
ମାଲକାନଗିରି,୯।୯ : ମାଲକାନଗିରି ଜିଲ୍ଲାରେ ଜଣେ ପ୍ରଧାନ ଶିକ୍ଷକ ଛାତ୍ରଙ୍କୁ ଅସଦାଚରଣ ଓ ଗୁପ୍ତାଙ୍ଗକୁ ଆଘାତ ଦେବା ଅଭିଯୋଗ ଖବର ଗତ୬ତାରିଖ ଦିନ ପ୍ରକାଶିତ ହୋଇଥିବା ବେଳେ ଏହାର ପ୍ରଭାବ ଦେଖିବାକୁ ମିଳିଛି । ଏହି ଘଟଣାରେ ନିଲମ୍ବିତ ହେଲେ ସମ୍ପୃକ୍ତ ଶିକ୍ଷକ।
ସୂଚନା ଅନୁଯାୟୀ ମାଲକାନଗିରି ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ଏମଭି ୯ ଗ୍ରାମ ସ୍ଥିତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ପ୍ରଶାନ୍ତ ସାମନ୍ତରା କ୍ରମାଗତ ଭାବେ ଅନେକ ସମୟରେ ନିଜ କାର୍ଯ୍ୟରେ ଅବହେଳା କରୁଥିବା ବେଳେ ପିଲାଙ୍କ ସହ ଅଶ୍ଳିଳ ବ୍ୟବହାର କରୁଥିବା ଅଭିଯୋଗ ହୋଇଛି। ତେବେ ବିଗତ କିଛିଦିନ ପୂର୍ବେ ଏହି ଶିକ୍ଷକ ଜଣଙ୍କ ଜଣେ ୭ମ ଶ୍ରେଣୀ ଛାତ୍ରଙ୍କ ସହ ଅସଦାଚରଣ କରି ଛାତ୍ରଙ୍କ ଗୁପ୍ତାଙ୍ଗକୁ ଆଘାତ ଦେଇଥିଲେ। ଫଳରେ ଛାତ୍ର ଜଣଙ୍କ ଅସହ୍ୟ ଯନ୍ତ୍ରଣାରେ ଛଟପଟ ହୋଇଥିଲା। ଯାହାକୁ ନେଇ ଗ୍ରାମବାସୀ ଜାଣିବା ପରେ ଏନେଇ ବିଭାଗୀୟ ଅଧିକାରୀଙ୍କୁ ଅଭିଯୋଗ କରିଥିଲେ। ଗ୍ରାମରେ ଏହାକୁ ନେଇ ଉତ୍ତେଜନା ମୂଳକ ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ଉକ୍ତ ଶିକ୍ଷକଙ୍କ ବିରୋଧରେ ଦୃଢ କାର୍ଯ୍ୟନୁଷ୍ଠାନ ପାଇଁ ଦାବି କରିଥିଲେ। ଏନେଇ ବିଭିନ୍ନ ଗଣ ମାଧ୍ୟମରେ ଖବର ପ୍ରକାଶିତ ହେବା ପରେ ତାଙ୍କୁ ବ୍ଲକ ଶିକ୍ଷା ଅଧିକାରୀ ନିଲମ୍ବିତ କରିଥିବା ଜଣା ପଡିଛି। ଏହି ଶିକ୍ଷକଙ୍କ ନାମରେ ପୂର୍ବରୁ ବିଦ୍ୟାଳୟକୁ ବିଭିନ୍ନ ଯୋଜନାର ଅର୍ଥ ହେରଫେର, ଛାତ୍ର ଛାତ୍ରୀଙ୍କୁ ଅସଭ୍ୟ ବ୍ୟବହାର, ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ଅସହଯୋଗ ସହ ଦୁର୍ବ୍ୟବାହର, ବିଦ୍ୟାଳୟ ପରିଚାଳନାରେ ତ୍ରୁଟି ଭଳି ଅଭିଯୋଗ ଗୁଡିକ ରହିଥିବା ବେଳେ ଏସମସ୍ତ ଅଭିଯୋଗକୁ ଆଧାର କରି ତାଙ୍କୁ ନିଲମ୍ବନ କରାଯାଇଛି।