ସମ୍‌ ହସ୍ପିଟାଲ-୨ରେ ବିରଳ ଶ୍ୱାସନଳୀ ଅସ୍ତ୍ରୋପଚାର: କର୍କଟ ରୋଗୀଙ୍କୁ ମିଳିଲା ନୂଆ ଜୀବନ

add-all

ଭୁବନେଶ୍ୱର: ଫୁଲନଖରାସ୍ଥିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌, କ୍ୟାମ୍ପସ-୨ର ଡାକ୍ତରମାନେ ଏକ ବିରଳ ଅସ୍ତ୍ରୋପଚାର କରିଛନ୍ତି। ଜଣେ ୪୦ ବର୍ଷୀୟ କର୍କଟ ରୋଗୀଙ୍କ ରୁଦ୍ଧ ଶ୍ୱାସନଳୀକୁ ସଫଳତାର ସହ ଉନ୍ମୁକ୍ତ କରି ଉଦାହରଣ ସୃଷ୍ଟି କରିଛନ୍ତି। 
କଟକଜିଲ୍ଲା ନିଆଳି ଅଞ୍ଚଳର ଏହି ରୋଗୀଙ୍କୁ ୨୦୨୪ ମସିହାରେ ଜିଭ କର୍କଟ ରୋଗ ନିମନ୍ତେ ଅସ୍ତ୍ରୋପଚାର, କେମୋଥେରାପି ଓ ରେଡିଏସନ୍‌ ‌ଥେରାପି ମଧ୍ୟ ଦିଆଯାଇଥିଲା। ତେବେ ଦୁଇ ମାସ ହେବ ତାଙ୍କର ଶ୍ୱାସକ୍ରିୟାରେ ଅସୁବିଧା ଉପୁଜିବା ସହ ଅଧିକ ମାତ୍ରାରେ କାଶ ହେଉଥିଲା। ଅଗଷ୍ଟ ୧ ତାରିଖରେ ତାଙ୍କୁ ହସ୍ପିଟାଲର ପଲମୋନାରୀ ମେଡିସିନ୍‌ ବିଭାଗରେ ଭର୍ତ୍ତି କରାଯିବା ସମୟରେ ତାଙ୍କ ଶରୀରରେ ଅମ୍ଳଜାନର ମାତ୍ରା  ୮୪ ପ୍ରତିଶତକୁ ଖସି ଆସିଥିଲା। ଛାତିର ସିଟି ସ୍କାନ୍ ଦ୍ୱାରା ବାଇଲେଟରାଲ୍‌ ହିଲାର୍ ଲଙ୍ଗ ମାସେସ୍ ଥିବା ଜଣାପଡ଼ିଥିଲା। ସେହିପରି ଭିଡିଓ ବ୍ରୋଙ୍କୋସ୍କୋପି ରିପୋର୍ଟରେ ଟ୍ୟୁମର ବୃଦ୍ଧି ଦ୍ୱାରା ଡାହାଣ ମୁଖ୍ୟ ବ୍ରୋଙ୍କୋସ୍ ସମ୍ପୂର୍ଣ୍ଣ ଭାବେ ବନ୍ଦ ହୋଇଯାଇଥିଲା। ରୋଗୀଙ୍କ ପରିସ୍ଥିତି ଜଟିଳ ହେବାରୁ ଡାକ୍ତରୀ ଦଳ ସେଣ୍ଟ୍ରାଲ୍ ଏୟାରୱେ ଟ୍ୟୁମ୍‌ର ଡିବଲକିଂ ପ୍ରକିୟା କରିବାକୁ ନିଷ୍ପତ୍ତି ନେଇଥିଲେ।
ଅସ୍ତ୍ରୋପଚାରର ଦୁଇଟି ପର୍ଯ୍ୟାୟରେ ପ୍ରଥମେ ଅଗଷ୍ଟ ୨ ଓ ଦ୍ୱିତୀୟ ଥର ପାଇଁ ଅଗଷ୍ଟ ୭ରେ କରାଯାଇଥିଲା। ସାଧାରଣ ଆନାସ୍ଥେସିଆ ପ୍ରୟୋଗ ତଥା ଅତ୍ୟାଧୁନିକ କ୍ରାୟୋ ପ୍ରୋବ୍ ଓ ଇଲେକ୍ଟ୍ରୋସ୍ନେର ଟେକ୍ନୋଲୋଜି ବ୍ୟବହାର କରି ଅତି ସାବଧାନତାର ସହିତ ଟ୍ୟୁମର୍‌କୁ ବାହାର କରାଯିବା ସହ ଶ୍ୱାସନଳୀକୁ ପୁନଃଉନ୍ମୁକ୍ତ କରାଯାଇଥିଲା। ଅସ୍ତ୍ରୋପଚାର ପରେ ରୋଗୀଙ୍କ ଶରୀରରେ ଅମ୍ଳଜାନର ମାତ୍ରା ସ୍ବାଭାବିକ ହୋଇଥିଲା।
ଯେତେବେଳେ ଶ୍ୱାସନଳୀ ସମ୍ପୂର୍ଣ୍ଣ ଭାବରେ ଅବରୋଧିତ ହୋଇଯାଏ, ପ୍ରତ୍ୟେକ ମୁହୂର୍ତ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ। ଅତ୍ୟାଧୁନିକ ଉପକରଣ ବ୍ୟବହାର କରି ଏଭଳି ସଫଳ ଚିକିତ୍ସା ସମ୍ଭବ ବୋଲି ପଲ୍‌ମୋନାରୀ ମେଡିସିନ୍ ବିଭାଗର ସହଯୋଗୀ ପ୍ରଫେସର ଡା. ସ୍ୱଦେଶ କୁମାର ମହାନ୍ତି କହିଛନ୍ତି। ଡା. ରଚିତା ମହାନ୍ତି, ଡା. ସୂର୍ଯ୍ୟଶଙ୍କର ମେହେର ଓ ଡା. ରାଜକୃଷ୍ଣ ବେହେରାଙ୍କୁ ନେଇ ଗଠିତ ଦଳ ଓ ବିଭାଗୀୟ ମୁଖ୍ୟ ଡା. ସୁଦୀପ ମହାପାତ୍ରଙ୍କ ନେତୃତ୍ୱରେ ପରିଚାଳିତ ଆନାସ୍ଥେସିଆ ଦଳର ସହଯୋଗରେ ଅସ୍ତ୍ରୋପଚାର ସଫଳ ହୋଇଥିଲା। ଅନ୍ୟ ସଦସ୍ୟମାନଙ୍କ ମଧ୍ୟରେ ଡା. ଜଗଦୀଶ ଜେନା, ଡା. ରଞ୍ଜିତା ବକ୍ସି, ଡା. ପ୍ରଜ୍ଞା ନନ୍ଦ, ଡା. ରୋହନ ରୋଶନ ନାୟକ ଓ ଡା. ପ୍ରତ୍ୟାଶା ନାୟକ ରହିଥିଲେ।

ad-week
Leave A Reply

Your email address will not be published.