
ବ୍ରହ୍ମପୁର : ପାର୍ବଣ ଋତୁ ଆରମ୍ଭ ହେବାକୁ ଯାଉଥିବା ବେଳେ ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ (ଟିପିଏସ୍ଓଡିଏଲ୍) ଦକ୍ଷିଣ ଓଡ଼ିଶାର ଉପଭୋକ୍ତା ଓ ଜନସାଧାରଣଙ୍କୁ ସୁରକ୍ଷିତ ଓ ଦାୟିତ୍ୱପୂର୍ଣ୍ଣ ହିସାବରେ ପୂଜା, ପର୍ବପର୍ବାଣୀ ତଥା ଉତ୍ସବ ପାଳନ କରିବାକୁ ଅନୁରୋଧ କରିଛି। ଯେକୋୖଣସି ଉତ୍ସବ ସମାଜର ପ୍ରତ୍ୟେକ ବର୍ଗକୁ ଏକତ୍ରିତ କରିଥାଏ। ଟିପିଏସ୍ଓଡିଏଲ୍ ଏଇ ଅବସରରେ ନିରବଚ୍ଛିନ୍ନ ଓ ଭରସାଯୋଗ୍ୟ ବିଜୁଳି ଯୋଗାଣ କରିବା ପାଇଁ ବ୍ୟବସ୍ଥା କରିଛି ଯାହା ଦ୍ୱାରା ବିନା କୌଣସି ବାଧାରେ ସୁରକ୍ଷିତ ଭାବରେ ପୂଜା ଓ ଉତ୍ସବ ପାଳନ ହୋଇପାରିବ। ଏଥିସହିତ ବିଦ୍ୟୁତ ସୁରକ୍ଷା ନିୟମ ପାଳନ କରିବାରେ କୌଣସି ଅବହେଳା ନ କରିବା ପାଇଁ କମ୍ପାନୀ ସମସ୍ତଙ୍କୁ ଆହ୍ୱାନ ଦେଇଛି।
ଏହି ସମୟରେ ପୂଜା ଓ ଉତ୍ସବକୁ ସୁରକ୍ଷିତ ଭାବରେ ପାଳନ କରିବା ପାଇଁ ଟିପିଏସ୍ଓଡିଏଲ୍ ତରଫରୁ ପୂଜା ମଣ୍ଡପ, ସାମୁଦାୟିକ କାର୍ଯ୍ୟକ୍ରମ, ଏବଂ ସାଂସ୍କୃତିକ ସମାରୋହ ପାଇଁ ଅସ୍ଥାୟୀ ବିଦ୍ୟୁତ ସେବା ସଂଯୋଗ ଯୋଗାଇ ଦେଉଛି । ଏହି ସେବା ଟିପିଏସ୍ଓଡିଏଲ୍ ଅନ୍ତର୍ଭୁକ୍ତ ସମସ୍ତ ସେକ୍ସନ, ସବଡିଭିଜନ ଏବଂ ଡିଭିଜନ ଅଫିସ କିମ୍ବା ଏହାର ବିଦ୍ୟୁତ ସେବା ନମ୍ବର ଦ୍ୱାରା ଯୋଗାଇ ଦିଆଯାଉଛି। ଉତ୍ସବ ଆୟୋଜକମାନଙ୍କୁ କେବଳ ସ୍ୱୀକୃତିପ୍ରାପ୍ତ ଲାଇନମ୍ୟାନଙ୍କ ଦ୍ୱାରା ସାଜସଜ୍ଜା ତଥା ୱାଏରିଂ ଆଦି କରାଇବାକୁ ଅନୁରୋଧ କରାଯାଇଛି। ଯାହାଦ୍ୱାରା ସମସ୍ତ ବିଦ୍ୟୁତ ସଂଯୋଗ ଓ ବିଦ୍ୟୁତ ଉପକରଣ ସୁରକ୍ଷା ନିୟମର ମାନକକୁ ପ୍ରତିପାଳନ କରୁଥିବା ନିଶ୍ଚିତ କରେ।
କମ୍ପାନୀ ଗ୍ରାହକମାନଙ୍କୁ ସରଳ କିନ୍ତୁ ଗୁରୁତ୍ୱପୂର୍ଣ୍ଣ ସତର୍କତା ଅବଲମ୍ବନ କରିବାକୁ ଅନୁରୋଧ କରିଛି। ବିଦ୍ୟୁତ ତାରକୁ ଭଲଭାବେ ଯାଞ୍ଚ କରାଯିବା, ଛିଣ୍ଡା ବିଦ୍ୟୁତ ତାର ତଥା ଭଙ୍ଗା ପ୍ଲଗଗୁଡ଼ିକୁ ତୁରନ୍ତ ବଦଳାଇବା ଏବଂ ଉପଯୁକ୍ତ ଆର୍ଥିଂ ଅତ୍ୟନ୍ତ ଜରୁରୀ ବୋଲି କମ୍ପାନୀ ପକ୍ଷରୁ ଜାରି ହୋଇଥିବା ସୁରକ୍ଷା ନିୟମାବଳୀରେ କୁହାଯାଇଛି । ଗୋଟିଏ ସକେଟରେ ଏକାଧିକ ପ୍ଲଗ୍ ବ୍ୟବହାର କରିବା ତଥା ଅଧିକ ଲୋଡ୍ ଦେବା, ନିମ୍ନମାନର ବିଦ୍ୟୁତ ଉପକରଣ ବ୍ୟବହାର କରିବା ବିପଦପୂର୍ଣ୍ଣ ହୋଇପାରେ। ସେହିପରି ମୁଣ୍ଡ ଉପର ଦେଇ ଯାଇଥିବା ବିଦ୍ୟୁତ ତାରରେ କୌଣସି ସାଜସଜ୍ଜା ନ କରିବା ତଥା ଏସବୁରୁ ନିବୃତ୍ତ ରହିବା ପାଇଁ କମ୍ପାନୀ ତରଫରୁ କୁହାଯାଇଛି। ବିସର୍ଜନ ସମୟରେ ସତର୍କ ରହିବା ପାଇଁ ମଧ୍ୟ ଟିପିଏସ୍ଓଡିଏଲ୍ ତରଫରୁ ଜୋର ଦିଆଯାଇଛି। ବିଜୁଳି ତାର, ବିଦ୍ୟୁତ ଖୁଣ୍ଟ, ଟ୍ରାନ୍ସଫର୍ମରଠାରୁ ସୁରକ୍ଷିତ ଦୂରତା ଅବଲମ୍ବନ କରିବା ବିଶେଷକରି ବାଣ ଫୁଟାଇବା ସମୟରେ ବୈଦ୍ୟୁତିକ ଉପକରଣ, ମୁଣ୍ଡ ଉପର ଦେଇ ଯାଇଥିବା ବିଦ୍ୟୁତ ତାରଠାରୁ ଦୂରେଇ ରହିବା ପାଇଁ କୁହାଯାଇଛି।
ଯେକୋୖଣସି ବିଦ୍ୟୁତ ସମ୍ବନ୍ଧୀୟ ସମସ୍ୟାର ସମ୍ମୁଖୀନ ହେଲେ ଉପଭୋକ୍ତାଙ୍କୁ ସହାୟତା ପ୍ରଦାନ କରିବା ପାଇଁ କମ୍ପାନୀର ଫ୍ୟୁଜ କଲ ସେଣ୍ଟର କିମ୍ବା ୨୪×୭ ଗ୍ରାହକ ସେବା ଟୋଲ-ଫ୍ରି ନମ୍ବର ୧୯୧୨ କିମ୍ବା ୧୮୦୦୩୪୫୬୭୯୭ ରେ ତୁରନ୍ତ ଜଣାଇବାକୁ ଅନୁରୋଧ କରାଯାଇଛି। ପୂଜା ଓ ଉତ୍ସବ ପାଳନ ସମୟରେ ଉପଭୋକ୍ତାଙ୍କୁ ସହାୟତା ପ୍ରଦାନ କରିବା ଓ ସେମାନଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ କମ୍ପାନୀ ସମ୍ପୂର୍ଣ୍ଣ ରୂପେ ପ୍ରସ୍ତୁତ ରହିଛି ।
ଏହି ପାର୍ବଣ ଋତୁ ଅବସରରେ ଟିପିଏସ୍ଓଡିଏଲର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଅମିତ କୁମାର ଗର୍ଗ ଶୁଭେଚ୍ଛା ଜଣାଇବା ସହିତ କହିଛନ୍ତି “ପ୍ରତ୍ୟେକ ଉତ୍ସବ ହେଉଛି ଆନନ୍ଦ ଓ ଏକତାର ସମୟ। ଟିପିଏସ୍ଓଡିଏଲରେ ଆମର ପ୍ରାଥମିକତା ହେଉଛି ଏକ ସୁରକ୍ଷିତ ଓ ଭରସାଯୋଗ୍ୟ ପରିବେଶ ସୃଷ୍ଟି କରିବା ଯାହାଦ୍ୱାରା ଲୋକମାନେ ଆନନ୍ଦ ଓ ଶାନ୍ତିର ସହକାରେ ଉତ୍ସବ ପାଳନ କରିପାରିବେ। ଆମେ ସମସ୍ତଙ୍କୁ ପୂଜା ଓ ଉତ୍ସବ ପାଳନ ସମୟରେ ସୁରକ୍ଷା ନିୟମ ପାଳନ କରିବାକୁ ଅନୁରୋଧ କରୁଛୁ ଯାହାଦ୍ୱାରା ସମସ୍ତଙ୍କ ପାଇଁ ଏହି ପାର୍ବଣ ଋତୁ ସୁରକ୍ଷିତ ଓ ଉଜ୍ଜ୍ୱଳମୟ ହୋଇପାରିବ।