ଜିଲ୍ଲାପାଳଙ୍କ ବିଦାୟ କାଳୀନ ସମ୍ୱର୍ଦ୍ଧନା ସଭା…

add-all

ମାଲକାନଗିରି, ୨୭/୭/୨୫:ମାଲକାନଗିରି ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲଙ୍କ ଢେଙ୍କାନାଳ ଜିଲ୍ଲାକୁ ବଦଳି ହୋଇଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ ବେଦବର ପ୍ରଧାନଙ୍କ ଅଧ୍ୟକ୍ଷତାରେ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ଆୟୋଜନ କରାଯାଇଥିଲା। ଶ୍ରୀ ପାଟିଲ ପୂର୍ବରୁ କନ୍ଧମାଳ ଜିଲ୍ଲାପାଳ ଭାବେ ସୂଚାରୁ ରୂପେ କାର୍ଯ୍ୟ ସମ୍ପାଦନ କରିଛନ୍ତି। ଜିଲ୍ଲାପାଳ ଶ୍ରୀ ପାଟିଲ ୧୧ ମାସର ରହଣୀରେ ଜିଲ୍ଲାରେ ଏକ ସ୍ୱତନ୍ତ୍ର ଛାପ ରଖି ଯାଇଛନ୍ତି। ତାଙ୍କ ପ୍ରଚେଷ୍ଟାରେ ମାଲକାନଗିରି ଜିଲ୍ଲାର ଆକାଂକ୍ଷୀ ବ୍ଳକ୍ ବିଭିନ୍ନ କ୍ଷେତ୍ରରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ ପାଇଁ ନୀତି ଆୟୋଗ ଦ୍ଵାରା ପୁରସ୍କୃତ ହେବାକୁ ଯାଉଛି। ସେହିପରି ଜିଲ୍ଲାରେ ଜଙ୍ଗଲ ଜମି ପଟ୍ଟା ପ୍ରଦାନ ଓ ରେଳ ପ୍ରକଳ୍ପ କ୍ଷତିପୂରଣ ଅର୍ଥ ରାଶି ବଣ୍ଟନରେ ଶ୍ରୀ ପାଟିଲ ଉଲ୍ଲେଖନୀୟ ପଦକ୍ଷେପ ଗ୍ରହଣ କରିଥିଲେ ବୋଲି ଅଧିକାରୀ ମାନେ ମତବ୍ୟକ୍ତ କରିଥିଲେ। ଜିଲ୍ଲାର ସମସ୍ତ ଅଧିକାରୀ ବିଦାୟୀ ଜିଲ୍ଲାପାଳ ଶ୍ରୀ ପାଟିଲ ଙ୍କ ସହ କାର୍ଯ୍ୟ କରିବାର ଅନୁଭୂତି ବଖାଣି ଥିଲେ। ସେହିପରି ତାଙ୍କର କାର୍ଯ୍ୟ କରିବାର ଅଭିନବ ଶୈଳୀ କୁ ସମସ୍ତେ ଭୂରି ଭୂରି ପ୍ରଶଂସା କରିଥିଲେ। ଜିଲ୍ଲାପାଳ ତାଙ୍କର ବକ୍ତବ୍ୟ ରେ କହିଥିଲେ ଯେ ମାଲକାନଗିରି ଜିଲ୍ଲା ରେ କାମ କରିବାର ଅନୁଭୂତି ତାଙ୍କ ହୃଦୟରେ ସବୁବେଳେ ସ୍ଵତନ୍ତ୍ର ହୋଇ ରହିବ । ଏହି ଜିଲ୍ଲାର ନିରୀହ ଜନଜାତି ଓ ଜନସାଧାରଣଙ୍କ ଅକୁଣ୍ଠ ସ୍ନେହ ଶ୍ରଦ୍ଧା ସବୁବେଳେ ସ୍ମରଣୀୟ ହୋଇ ରହିବ ବୋଲି ଶ୍ରୀ ପାଟିଲ ନିଜ ବିଦାୟ କାଳୀନ ସଭାରେ ମତବ୍ୟକ୍ତ କରିଛନ୍ତି। ସେ ଆହୁରି ମଧ୍ୟ କହିଥିଲେ ଯେ ଟିମ୍ ୱର୍କ୍ ମାଧ୍ୟମରେ ଅସାଧ୍ୟ କୁ ସାଧନ କରାଯାଇପାରେ । ଉକ୍ତ ସଭା ରେ ବନଖଣ୍ଡ ଅଧିକାରୀ ସାଇ କିରଣ, ଅତିରିକ୍ତ ଜିଲ୍ଲାପାଳ ସାଧାରଣ ସୋମନାଥ ପ୍ରଧାନ, ମୁଖ୍ୟ ଉନ୍ନୟନ ଅଧିକାରୀ ନରେଶ ଚନ୍ଦ୍ର ଶବର, ଉପ ଜିଲ୍ଲାପାଳ ଦୁର୍ଯ୍ୟଧନ ଭୋଇ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ରଶ୍ମିରଞ୍ଜନ ସେନାପତି ଙ୍କ ସମେତ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଅଂଶ ଗ୍ରହଣ କରିଥିଲେ। ସେହିପରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ କର୍ମଚାରୀ ମଧ୍ଯ ବିଦାୟୀ ଜିଲ୍ଲାପାଳଙ୍କ ପାଇଁ ସମ୍ବର୍ଦ୍ଧନା ସଭା ଆୟୋଜନ କରିଥିଲେ।

ad-week
Leave A Reply

Your email address will not be published.