
ବଣାଇ : ଆଜି ବଣାଇ ଉପଖଣ୍ଡ ଅନ୍ତର୍ଗତ ଗୁରୁଣ୍ଡିଆ ବ୍ଲକ କାର୍ଯ୍ୟାଳୟ ସଭାଗୃହଠାରେ ସୁନ୍ଦରଗଡ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଅଭିମନ୍ୟୁ ମାଝୀଙ୍କ ଅଧ୍ୟକ୍ଷତାରେ ଏକ ଯୁଗ୍ମ ଜନଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସକାଳ ୧୦ ଘଟିକାରେ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମରେ ଜନସାଧାରଣଙ୍କଠାରୁ ମୋଟ ୯୧ଟି ଅଭିଯୋଗ ଗ୍ରହଣ କରାଯାଇଥିଲା।
ପ୍ରାପ୍ତ ଅଭିଯୋଗଗୁଡ଼ିକ ମଧ୍ୟରୁ ୩୨ଟି ବ୍ୟକ୍ତିଗତ ଅଭିଯୋଗ ଥିବାବେଳେ ୫୯ଟି ଦଳଗତ ଅଭିଯୋଗ ରହିଥିଲା। ବ୍ୟକ୍ତିଗତ ଅଭିଯୋଗ ମଧ୍ୟରେ ମୁଖ୍ୟତଃ ରେସନ କାର୍ଡ ସମ୍ବନ୍ଧୀୟ ସମସ୍ୟା ରହିଥିଲା। ସେହିପରି ଦଳଗତ ଅଭିଯୋଗ ମଧ୍ୟରେ ମୋବାଇଲ ନେଟୱର୍କ ସମସ୍ୟା, ବିଦ୍ୟାଳୟ ମରାମତି ଓ ଶିକ୍ଷକ ନିଯୁକ୍ତି, ରାସ୍ତା ନିର୍ମାଣ ଓ ମରାମତି ଇତ୍ୟାଦି ପ୍ରମୁଖ ସ୍ଥାନ ପାଇଥିଲା।

ଏହି ଅବସରରେ ଜଣେ ହିତାଧିକାରୀଙ୍କୁ ସରକାରୀ ସହାୟତା ରାଶି ପ୍ରଦାନ ପାଇଁ ଚୟନ କରାଯାଇଥିଲା। କାର୍ଯ୍ୟକ୍ରମରେ ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ସୁରଞ୍ଜନ କୁମାର ସାହୁ, ବଣାଇ ଉପ-ଜିଲ୍ଲାପାଳ ଶ୍ରୀ ଅକ୍ଷୟ ପିଲ୍ଲେ, ଏସିଏଫ ବଣାଇ ଶ୍ରୀ ରବିକାନ୍ତ ମୀନା, ବି.ଡି.ଓ ଶ୍ରୀ ହାବିଲ ଖା ଖାଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ, କର୍ମଚାରୀ ଓ ବହୁ ସଂଖ୍ୟକ ଜନସାଧାରଣ ଉପସ୍ଥିତ ଥିଲେ।