତ ହୋଇଛନ୍ତି। ଆହତ ମାନେ ହେଲେ ବଡଗଡ ଥାନା ଗୌଡସାହିର ନରସିଂହ ଗୌଡ(୩୦), ଲୋକାମାରି ଗ୍ରାମର ବିଷ୍ଣୁ ଚରଣ ପ୍ରଧାନ (୨୮) ଓ ହିଞ୍ଜିଳି ଥାନା ପୋଚିଲିମା ଗ୍ରାମର ସୁରେଶ କୁମାର। ସ୍ଥାନୀୟ ଲୋକେ ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ୧୦୮ ଆମ୍ବୁଲାନ୍ସ ଯୋଗେ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେମାନଙ୍କ ମଧ୍ୟରୁ ସୁରେଶ ଓ ନରସିଂହଙ୍କ ଅବସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା ପରେ ଦୁହିଁଙ୍କୁ ଅଧିକ ଚିକିତ୍ସା ପାଇଁ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି। ଖବର ପାଇ ହିଞ୍ଜିଳି ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଦୂର୍ଘଟଣାଗ୍ରସ୍ତ ବାଇକକୁ ଜବତ କରିବା ସହ ଆହତଙ୍କ ସ୍ବାସ୍ଥ୍ୟ ଅବସ୍ଥା ପଚାରି ବୁଝିଛି। ପ୍ରକାଶ ଯେ, ବଡଗଡ ଗ୍ରାମର ନରସିଂହ ଓ ବିଷ୍ଣୁ ବ୍ରହ୍ମପୁର ଠାରୁ ବାଇକ୍ (ଓଡି୩୨ଏଚ୍ ୨୮୦୭) ଯୋଗେ ଗ୍ରାମକୁ ଫେରୁଥିଲେ। ସେହି ସମୟରେ ହିଞ୍ଜିଳିକାଟୁ ଠାରୁ ବ୍ରହ୍ମପୁର ଅଭିମୁଖେ ଯାଉଥିବା ଏକ ବାଇକ୍ ସହ ହିଞ୍ଜିଳି ଥାନା ସୋମପୁର ଛକ ନିକଟରେ ଧକ୍କା ଘଟିଥିଲା। ପ୍ରକାଶ ଥାଉକି, ପୋଚିଲିମା ଗ୍ରାମର ସୁରେଶ ହିଞ୍ଜିଳିକାଟୁ ଠାରେ ଜୈନିକ ବାଇକ୍ ଚାଳକଙ୍କୁ ଲିଫ୍ଟ ମାଗି ଗ୍ରାମକୁ ଫେରୁଥିବା ବେଳେ ସୋମପୁର ଛକ ନିକଟରେ ଦୂର୍ଘଟଣା ଘଟିବା ପରେ ବାଇକ୍ ଚାଳକ ଜଣଙ୍କ ଆହତଙ୍କୁ ଘଟଣା ସ୍ଥଳରୁ ଛାଡି ଫେରାର ହୋଇଯାଇଥିଲେ।