ସୁନ୍ଦରଗଡ କୃଷିରେ ନୂଆ ଧାରା ଆଣିଛି ବାସ୍ନା ଓ ଅଣବାସ୍ନା ଧାନ ଚାଷ…

youtube


ସୁନ୍ଦରଗଡ -୧୦/୦୯/୨୫ସୁନ୍ଦରଗଡ ଭଳି ଏକ ଆଦିବାସୀ ଅଧ୍ୟୁଷିତ ଜିଲ୍ଲାରେ ଚାଷର ମହତ୍ତ୍ଵ ଅନେକ। ଚାଷୀର ଆୟକୁ ଆଗକୁ ନେବା ପାଇଁ ସରକାର ବିଭିନ୍ନ ଲୋକାଭିମୁଖୀ ଯୋଜନା ପ୍ରଣୟନ କରିଛନ୍ତି। ଏଭଳି ଏକ ଯୋଜନା ହେଉଛି ଜିଲ୍ଲାରେ ବାସ୍ନା ଓ ଅଣବାସ୍ନା ଧାନ ଚାଷ। ସୂଚନା ଯୋଗ୍ୟ ଯେ ଏହି ଜିଲ୍ଲାରେ ଲେଫ୍ରିପଡ଼ା, ବାଲିଶଙ୍କରା, ବଡ଼ଗାଁ, ରାଜଗାଙ୍ଗପୁର ବ୍ଲକରେ ୯୦୦ ହେକ୍ଟର ଲେଖାଏଁ ଓ ସବଡେଗା ବ୍ଲକରେ ୭୦୦ ହେକ୍ଟର ଓ ବଣାଇ ଓ ଗୁରୁଣ୍ଡିଆ ବ୍ଲକରେ ପ୍ରତ୍ୟେକ ୫୦୦ ହେକ୍ଟର ଏହିପରି ୫୩୦୦ ହେକ୍ଟର ଜମିରେ ଏହି ଚାଷ ଜାରି ରହିଛି।ଚଳିତ ବର୍ଷ ସୁନ୍ଦରଗଡ ଜିଲ୍ଲାର ସୁନ୍ଦରଗଡ ସଦର ଓ

ଟାଙ୍ଗରପାଲି ବ୍ଲକରେ ସର୍ବମୋଟ ୨୦୦୦ ହେକ୍ଟର ଜମିରେ ଏହି ବାସ୍ନା ଓ ଅଣବାସ୍ନା ଧାନଚାଷ ଯୋଜନା ପ୍ରଣୟନ କରାଯାଇଅଛି। ଏହି ଯୋଜନାର ମୂଳ ଥିଲା ଜିଲ୍ଲାରେ ପ୍ରାକୃତିକ ଓ ଜୈବିକ ପଦ୍ଧତିରେ ଧାନଚାଷକୁ ପ୍ରୋତ୍ସାହନ ଦେବା। ଏହି ବାବଦରେ ସରକାର ଚାଷୀଙ୍କୁ ଅନେକ ସହାୟତା ଯୋଗାଇ ଦେଇଛନ୍ତି। ପ୍ରଥମ ବର୍ଷ ଚାଷୀଙ୍କୁ ୧୮ କିଲୋ ଧାନ ବିହନ ସହ ହେକ୍ଟର ପିଛା ୫୦୦୦ ଟଙ୍କା ପ୍ରୋତ୍ସାହନ ରାଶି ଓ ଜୈବିକ ସାର ପ୍ରଦାନ ବ୍ୟବସ୍ଥା ରହିଥିଲା। ସେହିପରି ଦ୍ବିତୀୟ ବର୍ଷ ୧୦ କିଲୋ ଧାନ ବିହନ , ୪୦୦୦ ଟଙ୍କା ପ୍ରୋତ୍ସାହନ ରାଶି ଓ ଜୈବିକ ଖତ ଏବଂ ତୃତୀୟ ବର୍ଷ ମଧ୍ୟ ୮ କିଲୋ ଧାନ ବିହନ, ୩୫୦୦ ଟଙ୍କା ପ୍ରୋତ୍ସାହନ ରାଶି ଓ ଜୈବିକ ସାର ଯୋଗାଇ ଦେବାର ବ୍ୟବସ୍ଥା ରହିଛି। ଏହି ଚାଷକୁ ଆଗକୁ ନେଇ ଚାଷୀଙ୍କୁ ଅଧିକ ଆୟ ଦେବା ପାଇଁ ଏହି ଧାନର ସର୍ବନିମ୍ନ ସହାୟକ ରାଶି କ୍ଵିଣ୍ଟାଲ ପିଛା ୪୧୦୦ ଟଙ୍କା ମୂଲ୍ୟରେ କିଣା ଯିବାର ବ୍ୟବସ୍ଥା ମଧ୍ୟ ରହିଛି। ଜିଲ୍ଲାରେ କଳା ଚମ୍ପା, କେତକୀ ଜୁହି, ବାଦଶା ଭୋଗ, ସୁଗନ୍ଧା, ଗୀତାଞ୍ଜଳୀ ଇତ୍ୟାଦି ଧାନ ଚାଷ କରା ଯାଇ ଅଛି। ବିଭିନ୍ନ କୃଷକ ଉତ୍ପାଦକ ସଂଘ ଦ୍ୱାରା ଏହି ଯୋଜନା ଜିଲ୍ଲା ମୁଖ୍ୟ କୃଷି ଅଧିକାରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ପ୍ରଣୟନ କରାଯାଇଅଛି। ପ୍ରକାଶ ଯୋଗ୍ୟ ଯେ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ଲାଲବିହାରୀ ମଲ୍ଲିକ ବିଭାଗର ଅଧିକାରୀଙ୍କ ସହିତ ଅନେକ ସମୟରେ ଚାଷୀଙ୍କ ଉତ୍ସାହ ବର୍ଦ୍ଧନ ତଥା କ୍ଷେତ୍ର ପରିଦର୍ଶନ ଉଦ୍ଦେଶ୍ୟରେ ଅନେକ ସ୍ଥାନ ଗସ୍ତ କରିଛନ୍ତି। ଏହି ପରିପ୍ରେକ୍ଷୀରେ ଶ୍ରୀ ମଲ୍ଲିକ ପିଠାଭୁଇଁ କ୍ଷେତ୍ର ପରିଦର୍ଶନ ସମୟରେ ଅନେକ ଚାଷୀଙ୍କ ସହିତ କଥା ହୋଇ ସୁବିଧା ଅସୁବିଧା ବୁଝିଛନ୍ତି।ଏହି ବର୍ଷ ଚାଷ ପାଇଁ ପରିସ୍ଥିତି ଅନୁକୂଳ ଥିବାରୁ ଅମଳ ବହୁତ ଭଲ ହେବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି। ଚାଷୀମାନେ କିଭଳି ଭାବରେ ଏହି ଯୋଜନାର ସମ୍ପୂର୍ଣ ଲାଭ ଉଠାଇ ପାରି ଏହି ଚାଷକୁ କିପରି ଆଗ ପିଢ଼ିକୁ ନେବେ ସେନେଇ ଶ୍ରୀ ମଲ୍ଲିକ ଚାଷୀମାନଙ୍କୁ ଉପଦେଶ ଦେଇଛନ୍ତି। ଜିଲ୍ଲାରେ ଏହି ଚାଷ ପାଇଁ ଅନେକ ଆଗ୍ରହ ଦେଖା ଦେଇଥିବା ବେଳେ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ତଥା ଅନ୍ୟ ଅଧିକାରୀମାନଙ୍କ ଅନବରତ ପ୍ରଚେଷ୍ଟା ଓ ଦିଗଦର୍ଶନରେ ବାସ୍ନା ଓ ଅଣ ବାସ୍ନା ଧାନ ଚାଷ କୃଷି କ୍ଷେତ୍ରରେ ଏକ ନୂତନ ଦିଗନ୍ତ ଛୁଇଁବ ବୋଲି ଚାଷୀଗଣ ମତ ପ୍ରକାଶ କରିଛନ୍ତି।

Leave A Reply

Your email address will not be published.