ବ୍ରହ୍ମପୁରରେ ଲୋମହର୍ଷଣକାରୀ ହତ୍ୟାକାଣ୍ଡ: ଘରେ ପଶି ମହିଳାଙ୍କୁ ବିଭତ୍ସ ହତ୍ୟା, ୧୧ ବର୍ଷର ଝିଅ ଗୁରୁତର

youtube

ବ୍ରହ୍ମପୁର: ସହରର ନିମଖଣ୍ଡି ଥାନା ଅନ୍ତର୍ଗତ ଶ୍ରୀ ମା ନଗରରେ ଏକ ଅତ୍ୟନ୍ତ ବିଭତ୍ସ ଓ ଲୋମହର୍ଷଣକାରୀ ହତ୍ୟାକାଣ୍ଡ ଘଟିଯାଇଛି। ଜଣେ ଦୁର୍ବୃତ୍ତ ଘରେ ପଶି ଜଣେ ମହିଳାଙ୍କୁ ଧାରୁଆ ଅସ୍ତ୍ରରେ ନିର୍ମମ ଭାବେ ହତ୍ୟା କରିବା ସହ ତାଙ୍କ ୧୧ ବର୍ଷର ଝିଅକୁ ମଧ୍ୟ ମାରିଦେବାକୁ ଚେଷ୍ଟା କରିଛି। ଘଟଣାସ୍ଥଳରେ ମା’ ଗାୟତ୍ରୀ ସ୍ୱାଇଁଙ୍କ ମୃତ୍ୟୁ ହୋଇଥିବା ବେଳେ, ଗୁରୁତର ଆହତ କୁନି ଝିଅଟି ବର୍ତ୍ତମାନ ଭୁବନେଶ୍ୱରର ଏକ ଡାକ୍ତରଖାନାରେ ଜୀବନ ସହ ସଂଗ୍ରାମ କରୁଛି।

ମିଳିଥିବା ସୂଚନା ଅନୁଯାୟୀ, ଗାୟତ୍ରୀ ନିଜ ଝିଅ ସହ ଏକ ଭଡ଼ା ଘରେ ରହୁଥିଲେ। ଆଜି ଭୋର ସମୟରେ ଘର ମାଲିକ ବି. ରମେଶ ପାତ୍ର ଦେଖିଲେ ଯେ ଘର ଭିତରେ ପଙ୍ଖା ଓ ଆଲୁଅ ଜଳୁଥିବା ସତ୍ତ୍ୱେ ବାହାରୁ ତାଲା ପଡ଼ିଛି। ସେ ବାରମ୍ବାର ଡାକିବା ପରେ ମଧ୍ୟ କେହି ଉତ୍ତର ନ ଦେବାରୁ ତାଙ୍କ ମନରେ ସନ୍ଦେହ ସୃଷ୍ଟି ହୋଇଥିଲା। ସେ ତୁରନ୍ତ ଗାୟତ୍ରୀଙ୍କ ସ୍ୱାମୀଙ୍କୁ ଫୋନ କରି ଜଣାଇଥିଲେ। ସ୍ୱାମୀଙ୍କଠାରୁ ଖବର ପାଇ ଗାୟତ୍ରୀଙ୍କ ଭାଇ ଚିତ୍ରସେନ ସ୍ୱାଇଁ ଘଟଣାସ୍ଥଳରେ ପହଞ୍ଚିଥିଲେ। ସେ ତାଲା ଭାଙ୍ଗି ଘର ଭିତରକୁ ଯାଇ ଦେଖିଲା ବେଳକୁ, ଗାୟତ୍ରୀ ରକ୍ତ ଜୁଡୁବୁଡୁ ଅବସ୍ଥାରେ ତଳେ ପଡ଼ିଥିଲେ ଏବଂ ତାଙ୍କ ଝିଅ ଆହତ ଅବସ୍ଥାରେ କାନ୍ଦୁଥିଲା। ତୁରନ୍ତ ପୋଲିସକୁ ଖବର ଦେବା ସହ ଗୁରୁତର ଶିଶୁକନ୍ୟାକୁ ପ୍ରଥମେ ବ୍ରହ୍ମପୁର ବଡ଼ ମେଡିକାଲ ଓ ପରେ ଭୁବନେଶ୍ୱରକୁ ସ୍ଥାନାନ୍ତର କରାଯାଇଥିଲା।

ଖବର ପାଇ ନିମଖଣ୍ଡି ଥାନା ପୋଲିସ ଏବଂ ବ୍ରହ୍ମପୁର ଏସପି ଡା. ଶ୍ରବଣା ବିବେକ ଏମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରୁ ବିଭିନ୍ନ ପ୍ରମାଣ ସଂଗ୍ରହ କରିଛି। ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି।

ଏସପି ଶ୍ରୀ ବିବେକଙ୍କ କହିବା ଅନୁଯାୟୀ, “ହତ୍ୟାକାଣ୍ଡର ପ୍ରକୃତି ଦେଖିଲେ ଏଥିରେ କୌଣସି ପରିଚିତ ବ୍ୟକ୍ତିଙ୍କ ସମ୍ପୃକ୍ତି ଥିବା ସନ୍ଦେହ କରାଯାଉଛି। ପରିବାର ଲୋକଙ୍କୁ ପଚରାଉଚରା କରାଯାଉଛି। ଘଟଣାର ଅଧିକ ତଦନ୍ତ ଜାରି ରହିଛି ଏବଂ ଖୁବ୍ ଶୀଘ୍ର ଅଭିଯୁକ୍ତକୁ ଗିରଫ କରାଯିବ।”

ଉଲ୍ଲେଖଯୋଗ୍ୟ ଯେ, ଗାୟତ୍ରୀଙ୍କ ସ୍ୱାମୀ ଭୁବନେଶ୍ୱରରେ ଏକ ଘରୋଇ ସଂସ୍ଥାରେ କାର୍ଯ୍ୟ କରନ୍ତି। ଏକ ବର୍ଷ ପୂର୍ବେ ଗାୟତ୍ରୀ ନିଖୋଜ ଥିବା ନେଇ ତାଙ୍କ ସ୍ୱାମୀ ବଡ଼ବଜାର ଥାନାରେ ଏତଲା ଦେଇଥିଲେ, ଯଦିଓ ସେ ପରେ ଫେରି ଆସିଥିଲେ। ଗତ ୩ ତାରିଖରେ ହିଁ ପରିବାରଟି ଏହି ନୂଆ ଭଡ଼ା ଘରକୁ ଆସିଥିଲେ।

Leave A Reply

Your email address will not be published.