ସୁଦୃଢ଼ ବିଜୁଳି ଭିତ୍ତିଭୂମି ପ୍ରତିଷ୍ଠା କଲା ଟିପିଏସ୍ଓଡିଏଲ୍ ; ଉପକୃତ ହେବେ ଗଞ୍ଜାମର ୪୦ ହଜାର ଉପଭୋକ୍ତା

youtube

ଶେରଗଡ଼ ବ୍ଲକ୍ ରେ ୧୮ କିଲୋମିଟର ଲମ୍ୱା ୩୩ କେଭି ଲାଇନ କାର୍ଯ୍ୟକ୍ଷମ
 

ବ୍ରହ୍ମପୁର : ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଏସ୍ଓଡିଏଲ୍) ପକ୍ଷରୁ ହିଞ୍ଜିଳି ଗ୍ରୀଡ୍ ସବଷ୍ଟେସନରୁ ଶେରଗଡ ପ୍ରାଇମେରୀ ସବଷ୍ଟେସନ ପର୍ଯ୍ୟନ୍ତ ଏକ ନୂତନ ୩୩ କେଭି ଲାଇନ କାର୍ଯ୍ୟକ୍ଷମ ହୋଇଛି । ମୁଖ୍ୟମନ୍ତ୍ରୀ ଶକ୍ତି ବିକାଶ ଯୋଜାନ ଅଧିନରେ ୬ କୋଟି ଟଙ୍କା ମୂଲ୍ୟ ବିନିମୟରେ ଏହାକୁ କାର୍ଯ୍ୟକ୍ଷମ କରାଯାଇଥିବା ବେଳେ ଏହି ନୂତନ ଭିତ୍ତିଭୂମି ପାଖାପାଖି  ୪୦ ହଜାର ଉପଭୋକ୍ତାଙ୍କୁ ଗୁଣାତ୍ମକ ବିଜୁଳି ସେବା ଯୋଗାଇବ । ଶେରଗଡ଼ ବ୍ଲକର ୨୨ଟି ଗ୍ରାମପଞ୍ଚାୟତର ଅଧିବାସୀମାନେ ଏହା ଦ୍ୱାରା ଉପକୃତ ହେବେ।
 ଏହି ନୂଆ ଲାଇନ ୧୮ କିଲୋମିଟର ଲମ୍ୱା ହୋଇଥିବା ବେଳେ ଆଡ଼ପଡ଼ା, ଶେରଗଡ଼, କରଡାକଣା ଓ ପଳାଶପୁର ଅଞ୍ଚଳର ଉପଭୋକ୍ତାଙ୍କ ନିମନ୍ତେ ଉଦ୍ଦିଷ୍ଟ ରହିଛି । ଏଣିକି, ସଂପୃକ୍ତ ଅଞ୍ଚଳର ସାଧାରଣ ଉପଭୋକ୍ତା, ବ୍ୟବସାୟୀ ଓ କୃଷକମାନେ ଅଧିକ ଭରସାଯୋଗ୍ୟ ବିଜୁଳି ପାଇପାରିବେ ।
 

ବର୍ତ୍ତମାନ ପର୍ଯ୍ୟନ୍ତ ଶେରଗଡ଼ ଗୋଟିଏ ଫିଡର ଉପରେ ନିର୍ଭରଶୀଳ ରହିଆସୁଥିଲା । ତେଣୁ ଲାଇନରେ କୌଣସି ଯାନ୍ତ୍ରିକ ତ୍ରୁଟି କିମ୍ୱା ବିଜୁଳି ମରାମତିଜନିକ କାର୍ଯ୍ୟ ହେଲେ, ହଜାର ହଜାର ଉପଭୋକ୍ତାଙ୍କୁ ଏହା ଦ୍ୱାରା ପ୍ରଭାବିତ ହେବାକୁ ପଡ଼ୁଥିଲା । ତେଣୁ ହିଞ୍ଜିଳି ଗ୍ରୀଡ ସବଷ୍ଟେସନରୁ ଏକ ନୂଆ ଲାଇନ ଶେରଗଡ଼ ପ୍ରାଇମେରୀ ସବଷ୍ଟେସନକୁ ଅଣଯାଇଛି । ଯାହାଫଳରେ ଉପଭୋକ୍ତାଙ୍କୁ ବିଜୁଳି ଯୋଗାଇବା ନିମନ୍ତେ କମ୍ପାନୀ ପାଖରେ ଏକ ବିକଳ୍ପ ମାର୍ଗ ରହିଛି । ଏହି ନୂତନ ଭିତ୍ତିଭୂମି ସମଗ୍ର ଅଞ୍ଚଳର ଉପଭୋକ୍ତାଙ୍କୁ ଅଧିକ ନିର୍ଭରଯୋଗ୍ୟ ବିଜୁଳି ଯୋଗାଇବାରେ ସମର୍ଥ ହେବ ବୋଲି ଟିପିଏସ୍ଓଡିଏଲ୍ ପକ୍ଷରୁ ଆଶା କରାଯାଉଛି ।
 ଗ୍ରାହକମାନେ ବର୍ତ୍ତମାନ ଉଚ୍ଚ ଭୋଲଟେଜର ବିଜୁଳି ପାଇବେ । ଜଳସେଚନ ପମ୍ପ ବ୍ୟବହାର ମଧ୍ୟ ସହଜରେ ହୋଇପାରିବ । ଦୋକାନୀ ଓ କ୍ଷୁଦ୍ର ଉଦ୍ୟୋଗମାନେ ବିନା ବାଧାରେ ନିଜ ବ୍ୟବସାୟ ଚଳାଇପାରିବେ । ଶେରଗଡ଼ ଅଞ୍ଚଳର ସାମଗ୍ରିକ ପ୍ରଗତି କ୍ଷେତ୍ରରେ ଏହି ନୂଆ ବିଜୁଳି ଲାଇନ ବିଶେଷ ଭାବେ ସହାୟକ ହେବ । ନୂଆ ଲାଇନ କାର୍ଯ୍ୟକ୍ଷମ ହେବା ପରେ ଲୋକଙ୍କୁ ଅଧିକ ଭରସାଯୋଗ୍ୟ ଓ ଗୁଣାତ୍ମକ ବିଜୁଳି ସେବା ଯୋଗାଣ ସମ୍ଭବପର ହୋଇପାରିବ ।
 ଏସମ୍ପର୍କରେ ଟିପିଏସ୍ଓଡିଏଲ୍ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଅମିତ କୁମାର ଗର୍ଗ କହିଛନ୍ତି ଯେ, “ଏହି ପ୍ରକଳ୍ପ ଗ୍ରାମୀଣ ବିଜୁଳି ଭିତ୍ତିଭୂମିକୁ ଅଧିକ ସଶକ୍ତ କରିବା କ୍ଷେତ୍ରରେ କମ୍ପାନୀର ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି । ନୂତନ ଲାଇନ ସହିତ ଶେରଗଡ଼ର ଗ୍ରାହକମାନେ ଅଧିକ ଭରସାଯୋଗ୍ୟ, ସ୍ଥିର ଓ ଗୁଣାତ୍ମକ ବିଜୁଳି ସେବାର ସୁବିଧା ପାଇବେ । କୃଷି ଓ ବ୍ୟବସାୟକୁ ସମର୍ଥନ କରିବା ସହ ସମସ୍ତ ଉପଭୋକ୍ତା ସଂପ୍ରଦାୟଙ୍କ ନିମନ୍ତେ ଏକ ଗୁଣାତ୍ମକ ନେଟୱର୍କ ନିର୍ମାଣ ଉପରେ କମ୍ପାନୀ ଧ୍ୟାନ କେନ୍ଦ୍ରୀଭୂତ କରିଛି। ”

Leave A Reply

Your email address will not be published.