
ନୟାଗଡ଼: ନୟାଗଡ଼ ଜିଲ୍ଲା ଓଡ଼ଗାଁ ବସଷ୍ଟାଣ୍ଡ ଗଣେଶ ମନ୍ଦିର ସାମନାରେ ଗଣେଶ ପୂଜା ଉପଲକ୍ଷେ ଚାଲିଥିବା ସାଂସ୍କୃତିକ କାର୍ଯ୍ୟକ୍ରମ ସମୟରେ ବିଶୃଙ୍ଖଳା ସୃଷ୍ଟିକରୀଙ୍କୁ ଆକଟ କରିବାକୁ ଉଦ୍ୟମ କରୁଥିବା ଓଡ଼ଗାଁ ଏନଏସି ପାଇକ ସାହିର ପିଣ୍ଟୁ ନାୟକଙ୍କୁ ମରଣାନ୍ତକ ଆକ୍ରମଣରେ ଓଡ଼ଗାଁ ହରିଜନ ସାହିର ୬ଜଣଙ୍କୁ ପୋଲିସ ଅଟକ ରଖି ପଚରାଉଚରା କରୁଛି।ଆବଶ୍ୟକ ପଡିଲେ ୩୦୭ ଦଫାରେ ସେମାନଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଜଣାପଡିଛି । ସେମାନେ ହେଲେ ବିଜୟ ବେହେରା, ବିକାଶ ବେହେରା, ଆକାଶ ବେହେରା, ଲକ୍ଷ୍ମୀ ବେହେରା, କୃଷ୍ଣ ଚନ୍ଦ୍ର ବେହେରା, ଧିରେନ୍ ବେହେରା । ଆକ୍ରମଣର ଶିକାର ହୋଇଥିବା ପିଣ୍ଟୁ ନାୟକ ମୁଣ୍ଡରେ ଖଣ୍ଡା ଚୋଟରେ ଗଭୀର କ୍ଷତ ହୋଇଥିବାରୁ କଟକ ବଡ଼ ମେଡ଼ିକାଲରେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି । ସୂଚନା ଅନୁଯାୟୀ ଓଡ଼ଗାଁ ଗଣେଶ ବଜାରରେ ଥିବା ଗଣେଶ ମନ୍ଦିରରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ପିଣ୍ଟୁ ନାୟକ ଶାନ୍ତି ଶୃଙ୍ଖଳା ଦାୟୀତ୍ୱରେ ଥିଲେ ମାତ୍ର ବିଶୃଙ୍ଖଳା କାରୀ ମାନଙ୍କୁ ଆକଟ କରିବା ଘଟଣାରେ ସାମାନ୍ୟ ଉତେଜନା ହୋଇଥିଲା । ଏହି ଘଟଣାରେ ବିକାଶ ବେହେରା ବିଶୃଙ୍ଖଳାକାରୀ ମାନଙ୍କ ପକ୍ଷ ନେଇ ପିଣ୍ଟୁ ନାୟକଙ୍କୁ ଆକ୍ରମଣ କରିଥିଲେ । ପୋଲିସ ହସ୍ତକ୍ଷେପ ପରେ ଉତେଜନା କମି ଯାଇଥିଲା । ପୁଣି ପିଣ୍ଟୁ ନାୟକ ଉକ୍ତ ଘଟଣାକୁ ନେଇ ବିଜୟ ବେହେରାଙ୍କ ଘର ନିକଟରେ ପାଟିତୁଣ୍ଡ କରିବାରୁ ଆକାଶ ବେହେରା ପରିବାର ସହିତ ଖଣ୍ଡାରେ ଆକ୍ରମଣ କରିବାରୁ ପିଣ୍ଟୁ ନାୟକ ମୁଣ୍ଡରେ ୩ସ୍ଥାନରେ ଗଭୀର କ୍ଷତ ହୋଇଥିଲା ।ତାଙ୍କୁ ପ୍ରଥମେ ଓଡ଼ଗାଁ ଡାକ୍ତରଖାନା ପରେ ନୟାଗଡ଼, ଭୁବନେଶ୍ୱର,ଶେଷରେ କଟକ ବଡ଼ ଡ଼ାକ୍ତରଖାନା କୁ ସ୍ଥାନାନ୍ତରିତ କରାଯାଇଛି ।