
ହିଞ୍ଜିଳିକାଟୁ : ଗଞ୍ଜାମ ଜିଲ୍ଲା ହତ୍ୟାକାଣ୍ଡ ହଟସ୍ପଟ ପାଲଟିଛି। ଗତ କିଛି ଦିନ ଧରି ଗଞ୍ଜାମ ଜିଲ୍ଲାର ବିଭିନ୍ନ ସ୍ଥାନରେ ସାମାନ୍ୟ କଥାକୁ କେନ୍ଦ୍ର କରି ପ୍ରତିଦିନ ହତ୍ୟାକାଣ୍ଡ ଘଟୁଥିବା ନଜିର ରହିଛି । ଗାଁ ତ୍ରିନାଥ ମଣ୍ଡପରେ ଶୋଇଥିବା ବେଳେ ପଙ୍ଖା ବନ୍ଦ କରିବାକୁ କେନ୍ଦ୍ର କରି ତୁମୁଳକାଣ୍ଡ ଘଟିଛି। ପୁଅକୁ ମାଡ ମାରିବାରୁ ଘଟଣା ସମ୍ପର୍କରେ ବାପା ପଚାରିବାରୁ ଉତ୍ୟକ୍ତ ଯୁଵକ ଜଣଙ୍କ ଏକ ଛୁରୀରେ ଭୁଷି ହତ୍ୟା କରିଛି। ଏଭଳି ଏକ ଘଟଣା ସୋମବାର ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ରାଳବ ଗ୍ରାମରେ ଘଟିଛି। ମୃତକ ଜଣଙ୍କ ହେଲେ ହିଞ୍ଜିଳି ଥାନା ରାଳବ ଗ୍ରାମ ଖଣ୍ଡିଆ ସାହିର ହରି ପଟ୍ଟନାୟକ (୫୨) । ଖବର ପାଇ ହିଞ୍ଜିଳି ପୁଲିସ ଘଟଣା ସ୍ଥଳରେ ପହଞ୍ଚି ସରଜମିନ ତଦନ୍ତ ଆରମ୍ଭ କରିଛି। ଆକ୍ରମଣକାରୀ ଯୁବକଙ୍କୁ ପୁଲିସ କାବୁ କରିବା ସହ ଥାନାରେ ଅଟକ ରଖି ପଚରାଉଚରା କରୁଛି । ଅଟକ ଯୁବକ ଜଣଙ୍କ ସେହି ଗ୍ରାମର ଅରୁଣ ଦଳାଇ (୩୪) । ପୁଲିସ ମୃତଦେହକୁ ଜବତ କରି ଘଟଣାର ତଦନ୍ତ ଚଳାଇଛି। ମଙ୍ଗଳବାର ମୃତଦେହ ବ୍ୟବଚ୍ଛେଦ ସକାଶେ ବ୍ରହ୍ମପୁର ବଡ ଡ଼ାକ୍ତରଖାନାକୁ ପଠାଯିବ ବୋଲି ଥାନା ଆଇଆଇସି ଶ୍ରୀନିବାସ ସେଠି କହିଛନ୍ତି।
ପ୍ରକାଶ ଯେ, ସୋମବାର ଅପରାହ୍ନରେ ହିଞ୍ଜିଳି ଥାନା ରାଳବ ଗ୍ରାମର ତ୍ରିନାଥ ମଣ୍ଡପରେ ଗ୍ରାମର କିଛି ଯୁବକ ଶୋଇଥିଲେ। ବର୍ଷା ହେବାରୁ ମଣ୍ଡପରେ ଶୋଇଥିବା ହରି ପଟ୍ଟନାୟକଙ୍କ ପୁଅ ସାଗର ପଟ୍ଟନାୟକ (୨୨) ମଣ୍ଡପରେ ଲାଗିଥିବା ପଙ୍ଖା ବନ୍ଦ କରି ଦେଇଥିଲେ। ମଣ୍ଡପରେ ଶୋଇଥିବା ସେହି ଗ୍ରାମର ଅନ୍ୟ ଜଣେ ଯୁବକ ଅରୁଣ ଦଳାଇ, ସାଗରଙ୍କୁ କାହିଁକି ପଙ୍ଖା ବନ୍ଦ କଲୁ ବୋଲି ଗାଳିଗୁଲଜ କରିବା ସହ ମାଡ ମାରିଥିଲେ। ଘଟଣା ସମ୍ପର୍କରେ ସାଗରଙ୍କ ବାପା ହରି ଜାଣିପାରି ତାଙ୍କ ପୁଅକୁ କାହିଁକି ମାଡ ମାରିଛି ବୋଲି ଅରୁଣଙ୍କୁ ପଚାରିଥିଲେ। ଅରୁଣ ଉତ୍ୟକ୍ତ ହୋଇ ହରିଙ୍କୁ ଗାଳିଗୁଲଜ କରିବା ସହ ତୋ ପୁଅକୁ ମାଡ ମାରିଛି, ତତେ ହତ୍ୟା କରିବି ବୋଲି ଧମକ ଦେଇଥିଲେ। ପରବର୍ତ୍ତୀ ସମୟରେ ଅରୁଣ ଘରୁ ଏକ ଧାରୁଆ ଛୁରୀ ଆଣି ଗାଁ ଦାଣ୍ଡରେ ହରିଙ୍କ ପେଟ ଓ ଗଳାକୁ ଭୁଷି ଦେଇଥିଲେ। ରକ୍ତ ଜୁଡୁବୁଡୁ ହୋଇ ଘଟଣା ସ୍ଥଳରେ ହିଁ ହରି ଟଳି ପଡ଼ିଥିଲେ। ଖବର ପାଇ ହିଞ୍ଜିଳି ଥାନା ଆଇଆଇସି ଶ୍ରୀନିବାସ ସେଠି ଓ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ସରଜମିନ ତଦନ୍ତ ଆରମ୍ଭ କରିଥିଲେ। ଆକ୍ରମଣକାରୀ ଅରୁଣ ଘଟଣା ସ୍ଥଳରୁ ଫେରାର ହେବାକୁ ଉଦ୍ୟମ କରୁଥିବା ବେଳେ ପୁଲିସ କାବୁ କରିବା ସହ ଅରୁଣଙ୍କ ନିକଟରୁ ହତ୍ୟାରେ ବ୍ୟବହୃତ ରକ୍ତଭିଜା ଛୁରୀକୁ ଜବତ କରିଛି। ଘଟଣା ନେଇ ମୃତକଙ୍କ ଶଳା ଛବି ମହାନ୍ତି ହିଞ୍ଜିଳି ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ଭିତ୍ତିରେ ହିଞ୍ଜିଳି ଥାନାରେ କେସ ନ°- ୬୩୫/୨୫ ରେ ଏକ ମାମଲା ରୁଜୁ କରି ପୁଲିସ ଘଟଣାର ତଦନ୍ତ ଚଳାଇଛି। ମଙ୍ଗଳବାର ସାଇଣ୍ଟଫିକ୍ ଟିମ୍ ଆସି ଘଟଣାର ତଦନ୍ତ କରିବ ବୋଲି ପୁଲିସ କହିଛି। ମୃତଦେହ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ରଖାଯାଇଛି। ମଙ୍ଗଳବାର ବ୍ୟବଚ୍ଛେଦ ସକାଶେ ବ୍ରହ୍ମପୁର ବଡ ଡ଼ାକ୍ତରଖାନାକୁ ପଠାଯିବ।