ଜିଲ୍ଲାସ୍ତରୀୟ ୭୯ତମ ସ୍ବାଧୀନତା ଦିବସ ମହା ସମାରୋହରେ ପାଳିତ

youtube

ସରକାରଙ୍କ ବିଭିନ୍ନ ଜନକଲ୍ୟାଣ ଯୋଜନାର ସଫଳ ରୂପାୟନ ଉପରେ ଗୁରୁତ୍ବ ଦିଆଯିବ – ଜିଲ୍ଲାପାଳ

ଛତ୍ରପୁର : ପୂଣ୍ୟପ୍ରସୂ ଭାରତର ପବିତ୍ର ୭୯ ତମ ସ୍ବାଧୀନତା ଦିବସ କୋଟିକୋଟି ଭାରତୀୟଙ୍କ ଆଶା ଓ ଅଭିପ୍ସାର ମହାନ ଗଣପର୍ବ । ଆମ ପୂର୍ବଜଙ୍କ ବଳିଦାନ ଓ ବୀରତ୍ବ ଆମର ସ୍ମାରକୀ ଏବଂ ବିଶ୍ବେକ ପ୍ରେକ୍ଷାପଟ୍ଟରେ ଅହିଂସା ଆନ୍ଦୋଳନର ଏକ ଅପରିମିତ ଉପଲବ୍ଧି । ଏହି ବିଜୟଶ୍ରୀ ମଣ୍ଡିତ ଐତିହାସିକ ଦିବସ ଜିଲ୍ଲା ସଦର ମହକୁମା ଛତ୍ରପୁର ଠାରେ ମହା ସମାରୋହର ସହିତ ଆଡମ୍ବର ସହକାରେ ପାଳିତ ହୋଇଯାଇଛି୍ ।
ଛତ୍ରପୁର ସ୍ଥିତ ପୋଲିସ ପ୍ୟାରେଡ ପଡିଆ ଠାରେ ଜିଲ୍ଲାପାଳ ଓ୍ବି କୀର୍ତ୍ତି ଓ୍ବାସନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସମବେତ ଜନତାଙ୍କୁ ଉଦ୍ବୋଧନ ଦେଇ କହିଥିଲେଯେ, ସ୍ବାଧୀନତା ହିଁ ପ୍ରତ୍ୟେକ ନାଗରିକର ମୂଲ୍ୟବାନ ସମ୍ପଦ । ପ୍ରଥମେ ଦେଶର ସେହି ମହାନ ସଂଗ୍ରାମୀ ମାନଙ୍କୁ ଭକ୍ତିଭରା ସମ୍ମାନ ଓ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରି, ଜାତିର ଜନକ ତଥା ରାଷ୍ଟ୍ରପିତା ମହାତ୍ମା ଗାନ୍ଧୀ, ନେତାଜୀ ସୁଭାଷ ଚନ୍ଦ୍ର ବୋଷ, ପଣ୍ଡିତ ଜବାହରଲାଲ୍ ନେହେରୁ, ସର୍ଦ୍ଦାର ବଲ୍ଲଭବାଇ ପଟେଲ, ଉତ୍କଳମଣି ଗୋପବନ୍ଧୁ ଦାସ, ଡଃ ହରେକୃଷ୍ଣ ମହତାବ, ମା ରମାଦେବୀ, ମାଳତୀ ଚୌଧୁରୀ, ଶହୀଦ୍ ବିର୍ଶା ମୁଣ୍ଡା, ବକ୍ସି ଜଗବନ୍ଧୁ, ବିଶ୍ବନାଥ ଦାଶ, ଶହୀଦ ଲକ୍ଷ୍ମଣ ନାୟକ, ବୀର ସୁରେନ୍ଦ୍ର ସାଏ, ରଘୁ ଦିବାକରଙ୍କ ସମେତ ଅଗଣିତ ସଂଗ୍ରାମୀ ମାନଙ୍କ ଭଳି ଦେଶର ଏକତା ଓ ଅଖଣ୍ଡତା, ଶାନ୍ତି ଓ ସୁରକ୍ଷା ପାଇଁ ଶହୀଦ୍ ହୋଇଥିବା ବୀର ଯବାନ ମାନଙ୍କୁ ଏହି ଶୁଭ ଅବସରରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।
ସ୍ବାଧୀନତା ସଂଗ୍ରାମରେ ଓଡିଶା ତଥା ଗଞ୍ଜାମର ଅବଦାନ ଅତୁଳନୀୟ । ସ୍ବାଧୀନତା ପ୍ରାପ୍ତି ନିମନ୍ତେ ଘୁମୁସରର ଅବଦାନ କଥା ଆଲୋଚନା କଲାବେଳେ ମନରେ ସ୍ବତଃ ରୋମାଞ୍ଚକର ଶିହରଣ ଖେଳିଯାଏ । ଗଞ୍ଜାମ ଜିଲ୍ଲାର ଘୁମୁସର ବିଦ୍ରୋହର ସଂଗ୍ରାମୀ ଦୋରା ବିଷୋୟୀ ଓ ଚକରା ବିଷୋୟୀଙ୍କର ଅବଦାନ ଚିର ସ୍ମରଣୀୟ । ବେଲଗୁଣ୍ଠା ଓ ପାରଳାଖେମୁଣ୍ଡିରେ ସ୍ବାଧୀନତା ସଂଗ୍ରାମର ଡାକରା ଇତିହାସରେ ଲେଖା ହୋଇ ରହିଛି । ମହାତ୍ମା ଗାନ୍ଧୀଙ୍କ ଡାକରାରେ ଗଞ୍ଜାମର ସ୍ବର୍ଗତ ଅର୍ଜୁନ ବେହେରା ଓ ନନ୍ଦ କିଶୋର ମିଶ୍ର ପାଠ ପଢା ସମୟରେ ସ୍ବାଧୀନତା ସଂଗ୍ରାମରେ ଯୋଗଦେଇଥିଲେ । ସ୍ବର୍ଗତ ଦିବାକର ପଟ୍ଟନାୟକ, ଶରତ ଚନ୍ଦ୍ର ମହାପାତ୍ର, ଶ୍ୟାମ ସୁନ୍ଦର ପଟ୍ଟନାୟକ, ଭରତ ବେହେରା, ବୈକୁଣ୍ଠ ନାୟକ, ନିରଞ୍ଜନ ପଟ୍ଟନାୟକ, କିଶୋରମଣୀ ପଟ୍ଟନାୟକ, ଶଶୀ ଭୂଷଣ ରଥ, ଲିଙ୍ଗରାଜ ପାଣିଗ୍ରାହୀ, ବିଶ୍ବନାଥ ଦାଶ, ଜଗନ୍ନାଥ ମିଶ୍ର, ଶ୍ରୀରାମଚନ୍ଦ୍ର ମର୍ଦ୍ଦରାଜ, ହରିହର ମର୍ଦ୍ଦରାଜ ପ୍ରମୁଖ ସଂଗ୍ରାମୀ ମାନଙ୍କୁ ଏହି ଅବସରରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ।
ଗଞ୍ଜାମ ହେଉଛି କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ, କବିସୂର୍ଯ୍ୟ ବଳଦେବ ରଥ ଓ କବି ଗୋପାଳକୃଷ୍ଣଙ୍କ ପବିତ୍ର ମାଟି । ପୂର୍ବତନ ରାଷ୍ଟ୍ରପତି ଭି ଭି ଗିରି, ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ, ବିନାୟକ ଆଚାର୍ଯ୍ୟଙ୍କ ପରି କୃତୀ ସନ୍ତାନ ଏହି ମାଟିର ଗୌରବ ବଢାଇଛନ୍ତି । ଓଡିଶାର ସାମାଜିକ, ସାଂସ୍କୃତିକ, ରାଜନୈତିକ ଓ ଆଧ୍ୟାତ୍ମିକ କ୍ଷେତ୍ରରେ ଗଞ୍ଜାମର ଅବଦାନ ଅତୁଳନୀୟ । ଆଜିର ପବିତ୍ର ଦିବସରେ ଗଞ୍ଜାମ ଜିଲ୍ଲା ମାଟିକୁ ଭୂମିଷ୍ଠ ପ୍ରଣାମ ଜଣାଇଥିଲେ ।
ପର୍ଯ୍ୟଟନ କ୍ଷେତ୍ରରେ ଗଞ୍ଜାମ ଜିଲ୍ଲା ଓଡିଶା ପାଇଁ ଅତି ଗୁରୁତ୍ବ ବହନ କରେ । ଚିଲିକା, ଗୋପାଳପୁରର ବେଳାଭୂମି, ଋଷିକୂଲ୍ୟା ମୁହାଣରେ ଅଲିଭ୍ ରିଡଲେ କଇଁଛ, ତପ୍ତପାଣି, ପୋତାଗଡ ଦୂର୍ଗ, ବୁଦ୍ଧ ଖୋଲ ପରି ପର୍ଯ୍ୟଟନ ସ୍ଥଳୀ ସହିତ ତାରାତାରିଣୀ, ନାରାୟଣୀ, ଭୈରବୀ, ମହୁରୀ କାଳୁଆ
ଶକ୍ତିପୀଠ, ପଞ୍ଚମା ସିଦ୍ଧି ବିନାୟକ ମନ୍ଦିର, ସକଳେଶ୍ବର ମନ୍ଦିର, ଧରାକୋଟ ଜଗନ୍ନାଥ ମନ୍ଦିର, ବୁଗୁଡାର କାଷ୍ଠ କୋଣାର୍କ ମନ୍ଦିର ଇତ୍ୟାଦି ଆମ ଆଧ୍ୟାତ୍ମିକ ଓ ସାଂସ୍କୃତିକ ପରମ୍ପରାର ନିଦର୍ଶନ ।
ଗଞ୍ଜାମ ଜିଲ୍ଲା ସାମାଜିକ, ସାଂସ୍କୃତିକ ଓ ଅର୍ଥନୈତିକ ଜୀବନର ଆଶାତୀତ ପରିବର୍ତ୍ତନ ନିମନ୍ତେ ଓଡିଶାରେ ଏକ ଉଦାହରଣ ସୃଷ୍ଟି କରିଛି । ଆଧୁନିକୀକରଣ ଓ ସଂସ୍କାର ପାଇଁ ଓଡିଶା ସରକାର ଅତି ଯତ୍ନବାନ ଅଟନ୍ତି । ଓଡିଆ ଅସ୍ମିତା ଓ ସ୍ବାଭିମାନକୁ ଆଗକୁ ନେବା ପାଇଁ ପ୍ରାଥମିକତା ଦିଆଯାଉଛି । ଶିକ୍ଷା ବ୍ୟବସ୍ଥାର ଗୁଣାତ୍ମକ ମାନ ବୃଦ୍ଧି, କୃଷିର ଆନୁସଙ୍ଗୀକ ବିକାଶ, ଆୟୁଷ୍ମାନ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା, ଶିଳ୍ପ ପ୍ରତିଷ୍ଠା, ସାମାଜିକ ସୁରକ୍ଷାକୁ ପ୍ରାଧାନ୍ୟ ଦେବା ଆଦି କ୍ଷେତ୍ରରେ ସରକାର ଗଞ୍ଜାମ ଜିଲ୍ଲାକୁ ପ୍ରାଧାନ୍ୟ ଦେଉଛନ୍ତି ।
ଆଜିର ଦିନ ହେଉଛି ପ୍ରେରଣା ଓ ପ୍ରତିଜ୍ଞାର ଦିନ । ଆଜିର ଏହି ସ୍ବାଧୀନତା ଦିବସ ଅବସରରେ ସମସ୍ତେ ମିଳିମିଶି ଏକ ସମୃଦ୍ଧ ଓ ବିକଶିତ ଗଞ୍ଜାମ ଜିଲ୍ଲା ଗଠନ ପାଇଁ କାର୍ଯ୍ୟ କରିବାକୁ ଆହ୍ବାନ ଜଣାଇଥିଲେ । ପ୍ୟାରେଡ୍ ପୂର୍ବରୁ ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟାର୍ପଣ କରିଥିଲେ ।
ଜିଲ୍ଲାସ୍ତରୀୟ ପ୍ୟାରେଡ୍ ରେ ୩୫ ଟି ଦଳ ଅଂଶ ଗ୍ରହଣ କରିଥିଲେ । ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରଶ୍ମିରାଣୀ ନିମାକାଙ୍କ ସଂଯୋଜନାରେ ପ୍ୟାରେଡ୍ କମାଣ୍ଡର ଆର୍. ଆଇ. ଅଫ୍ ପୋଲିସ୍ ଅମୂଲ୍ୟ ନାୟକ ଏବଂ ସେକେଣ୍ଡ-ଇନ୍-କମାଣ୍ଡ ସର୍ଜେଣ୍ଟ ବିକାଶ ଚନ୍ଦ୍ର ସେନାପତି ପ୍ୟାରେଡ୍ ପରିଚାଳନା କରିଥିଲେ ।


ଉତ୍ସବରେ ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଅଞ୍ଜଳି ସ୍ବାଇଁ, ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନ, ଗଞ୍ଜାମ ପୋଲିସ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଶୁଭେନ୍ଦୁ କୁମାର ପାତ୍ର, ଅତିରିକ୍ତ ଜିଲ୍ଲାପାଳ ଡ. ପ୍ରମୋଦ କୁମାର ପୃଷ୍ଟି, ଦେବବ୍ରତ ପଣ୍ଡା, ସୁନୀଲ କୁମାର କେର୍କେଟାଙ୍କ ଉପସ୍ଥିତିରେ ଗଞ୍ଜାମ ଜିଲ୍ଲା ମାଧ୍ୟମିକ ଶିକ୍ଷା ପରିଷଦ ପରୀକ୍ଷା-୨୦୨୫ ଟପ୍ପର ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର, ନୀଳକଣ୍ଠ ନଗର, ବ୍ରହ୍ମପୁର ର ଶ୍ରୀମାନ ଆଶୁତୋଷ ସେଠୀ ଓ ସୁଶ୍ରୀ ଅର୍ପିତା ଆଚାର୍ଯ୍ୟ ଙ୍କୁ ସମ୍ମାନୀତ କରାଯାଇଥିଲା ।
ଏହି ଉପଲକ୍ଷେ ଛତ୍ରପୁର ସ୍ଥିତ ଖେଳ ପଡିଆ ଠାରେ ପ୍ରଶାସନ ଏକାଦଶ ଏବଂ ଛତ୍ରପୁର ପ୍ରେସ କ୍ଲବ୍ ଏକାଦଶ ଙ୍କ ମଧ୍ୟରେ ବନ୍ଧୁତ୍ବ ପୂର୍ଣ୍ଣ କ୍ରିକେଟ୍ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା । ଏଥିରେ ଗଞ୍ଜାମ ଜିଲ୍ଲା ପ୍ରଶାସନ ବିଜୟ ହାସଲ କରିଥିଲା । ଏଥିରେ ଅତିରିକ୍ତ ଜିଲ୍ଲାପାଳ ଡ. ପ୍ରମୋଦ କୁମାର ପୃଷ୍ଟି, ଦେବବ୍ରତ ପଣ୍ଡା, ସୁନୀଲ କୁମାର କେର୍କେଟା ଉପ ଜିଲ୍ଲାପାଳ ଶିବାଶୀଷ ବରାଳ ପ୍ରମୁଖ ଉପସ୍ଥିତ ଥିଲେ । ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ଏବଂ ଜିଲ୍ଲାପାଳ ଓ୍ବି କୀର୍ତ୍ତି ଓ୍ବାସନ୍ ଉଭୟ ଓ୍ବିନର୍ ଓ ରନର୍ ଙ୍କୁ ଟ୍ରଫି ପ୍ରଦାନ କରିଥିଲେ । ଏହାକୁ ଜିଲ୍ଲା କ୍ରୀଡା ଅଧିକାରୀ ସନ୍ତୋଷ କୁମାର ମିଶ୍ର ପରିଚାଳନା କରିଥିଲେ ।
ଅପରାହ୍ନ ସମୟରେ ଜଉଗଡ ସମ୍ମିଳନୀ କକ୍ଷଠାରେ ବହୁଭାଷୀ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା । ଏଥିରେ ବ୍ରଜ ମୋହନ ଆଚାର୍ଯ୍ୟ ଅଧ୍ୟକ୍ଷତା କରିଥିବା ବେଳେ ସରକାରୀ ବିଜ୍ଞାନ ମହାବିଦ୍ୟାଳୟର ଅଧ୍ଯକ୍ଷ ଡଃ ଅଜୟ କୁମାର ତ୍ରିପାଠୀ ମୁଖ୍ୟ ଅତିଥି ଏବଂ ଛତ୍ରପୁର ପୂର୍ବତନ ବିଧାୟକ ଅଶୋକ କୁମାର ଚୌଧୁରୀ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ । ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରଶ୍ମିରାଣୀ ନିମାକା ପ୍ରାରମ୍ଭିକ ସୂଚନା ଓ ସ୍ବାଗତ ଭାଷଣ ଦେଇଥିଲେ । ଶ୍ରୀମତୀ ପଦ୍ମିନୀ ମିଶ୍ର କବିତା ସଂଯୋଜନା କରିଥିଲେ ଏବଂ ଛତ୍ରପୁର ସାହିତ୍ୟ ସଂସଦର ସଂପାଦକ ଦିଲ୍ଲିପ କୁମାର ପଲେଇ ଧନ୍ୟବାଦ ଅର୍ପଣ କରିଥିଲେ । ଜିଲ୍ଲାର ବହୁ କବି, କବୟତ୍ରୀ ଅଂଶ ଗ୍ରହଣ କରିଥିଲେ ।
ସଂଧ୍ୟା ସମୟରେ ଏହି ପବିତ୍ର ଦିବସ ପାଳନ ଉପଲକ୍ଷେ ଜିଲ୍ଲା ସଂସ୍କୃତି ଭବନ ଠାରେ ବିଭିନ୍ନ ଅନୁଷ୍ଠାନର ଛାତ୍ର ଛାତ୍ରୀ ଙ୍କ ଦ୍ବାରା ତ୍ରିରଙ୍ଗା କନସର୍ଟ ସାଂସ୍କୃତିକ କାର୍ଯ୍ୟକ୍ରମ ଅତିରିକ୍ତ ଜିଲ୍ଲାପାଳ ଦେବବ୍ରତ ପଣ୍ଡାଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ଯୋଗଦେଇଥିଲେ । ଅତିରିକ୍ତ ଜିଲ୍ଲାପାଳ ସୁନୀଲ କୁମାର କେର୍କେଟା, ପୂର୍ବତନ ବିଧାୟକ ଅଶୋକ କୁମାର ଚୌଧୁରୀ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରଶ୍ମିରାଣୀ ନିମାକା ପ୍ରମୁଖ ଉପସ୍ଥିତ ଥିଲେ । ଏଥିରେ ୧୯ ଟି ଦଳ ଭାଗନେଇଥିଲେ । ଜିଲ୍ଲା ସଂସ୍କୃତି ଅଧିକାରୀ ସନ୍ତୋଷ କୁମାର ମିଶ୍ର ସମସ୍ତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Leave A Reply

Your email address will not be published.