
ଉମରକୋଟ: ନବରଙ୍ଗପୁର ଜିଲ୍ଲାର ଉମରକୋଟ ବ୍ଲକ ଅନ୍ତର୍ଗତ ବେହେଡା ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଆଜି ଠାରୁ ବ୍ଲକସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ୨୦୨୫ ଶୁଭାରମ୍ଭ ହୋଇଯାଇଛି। ଏହି ଦୁଇ ଦିନିଆ ପ୍ରତିଯୋଗିତାକୁ ବ୍ଲକ ଅଧ୍ୟକ୍ଷ ଏବଂ ମୁନସିପାଲିଟି ଚେୟାରମ୍ୟାନ୍ ଅଶୋକ କୁମାର ପାଢ଼ୀ ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି।
ଉଦ୍ଘାଟନୀ ଉତ୍ସବରେ ଗଣଶିକ୍ଷା ମନ୍ତ୍ରୀଙ୍କ ପ୍ରତିନିଧି ରାମ ନାୟକ, ସାଂସଦଙ୍କ ପ୍ରତିନିଧି, ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ (ABEO) ପୁରୋଷତ୍ତମ ମାଝୀ, ବେହେଡା ସରପଞ୍ଚ ପ୍ରମିଳା ଗଣ୍ଡ ଏବଂ ବିଭିନ୍ନ ବିଦ୍ୟାଳୟର ପ୍ରଧାନ ଶିକ୍ଷକମାନେ ଯୋଗ ଦେଇଥିଲେ। ସେମାନଙ୍କ ମଧ୍ୟରେ ଆଶିଷ କୁମାର ବିଶ୍ୱାସ, ଅଭୟ ଚରଣ ନାୟକ, ପ୍ରଫୁଲ୍ଲ ରାଉତ, ଘନଶ୍ୟାମ ମାଝୀ, ଅମିତାଭ ରଥ, ଅର୍ନପୂର୍ଣ୍ଣା ତ୍ରିପାଠୀ ଏବଂ ବିଧାନ ବିଶ୍ୱାସ ପ୍ରମୁଖ ଉପସ୍ଥିତ ଥିଲେ। ଟୁଟୁବାବୁ ପଟ୍ଟନାୟକ ଓ ନରେଶ ପଟ୍ଟନାୟକ ମଞ୍ଚ ପରିଚାଳନା ଦାୟିତ୍ୱ ତୁଲାଇଥିଲେ।

ଏହି କାର୍ଯ୍ୟକ୍ରମରେ ସିଆରସିସି (CRC C) ବିଷ୍ଣୁ ପ୍ରସାଦ ସାହୁ ଏବଂ ଅନ୍ୟାନ୍ୟ ସିଆରସିସିମାନେ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ। ପ୍ରତିଯୋଗିତାର ପ୍ରଥମ ଦିନରେ ପ୍ରାୟ ୧୨୦ ଜଣ ପ୍ରତିଯୋଗୀ ବିଭିନ୍ନ ଖେଳ ଯଥା – ସଟଫୁଟ୍, ଡିସ୍କସ୍, ଲମ୍ବଡିଆଁ, ଉଚ୍ଚାଡିଆଁ, କବାଡି, ଖୋ-ଖୋ ଏବଂ ଦୌଡ଼ରେ ଭାଗ ନେଇଥିଲେ।
ଏହି ପ୍ରତିଯୋଗିତାରେ କୃତକାର୍ଯ୍ୟ ହୋଇଥିବା ପ୍ରତିଯୋଗୀମାନେ ଜିଲ୍ଲା ସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ। ସମସ୍ତ ବିଦ୍ୟାଳୟର ଶାରୀରିକ ଶିକ୍ଷା ଶିକ୍ଷକ (PET) ମାନେ ଖେଳ ପରିଚାଳନାରେ ସହଯୋଗ କରିଥିଲେ। ପ୍ରତିଯୋଗିତା ଶେଷରେ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା।
ଏହି କାର୍ଯ୍ୟକ୍ରମକୁ ସଫଳ କରିବାରେ ଗ୍ରାମର ମାନ୍ୟଗଣ୍ୟ ବ୍ୟକ୍ତି ଯଥା – ମୁନା ପାଣିଗ୍ରାହୀ, ବୈକୁଣ୍ଠ ଭତ୍ରା, ପୂର୍ଣ୍ଣ ବାଗ, ବୀର ଭତ୍ରା ଏବଂ ସ୍କୁଲ୍ ଓ ଗ୍ରାମ୍ୟ କମିଟିର ସଦସ୍ୟମାନେ ପୂର୍ଣ୍ଣ ସହଯୋଗ କରିଥିଲେ।