ବିଜେପି ସରକାରରେ ନାରୀ ଅସୁରକ୍ଷିତ: ବିଜେଡିର ରାଜରାସ୍ତାରେ ପ୍ରତିବାଦ

add-all

ବ୍ରହ୍ମପୁର: ରାଜ୍ୟରେ ବିଜେପି ସରକାରର ଏକ ବର୍ଷର ଶାସନ କାଳରେ ନାରୀ ସୁରକ୍ଷା ବିପର୍ଯ୍ୟସ୍ତ ହୋଇପଡିଥିବା ଅଭିଯୋଗରେ ବିଜୁ ଜନତା ଦଳ (ବିଜେଡି) ରାଜରାସ୍ତାକୁ ଓହ୍ଲାଇଛି । ସିରିଜ ଦୁଷ୍କର୍ମ ଏବଂ ଫକୀର ମୋହନ (ଏଫଏମ) କଲେଜ ଛାତ୍ରୀ ମୃତ୍ୟୁ ଭଳି ଘଟଣାକୁ ନେଇ ମୋହନ ସରକାରଙ୍କୁ ତୀବ୍ର ସମାଲୋଚନା କରିଛି ଦଳ ।

ଏହି ପରିପ୍ରେକ୍ଷୀରେ, ଦକ୍ଷିଣାଞ୍ଚଳ ଆରଡିସିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଜେଡି ପକ୍ଷରୁ ଏକ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଗଞ୍ଜାମ ଜିଲ୍ଲା ପର୍ଯ୍ୟବେକ୍ଷକ ସଞ୍ଜୟ ଦାସବର୍ମା ଏବଂ ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କ ନେତୃତ୍ୱରେ ହଜାର ହଜାର ବିଜେଡି କର୍ମୀ ଓ ନେତା ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟ ନିକଟରୁ ଏକ ବିଶାଳ ରାଲିରେ ବାହାରି ଆରଡିସି କାର୍ଯ୍ୟାଳୟରେ ପହଞ୍ଚିଥିଲେ ।

ବିକ୍ଷୋଭ ସମୟରେ କିଛି ଅସନ୍ତୁଷ୍ଟ କର୍ମୀ ପୋଲିସ ବ୍ୟାରିକେଡ ଭାଙ୍ଗିବାକୁ ଉଦ୍ୟମ କରିବାରୁ ପୋଲିସ ସହ ଧସ୍ତାଧସ୍ତିର ପରିସ୍ଥିତି ସୃଷ୍ଟି ହୋଇଥିଲା । ପ୍ରତିବାଦକାରୀମାନେ ବିଜେପି ସରକାର ବିରୋଧରେ ନାରାବାଜି କରିବା ସହ ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇଥିବା ନେଇ ଅଭିଯୋଗ କରିଥିଲେ ।

ବିଜେଡି ନେତା ସଞ୍ଜୟ ଦାସବର୍ମା କହିଛନ୍ତି ଯେ, “ରାଜ୍ୟରେ ବଢୁଥିବା ଅପରାଧିକ ମାମଲା ଓଡ଼ିଶା ପାଇଁ ନିନ୍ଦାର ବିଷୟ ପାଲଟିଛି । ଏପରିକି ବିଦେଶୀ ପର୍ଯ୍ୟଟକମାନେ ମଧ୍ୟ ଓଡ଼ିଶା ଆସିବାକୁ ନିରାପଦ ମଣୁନାହାନ୍ତି ।”

ପ୍ରତିବାଦ ସଭାରେ ବାଲେଶ୍ଵର ଛାତ୍ରୀ ମୃତ୍ୟୁ ଘଟଣାର ବିଚାର ବିଭାଗୀୟ ତଦନ୍ତ ସହ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବି କରାଯାଇଥିଲା । ଏନେଇ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଦକ୍ଷିଣାଞ୍ଚଳ ଆରଡିସିଙ୍କୁ ପ୍ରଦାନ କରାଯାଇଥିଲା ।

ଏହି ବିକ୍ଷୋଭରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଚନ୍ଦ୍ରଶେଖର ସାହୁ, ଜିଲ୍ଲା ବିଜେଡି ସଭାପତି ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ, ପୂର୍ବତନ ମନ୍ତ୍ରୀ ରବି ନାରାୟଣ ନନ୍ଦ, ଜଗନ୍ନାଥ ସାରକା, ବିକ୍ରମ ଆରୁଖ, ରମେଶ ମାଝୀ, ଶ୍ରୀକାନ୍ତ ସାହୁଙ୍କ ସମେତ ପୂର୍ବତନ ବିଧାୟକ ଲତିକା ପ୍ରଧାନ, ପୂର୍ଣ୍ଣ ସ୍ଵାଇଁ, ସୁବାସ ବେହେରା ଏବଂ ବ୍ରହ୍ମପୁର ମେୟର ସଂଘମିତ୍ରା ଦଳେଇଙ୍କ ସହ ହଜାର ହଜାର କର୍ମୀ ସାମିଲ ହୋଇଥିଲେ ।

ad-week
Leave A Reply

Your email address will not be published.