ରାୟଗଡା ବିଜେଡି ସଭାପତି ଦୌଡ଼: ଗୋଷ୍ଠୀ କନ୍ଦଳକୁ ନେଇ କର୍ମୀ ନିରାଶ, ନୂଆ ନେତୃତ୍ୱ ଭାବେ ଚର୍ଚ୍ଚାରେ ଯୁବ ନେତା ପୃଥ୍ବୀରାଜ ସାହୁ…

ଗୋଷ୍ଠୀ କନ୍ଦଳକୁ ନେଇ କିଛି ନେତା ଓ କର୍ମୀ ଦଳ ଛାଡିବାକୁ ସଜବାଜ…!
ଭୁବନେଶ୍ୱର/ରାୟଗଡା: ରାଜ୍ୟରେ ବିଜୁ ଜନତା ଦଳ ଏବେ ବି ଏକ ଦୃଢ ଓ ବଳିଷ୍ଠ ରାଜନୈତିକ ଶକ୍ତି ଭାବେ ନିଜର ସ୍ଥିତି ବଜାୟ ରଖିଛି। ତେଣୁ ବିଜେଡିର ସାଙ୍ଗଠନିକ ନିର୍ବାଚନ ଉପରେ ସମସ୍ତଙ୍କର ନଜର ରହିବା ସ୍ୱାଭାବିକ। ଦଳ ପକ୍ଷରୁ ୩୩ଟି ସାଙ୍ଗଠନିକ ଜିଲ୍ଲା ମଧ୍ୟରୁ ୨୮ଟିରେ ସଭାପତିଙ୍କ ନାମ ଘୋଷଣା ସରିଥିବା ବେଳେ ୫ଟି ଜିଲ୍ଲାର ଫଳାଫଳ ଏବେ ବି ଅପେକ୍ଷାରେ। ଏହି ୫ଟି ଜିଲ୍ଲା— ରାୟଗଡା, କୋରାପୁଟ, ବାଲେଶ୍ବର, ଖୋର୍ଦ୍ଧା ଓ ଢେଙ୍କାଦାଳ ମଧ୍ୟରୁ ରାୟଗଡା ଜିଲ୍ଲାର ରାଜନୈତିକ ପାଣିପାଗ ଏବେ ସବୁଠୁ ବେଶୀ ସରଗରମ। ଦୀର୍ଘ ଦିନର ଗୋଷ୍ଠୀ କନ୍ଦଳ ଏବଂ ନେତୃତ୍ୱ ସଙ୍କଟ ଭିତରେ ଏବେ ଏକ ନୂଆ ନାଁକୁ ନେଇ ଜିଲ୍ଲାରେ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଛି।
ରାୟଗଡା ବିଜେଡିରେ ମୁଖ୍ୟତଃ ଦୁଇଟି ଶକ୍ତିଶାଳୀ ଗୋଷ୍ଠୀ ମଧ୍ୟରେ ଚାଲିଥିବା ଶୀତଳ ଯୁଦ୍ଧ କାହାକୁ ଅଛପା ନାହିଁ। ଗୋଟିଏ ଗୋଷ୍ଠୀର ନେତୃତ୍ୱ ପୂର୍ବତନ ରାଜ୍ୟସଭା ସାଂସଦ ଏନ୍. ଭାସ୍କର ରାଓ ଏବଂ ତାଙ୍କ ପୁଅ ଏନ୍. ଶିବପ୍ରସାଦ ରାଓ ନେଉଥିବା ବେଳେ, ଅନ୍ୟ ଗୋଷ୍ଠୀଟିକୁ ପୂର୍ବତନ ଜିଲ୍ଲା ସଭାପତି ସୁଧୀର ଦାଶ ପରିଚାଳନା କରୁଛନ୍ତି। ଚର୍ଚ୍ଚା ହେଉଛି ଯେ ସୁଧୀର ଦାଶଙ୍କ ପଛରେ ଦଳର ବରିଷ୍ଠ ନେତାଙ୍କ ଆଶୀର୍ବାଦ ରହିଛି। ଏହି ଦୁଇ ଗୋଷ୍ଠୀର ଅହଂକାର ଓ ପତିଆରା ଲଢେଇ କାରଣରୁ ଦଳ ଜିଲ୍ଲାରେ କ୍ରମାଗତ ଭାବେ ଦୁର୍ବଳ ହେବାରେ ଲାଗିଛି। ଏହାର ପରିଣାମ ସ୍ୱରୂପ, ଗତ ନିର୍ବାଚନରେ ଦଳକୁ ବିଷମ କଟକ, ରାୟଗଡା ଓ ଗୁଣୁପୁର ଭଳି ତିନୋଟି ଗୁରୁତ୍ୱପୂର୍ଣ୍ଣ ଆସନ କଂଗ୍ରେସ ହାତକୁ ଟେକିଦେବାକୁ ପଡିଥିଲା।
ଏହି ପରିସ୍ଥିତିରେ ଜିଲ୍ଲାର ସାଧାରଣ କର୍ମୀ ଏବଂ ଜନସାଧାରଣ ଏବେ ପରିବର୍ତ୍ତନ ଚାହୁଁଛନ୍ତି। ନିକଟରେ ଉଭୟ ଗୋଷ୍ଠୀ ନିଜ ନିଜ ପସନ୍ଦର ତିନୋଟି ଲେଖାଏଁ ନାମ ସଭାପତି ପଦ ପାଇଁ ଦଳୀୟ ମୁଖିଆଙ୍କୁ ଦେଇଥିଲେ। କିନ୍ତୁ ଏହି ପ୍ରସ୍ତାବିତ ନାମଗୁଡ଼ିକର ଜନସାଧାରଣଙ୍କ ମଧ୍ୟରେ ବିଶେଷ ପ୍ରଭାବ ନଥିବାରୁ କର୍ମୀମହଲରେ ଘୋର ନିରାଶା ଦେଖାଦେଇଛି। ଏହି ସମୟରେ, ଏକ ନୂଆ ଏବଂ ସର୍ବଗ୍ରହଣୀୟ ନେତୃତ୍ୱ ଭାବରେ ସାମ୍ନାକୁ ଆସିଛି ଯୁବ ନେତା ପୃଥ୍ବୀରାଜ ସାହୁଙ୍କ ନାମ।
କାହିଁକି ଚର୍ଚ୍ଚାରେ ପୃଥ୍ବୀରାଜ ସାହୁ?

ପୃଥ୍ବୀରାଜ ସାହୁ କେବଳ ଜଣେ ଯୁବ ନେତା ନୁହନ୍ତି, ବରଂ ଜଣେ ଦକ୍ଷ ସଙ୍ଗଠକ, ସମାଜସେବୀ, ଆଇନଜୀବୀ ଏବଂ ଅଭିଜ୍ଞ ରାଜନେତା ଭାବେ ଜିଲ୍ଲାରେ ବେଶ୍ ପରିଚିତ।
ଦୃଢ ସଙ୍ଗଠକ: ତାଙ୍କର ସାଙ୍ଗଠନିକ ଦକ୍ଷତା ଯୁବପିଢ଼ିଙ୍କୁ ଦଳ ସହ ଯୋଡ଼ିବାରେ ସଫଳ ହୋଇଛି।
ଲୋକପ୍ରିୟତା: ଜଣେ ସମାଜସେବୀ ଭାବରେ ସାଧାରଣ ଲୋକଙ୍କ ସୁଖଦୁଃଖରେ ସାମିଲ ହୋଇ ସେ ବେଶ୍ ଲୋକପ୍ରିୟତା ହାସଲ କରିଛନ୍ତି।
ବିଭିନ୍ନ ପଦପଦବୀ: ସେ ଜାତୀୟ ସ୍ତରରେ “ସିପକୋଟ୍ରାକ” ଦଳର ସହ-ସମ୍ପାଦକ ଏବଂ ରାଜ୍ୟ ସରକାରଙ୍କ ଅନୁସୂଚିତ ଜାତି ଓ ଜନଜାତି ବିଭାଗର ଉପଦେଷ୍ଟା ଭଳି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱରେ ମଧ୍ୟ ରହିଛନ୍ତି। କ୍ରୀଡ଼ା ପ୍ରତି ଆଗ୍ରହ: କ୍ରୀଡ଼ା କ୍ଷେତ୍ରରେ ମଧ୍ୟ ତାଙ୍କର ନେତୃତ୍ୱ ନେବାର ଦକ୍ଷତା ରହିଛି। ସେ ଖଦିବୋର୍ଡର ସଦସ୍ୟ ରହିଆସିଛନ୍ତି |
ଜିଲ୍ଲାର ତୃଣମୂଳସ୍ତରର କର୍ମୀ ଏବଂ ସାଧାରଣ ଜନତା ଏବେ ବିଶ୍ୱାସ କରନ୍ତି ଯେ ଯଦି ପୃଥ୍ବୀରାଜ ସାହୁଙ୍କୁ ଜିଲ୍ଲା ସଭାପତି ଦାୟିତ୍ୱ ଦିଆଯାଏ, ତେବେ ଦଳ ଭିତରେ ଥିବା ଗୋଷ୍ଠୀ କନ୍ଦଳର ଅନ୍ତ ଘଟିବ ଏବଂ ଏକ ନୂଆ ଅଧ୍ୟାୟ ସୃଷ୍ଟି ହେବ। ଏବେ ସମସ୍ତଙ୍କ ନଜର ଦଳର ସୁପ୍ରିମୋଙ୍କ ନିଷ୍ପତ୍ତି ଉପରେ। ସେ କ’ଣ ପୁରୁଣା ଗୋଷ୍ଠୀକନ୍ଦଳକୁ ବଢ଼ିବାକୁ ଦେବେ, ନା କର୍ମୀ ଓ ଜନତାଙ୍କ ଭାବନାକୁ ସମ୍ମାନ ଦେଇ ପୃଥ୍ବୀରାଜଙ୍କ ଭଳି ଏକ ନୂଆ ନେତୃତ୍ୱକୁ ସୁଯୋଗ ଦେବେ, ତାହା ଦେଖିବାକୁ ବାକି ରହିଲା।