ବ୍ରହ୍ମପୁରରେ ଅବକାରୀ ପୋଲିସର ବଡ଼ ଧରଣର ଚଢ଼ାଉ : ୧୪୨ ଗ୍ରାମ ବ୍ରାଉନସୁଗାର ଜବତ, ମା-ପୁଅଙ୍କ ସମେତ ୪ ଗିରଫ

youtube

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ସହରରେ ବ୍ରାଉନସୁଗାର କାରବାର ବୃଦ୍ଧି ପାଉଥିବା ବେଳେ ଏହାକୁ ରୋକିବା ପାଇଁ ଅବକାରୀ ପୋଲିସ ପକ୍ଷରୁ ଏକ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରାଯାଇଛି। ‘ଅପରେସନ ପ୍ରହାର’ ଅନ୍ତର୍ଗତ ତିନୋଟି ଭିନ୍ନ ଭିନ୍ନ ସ୍ଥାନରେ ଚଢ଼ାଉ କରି ଅବକାରୀ ବିଭାଗ ୧୪୨ ଗ୍ରାମ ବ୍ରାଉନସୁଗାର ଜବତ କରିବା ସହିତ ଜଣେ ମା’ ଓ ତାଙ୍କ ପୁଅ ସମେତ ୪ ଜଣଙ୍କୁ ଗିରଫ କରିଛି। ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ପ୍ରାୟ ୧୫ ଲକ୍ଷ ଟଙ୍କା ହେବ ବୋଲି ଅବକାରୀ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଅବକାରୀ ଜିଲ୍ଲା ପୋଲିସକୁ ମିଳିଥିବା ସୂଚନା ଆଧାରରେ ପ୍ରଥମେ MKCG ମେଡିକାଲ ଫାଟକ ନିକଟରୁ ବଡ଼ବଜାର ଥାନା ଅନ୍ତର୍ଗତ ପ୍ରହଲ୍ଲାଦ ନଗରର ଏସ. ସତ୍ୟନାରାୟଣ ପାତ୍ରଙ୍କୁ କାବୁ କରାଯାଇଥିଲା। ତାଙ୍କ ନିକଟରୁ ୪୪ ଗ୍ରାମ ବ୍ରାଉନସୁଗାର ଜବତ ହୋଇଥିଲା। ତାଙ୍କୁ ଅଧିକ ପଚରାଉଚରା କରିବା ପରେ ମେଡିକାଲ ଗେଟ ନୂଆଁ ବସଷ୍ଟାଣ୍ଡ ନିକଟରୁ ମେଣ୍ଟୁ ଛକର ବାବୁ ଦଳାଇଙ୍କୁ ଅବକାରୀ ପୋଲିସ କାବୁ କରିଥିଲା। ତାଙ୍କ ଠାରୁ ୪୧ ଗ୍ରାମ ବ୍ରାଉନସୁଗାର ଜବତ କରାଯାଇଥିଲା।

ଏହି ଦୁଇ ଅଭିଯୁକ୍ତ ବ୍ରାଉନସୁଗାର କୈଳାସ ନଗରରୁ ଆଣିଥିବା ସୂଚନା ଦେଇଥିଲେ। ଏହାପରେ ଅବକାରୀ ପୋଲିସ କୈଳାସ ନଗରରେ ଥିବା ଉକ୍ତ ଘର ଉପରେ ଚଢ଼ାଉ କରିଥିଲା। ସେଠାରୁ ସନ୍ଧ୍ୟା ରାଣୀ ଶତପଥୀ ଏବଂ ତାଙ୍କ ପୁଅ ସ୍ୱରାଜ ଶତପଥୀଙ୍କୁ ଗିରଫ କରାଯାଇଥିଲା। ତାଙ୍କ ଘରୁ ୫୭ ଗ୍ରାମ ବ୍ରାଉନସୁଗାର ଜବତ ହୋଇଥିଲା।

ଜିଲ୍ଲା ଅବକାରୀ ଡେପୁଟି ସୁପରିଟେଣ୍ଡେଣ୍ଟ ପ୍ରବୀଣ ପ୍ରଧାନ ସୂଚନା ଦେଇଛନ୍ତି ଯେ, ଏହି କାରବାରରେ ମୁଖ୍ୟତଃ ଛାତ୍ରମାନଙ୍କୁ ଟାର୍ଗେଟ କରାଯାଉଛି ଏବଂ କମ ସମୟରେ ଅଧିକ ଟଙ୍କା ରୋଜଗାର କରିବା ନିଶାରେ କିଛି ଅପରାଧୀ ଗୋଷ୍ଠୀ ଏଥିରେ ଲିପ୍ତ ଅଛନ୍ତି। ବାହାର ଜିଲ୍ଲାରୁ ବ୍ରାଉନସୁଗାର ଆଣି ଛୋଟ ଛୋଟ ପୁଡ଼ିଆ କରି ନିଶାଗ୍ରସ୍ତ ଛାତ୍ରମାନଙ୍କୁ ବିକ୍ରି କରାଯାଉଛି।

ଏହା ସହିତ ନକଲି ମଦ ପ୍ରସ୍ତୁତ କରୁଥିବା ଏକ ୟୁନିଟ ଉପରେ ମଧ୍ୟ ଅବକାରୀ ବିଭାଗ ଚଢ଼ାଉ କରିଛି। ସେଠାରୁ ମଦ ପ୍ରସ୍ତୁତ ସାମଗ୍ରୀ ଏବଂ ବହୁ ପରିମାଣର ନକଲି ମଦ ଜବତ ହୋଇଥିବା ଶ୍ରୀ ପ୍ରଧାନ କହିଛନ୍ତି। ଆଗକୁ ପାର୍ବଣ ଋତୁ ଆସୁଥିବାରୁ ଏଭଳି କାର୍ଯ୍ୟକଳାପରେ ଲିପ୍ତ ଅପରାଧୀମାନଙ୍କୁ ‘ଅପରେସନ ପ୍ରହାର’ ମାଧ୍ୟମରେ ଶକ୍ତ ପ୍ରହାର ଦିଆଯିବ ବୋଲି ସେ ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ ଯେ, ବ୍ରହ୍ମପୁରର ଲାଞ୍ଜିପଲ୍ଲୀ, ମେଡିକାଲ କଲେଜ ଖେଳ ପଡିଆ, ନୂଆଁ ବସ ଷ୍ଟାଣ୍ଡ ଏବଂ ବଡବଜାର ଥାନା ଅଞ୍ଚଳରେ ଏହି ମାଫିଆମାନେ ନିଜର ପସରା ମେଲିଥିବା ଅଭିଯୋଗ ହେଉଛି। ସହରର ବୁଦ୍ଧିଜୀବୀମାନେ ପୋଲିସ ଓ ଅବକାରୀ ବିଭାଗ ଏଥିପ୍ରତି ଅଧିକ ଧ୍ୟାନ ଦେବାକୁ ଦାବି କରିଛନ୍ତି।

Leave A Reply

Your email address will not be published.