ଜିଲ୍ଲା ଅଦାଲତ ପକ୍ଷରୁ ନାବାଳିକା ସୁରକ୍ଷା ଓ ନ୍ୟାୟ ସମ୍ପର୍କରେ କାର୍ଯ୍ୟକ୍ରମ

youtube

ମାଲକାନଗିରି : ଓଡ଼ିଶା ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ କ୍ରମେ, ମାଲକାନଗିରି ଜିଲ୍ଲା ନ୍ୟାୟାଳୟ ଦ୍ୱାରା “ନାବାଳିକା ସୁରକ୍ଷା: ଭାରତରେ ଝିଅ ପାଇଁ ଏକ ନିରାପଦ ଓ ସାହାଯ୍ୟକାରୀ ପରିବେଶ ନିର୍ମାଣ ପ୍ରତି” ବିଷୟବସ୍ତୁ ଉପରେ ଏକ ଜିଲ୍ଲାସ୍ତରୀୟ ଆଲୋଚନା ଚକ୍ର, ଜିଲ୍ଲା ଓ ଦୌରାଜଜ୍ ଡ଼କ୍ଟର ପ୍ରସନ୍ନ କୁମାର ପଣ୍ଡାଙ୍କ ମାର୍ଗଦର୍ଶନରେ ଜିଲ୍ଲା ନ୍ୟାୟାଳୟ ସମ୍ମିଳନୀ କକ୍ଷରେ ସଫଳତାର ସହ ସମ୍ପନ୍ନ ହୋଇଯାଛି। ଏହି ଆଲୋଚନା ଚକ୍ରରେ ଜିଲ୍ଲାରେ ନାବାଳିକାମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟା ଏବଂ ସେମାନଙ୍କ ସୁରକ୍ଷା ସମ୍ବନ୍ଧରେ ଗଭୀର ଆଲୋଚନା ହୋଇଥିଲା। ଉକ୍ତ ସଭାରେ ମହାମାରୀ ବିଶେଷଜ୍ଞ ଡାକ୍ତର ଦୁର୍ଗାପ୍ରସାଦ ରାଜ, ଓକିଲ ତଥା ଶିଶୁ କଲ୍ୟାଣ ସମିତିର ସଦସ୍ୟ ଦୁର୍ଗା ପ୍ରସାଦ ତ୍ରିପାଠୀ, ଅଂଶଗ୍ରହଣ କରି ଥିଲେ। ଡ଼କ୍ଟର ରାଜ, ଜନସ୍ୱାସ୍ଥ୍ୟ ଓ ସମୁଦାୟ ସମ୍ପର୍କ କାର୍ଯ୍ୟକ୍ରମରେ ତାଙ୍କର ବ୍ୟାପକ ଅଭିଜ୍ଞତା ସହିତ, ଆଦିବାସୀ ଓ ଗ୍ରାମୀଣ ଅଞ୍ଚଳରେ ଝିଅମାନଙ୍କ ସ୍ୱାସ୍ଥ୍ୟ ଓ ସୁରକ୍ଷା ସମ୍ପର୍କିତ ସମସ୍ୟା ଉପରେ ତଥ୍ୟପୂର୍ଣ୍ଣ ଆଲୋଚନା କରିଥିଲେ। ଶ୍ରୀ ତ୍ରିପାଠୀ, ନାବାଳିକା ନ୍ୟାୟ ପ୍ରକ୍ରିୟାରେ ଝିଅମାନଙ୍କ ସୁରକ୍ଷା ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ସାମାଜିକ ସୁରକ୍ଷା ସମ୍ପର୍କିତ ଆଇନଗତ ଓ ପ୍ରକ୍ରିୟାଗତ ଚ୍ୟାଲେଞ୍ଜ ସମ୍ପର୍କିତ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିଥିଲେ ।

ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ନାରାୟଣ ଦାଶ ଉକ୍ତ କାର୍ଯ୍ୟକ୍ରମରେ ଭର୍ଚୁଆଲ ମାଧ୍ୟମରେ ଆଦିବାସୀ ଅଧ୍ୟୁଷିତ ଜିଲ୍ଲାଗୁଡ଼ିକରେ ନାବାଳିକାମାନଙ୍କ ସମ୍ମୁଖୀନ ବିଭିନ୍ନ ସମସ୍ୟା ସମ୍ପର୍କିତ ଏକ ପାୱାର ପଏଣ୍ଟ ଉପସ୍ଥାପନା ପ୍ରଦାନ କରି ନାବାଳିକା ସୁରକ୍ଷା ଦିଗରେ ସମସ୍ତଙ୍କର ସହଯୋଗ କାମନା କରିଥିଲେ। ଅତିରିକ୍ତ ଜିଲ୍ଲାପାଳ ବେଦବର ପ୍ରଧାନ, ଅତିରିକ୍ତ ପୋଲିସ ଅଧୀକ୍ଷକ ରଶ୍ମିରଞ୍ଜନ ସେନାପତି, ଓକିଲ ଅଶୋକ କୁମାର ପଟ୍ଟନାୟକ, ଓକିଲ ବିଜୟ କୁମାର ମହାନ୍ତି ଆଲୋଚନାରେ ଅଂଶଗ୍ରହଣ କରି ତାଙ୍କର ବହୁମୂଲ୍ୟ ମତ ପ୍ରଦାନ କରିଥିଲେ। ଜିଲ୍ଲା ନ୍ୟାୟାଧୀଶ ଡ଼କ୍ଟର ପ୍ରସନ୍ନ କୁମାର ପଣ୍ଡା ତାଙ୍କର ପ୍ରେରଣାଦାୟୀ ଭାଷଣରେ ମା’ଙ୍କ ପବିତ୍ରତା ଏବଂ ଝିଅମାନଙ୍କ ପାଇଁ ସମାଜରେ ନିରାପଦ ପରିବେଶ ସୃଷ୍ଟି କରିବାର ଆବଶ୍ୟକତା ଉପରେ ଗୁରୁତ୍ୱ ଦେଇଥିଲେ। ସେ କହିଥିଲେ ଯେ ମା’ ହେଉଛନ୍ତି ସମାଜର ମୂଳଦୁଆ, ଯିଏ ଜନନୀ, ଶିକ୍ଷାଦାତ୍ରୀ ଓ ଶକ୍ତିର ପ୍ରତୀକ। ସେ ଝିଅମାନଙ୍କ ସମ୍ମୁଖୀନ ବିପଦଗୁଡ଼ିକ ଯଥା ବାଲ୍ୟ ବିବାହ, ଶୋଷଣ ଏବଂ ଶିକ୍ଷାରେ ଅଭାବ, ଏବଂ ସମାଜରେ ସଚେତନତା ଓ ସଂକଳ୍ପ ମାଧ୍ୟମରେ ଏହାର ସମାଧାନ ପାଇଁ ଆହ୍ୱାନ ଦେଇଥିଲେ। ସେ ସମାଜରେ ସକାରାତ୍ମକ ମନୋଭାବ ଏବଂ ମହିଳାମାନଙ୍କ ପ୍ରତି ସମ୍ମାନଜନକ ଆଚରଣର ଆବଶ୍ୟକତା ଉପରେ ଜୋର ଦେଇଥିଲେ। ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ, ଶିଶୁ କଲ୍ୟାଣ ସମିତିର ଅଧ୍ୟକ୍ଷ, ସମସ୍ତ ବିଚାର ବିଭାଗୀୟ ଅଧିକାରୀ, ଜିଲ୍ଲା ଓକିଲ ସଂଘର ସଦସ୍ୟ, ନାବାଳିକା ନ୍ୟାୟ ବୋର୍ଡର ସଦସ୍ୟ, ଶିଶୁ କଲ୍ୟାଣ ସମିତିର ସଦସ୍ୟ, ଜିଲ୍ଲା ନ୍ୟାୟାଳୟର କର୍ମଚାରୀମାନେ ଏବଂ ପରିବର୍ତ୍ତନ ଏନଜିଓର ପ୍ରତିନିଧି ଏହି କାର୍ଯ୍ୟକ୍ରମରେ ସକ୍ରିୟ ଭାବେ ଅଂଶଗ୍ରହଣ କରି ସ୍ଥାନୀୟ ସମସ୍ୟା ଏବଂ ସମାଧାନ ସମ୍ପର୍କରେ ତଥ୍ୟ ଓ ପରିସଂଖ୍ୟାନ ଉପସ୍ଥାପନ କରିଥିଲେ। ଦୂରବର୍ତୀ ଅଞ୍ଚଳର ଅଧିକାରୀ, ବିଭିନ୍ନ ମହାବିଦ୍ୟାଳୟର ଅଧ୍ୟାପକ, ବିଦ୍ୟାଳୟର ଶିକ୍ଷକ ଏବଂ ଛାତ୍ରଛାତ୍ରୀମାନେ ଭର୍ଚୁଆଲ ମାଧ୍ୟମରେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଉପଖଣ୍ଡ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ପ୍ରତିମା ସାହୁ ଏହି ଆଲୋଚନା ସଭାର ସଂଯୋଜନା କରିଥିଲେ। ଜିଲ୍ଲା ନ୍ୟାୟାଳୟର ରେଜିଷ୍ଟ୍ରାର କୈଳାଶ ସାହୁ ଏହି କାର୍ଯ୍ୟକ୍ରମର ସଫଳ ସମ୍ପାଦନ ପାଇଁ ନେତୃତ୍ୱ ନେଇଥିଲେ ଏବଂ ଶେଷରେ ସମସ୍ତ ଅଂଶଗ୍ରହଣକାରୀଙ୍କୁ ଧନ୍ୟବାଦ ଜଣାଇଥିଲେ। କାର୍ଯ୍ୟକ୍ରମରେ ଡକ୍ୟୁମେଣ୍ଟେସନ, ଫଟୋଗ୍ରାଫି, ଭିଡିଓଗ୍ରାଫି, ଏବଂ ୟୁଟ୍ୟୁବ ଲାଇଭ ସ୍ଟ୍ରିମିଂ ସମେତ ଅତିଥି ଆତିଥ୍ୟ ପାଇଁ ଉଚ୍ଚମାନର ବ୍ୟବସ୍ଥା କରାଯାଇଥିଲା। ଏହି ଆଲୋଚନା ସଭା ମାଲକାନଗିରି ଜିଲ୍ଲାରେ ଝିଅମାନଙ୍କ ପାଇଁ ଏକ ନିରାପଦ ଓ ସକ୍ଷମ ପରିବେଶ ସୃଷ୍ଟି କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ହେବ ବୋଲି ଆଶା କରାଯାଉଛି।

Leave A Reply

Your email address will not be published.